ଭାରତ ଅସୁବିଧାରେ ପଡ଼ିଲେ ସାରା ଦୁନିଆ ଅଡୁଆରେ ପଡ଼ିବ

0 61

ନୂଆଦିଲ୍ଲୀ : କରୋନା ସଙ୍କଟ ବେଳେ ଭାରତକୁ ଅନେକ ଦେଶ ସହଯୋଗର ହାତ ବଢ଼ାଇଛନ୍ତି । ଦ୍ୱିତୀୟ ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଏହି ଦେଶକୁ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ବିଭିତ୍ତ ଦେଶ ଆଗେଇ ଆସିଛନ୍ତି । ଏହାରି ଭିତରେ ଆମେରିକାର ଜଣେ ଶୀର୍ଷ କୂଟନୀତିଜ୍ଞ କହିଛନ୍ତି ଭାରତକୁ ସମସ୍ତ ଦେଶ ମିଶି ସହଯୋଗ କରିବା ଦରକାର । ବିପଦ ବେଳେ ଭାରତ ଅନେକ ଦେଶକୁ ସହଯୋଗ କରି ମାନବିକତା ଦେଖାଇଛି । ଏବେ ଆମ ସମସ୍ତଙ୍କ ପାଳି । ୟୁଏସ-ଇଣ୍ଡିଆ ବିଜନେସ କାଉନସିଲର ସଭାପତି ନିଶା ଦେଶାଇ ବିଶ୍ୱାଳ କହିଛନ୍ତି, ପ୍ରତ୍ୟେକ ଦେଶ ଭାରତକୁ ସାହାଯ୍ୟ କରିବା ଦରକାର । କାରଣ ଯଦି ଭାରତର ଅବସ୍ଥା ବିଗିଡିଯାଏ ତେବେ ବିଶ୍ୱ ମଧ୍ୟ ଅସୁବିଧାରେ ପଡ଼ିବ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରତ୍ୟେକଥର ଭାରତ ମାନବିକତା ଦେଖାଏ । ଏବେ ଆମର ପାଳି କିଭଳି ଭାରତକୁ ଆମେ ସମସ୍ତେ ମିଶି ସାହାଯ୍ୟ କରିବା । ନିଶା ଦେଶାଇ ବିଶ୍ୱାଳ ହେଉଛନ୍ତି ଭାରତର ମୂଳ ବାସିନ୍ଦା । ୨୦୧୭ ପର୍ଯ୍ୟନ୍ତ ସେ ଦକ୍ଷିଣ ଏସିଆର ସ୍ୱତବ ସଚିବ ଥିଲେ । ଏହା ବ୍ୟତୀତ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ମଧ୍ୟ ରହିଛନ୍ତି । ଏବେ ସେ ଆମେରିକା-ଭାରତ ବ୍ୟବସାୟ ପରିଷଦର ଚେୟାରମ୍ୟାନ୍ । ଖବର ସରବରାହ ସଂସ୍ଥା ପିଟିଆଇକୁ ସାକ୍ଷାତକାର ଦେଇ ନିଶା କହିଛନ୍ତି ଯେ ଭାରତରେ କରୋନା ମହାମାରୀ ଦ୍ରୁତ ଗତିରେ ବ୍ୟାପୁଛି । ଏହି ସଂକ୍ରମଣ ଯୋଗୁଁ ସମଗ୍ର ବିଶ୍ୱରେ ଏବେ ଅସ୍ଥିରତା ଦେଖାଦେଇଛି ।

ଆମେରିକୀୟ କମ୍ପାନୀମାନେ ଭାରତର ସ୍ଥିତିକୁ ନେଇ ଚିନ୍ତାପ୍ରକଟ କରିବା ସହିତ ସମସ୍ତ ପ୍ରକାର ସହଯୋଗ ପାଇଁ ଅଣ୍ଟାଭିଡିଛନ୍ତି । ଭାରତରେ ଏହି କମ୍ପାନୀଗୁଡିକର କର୍ମଚାରୀମାନେପ୍ରଥମେ କରୋନା ସଂକ୍ରମଣ ବାବଦରେ କମ୍ପାନୀର ଟପ ଲିଡରଙ୍କୁ ଖବର ଦେଇଥିଲେ । ଏହା ପରେ ଆମେ ଭାରତକୁ ସାହାଯ୍ୟ କରିବାକୁ ସ୍ଥିର କରିଛୁ । ବିଶ୍ୱାଳ କହିଛନ୍ତି ଯେ କରୋନା ମହାମାରୀର ମୁକାବିଲା ପାଇଁ ଏକ ବିଶ୍ୱସ୍ତରୀୟ ଟାସ୍କଫୋର୍ସ ଗଠନ କରାଯାଇଛି । ଯେଉଁଥିରେ ବିଶ୍ୱର ଟପ୍ ୪୦ କମ୍ପାନୀର ସିଇଓ ରହିଛନ୍ତି । ଏହି ଗ୍ରୁପ ଏଯାବତ ଭାରତକୁ ହଜାରେ ଭେଣ୍ଟିଲେଟର ଏବଂ ୨୫ ହଜାର ଅକ୍ସିଜେନ କନସେଣ୍ଟରେଟର ପଠାଇଛି । ସବୁଠୁ ବଡ଼କଥା ହେଲା ଏହି ଟାସ୍କଫୋର୍ସର ଏକ ସ୍ୱତବ କମିଟି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଅଫି ହ୍ୱାଇଟ ହାଉସ୍, ଆମେରିକାର ବୈଦେଶିକ ତଥା ଅନ୍ୟାନ୍ୟ ବିଭାଗ ଭାରତ ସରକାରଙ୍କ ସହ ସିଧାସଳଖ ସମ୍ପର୍କରେ ଅଛି ।

ସେ କହିଛନ୍ତି ଯେ ନିକଟରେ କମିଟି ଆମେରିକାର ବୈଦେଶିକ ସଚିବଙ୍କ ସହ ଏକ ବୈଠକ ବସିଥିଲା । ଏଥିରେ ଭାରତକୁ ସାହାଯ୍ୟ କରିବାର ଉପାୟ ବାବଦରେ ଆଲୋଚନା ହୋଇଥିଲା । ଏହା ପରେ ନୀତି ଆୟୋଗ ସହିତ ଆଲୋଚନା ହୋଇଥିଲା । ଆମେରିକାର ଏହି କୂଟନୀତିଜ୍ଞ ଭାରତର ସହାୟତା ଉପରେ କହିଛନ୍ତି ଯେ ଯେତେବେଳେ ପାଶ୍ଚାତ୍ୟ ଦେଶମାନଙ୍କରେ ଅବସ୍ଥା ଖରାପ ହେଉଛି ସେତେବେଳେ ଭାରତ ନିରନ୍ତର ସହାୟତା ଯୋଗାଇ ଦେଇଛି । ତେଣୁ ଆଜି ଯେତେବେଳେ ଭାରତ କଠିନ ସମୟ ଦେଇ ଗତି କରୁଛି, ସେତେବେଳେ ଆମକୁ ଭାରତ ସହ ଛିଡା ହେବାକୁ ପଡିବ । ଆଉ ସମସ୍ତଙ୍କ ବୁଝିବାକୁ ହେବ ଯେ ଏହି କରୋନା ମହାମାରୀ କେବଳ ଗୋଟିଏ ଦେଶ ପାଇଁ ବିପଦ ନୁହେଁ ବରଂ ସମଗ୍ର ବିଶ୍ୱ ପାଇଁ ବିପଦ ଜନକ ।

Leave A Reply

Your email address will not be published.