ମିଶନ ଅମାନିଆ :ଏଣିକି ଖାଲି ଆଇ କାର୍ଡ ଦେଖାଇଲେ ଛାଡିବନି ପୋଲସି

68

ଭୁବନେଶ୍ୱର : ସାବାଡ଼ ହେବେ ଅମାନିଆ । ଆଜିଠୁ କଟକ ଭୁବନେଶ୍ୱରରେ ଚେକିଂକୁ କଡ଼ାକଡ଼ି କରାଯାଇଛି । ପରିଚୟପତ୍ରର ଦୂରୁପଯୋଗ କରି ଏଣେତେଣେ ବୁଲୁଥିବା କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମିଶନରେଟ ପୋଲିସ୍ ପକ୍ଷରୁ ଚେତାବନୀ ଦିଆଯାଇଛି । ଏନେଇ ଦ୍ୱୈତନଗରୀର ପୋଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ଯେ, ଏଥର ଲକ୍ଡାଉନ୍ ଓ ସଟ୍ଡାଉନ୍ରେ କୌଣସି ପାସ୍ ଜାରି କରାଯାଇନି । ଲୋକଙ୍କୁ ବିଶ୍ୱାସକୁ ନେଇ ପୋଲିସ୍ କାମ କରୁଛି । ଏହାସହ ଆଇଟି, ବ୍ୟାଙ୍କ ଭଳି ସେବାକ୍ଷେତ୍ରର ସଂସ୍ଥାକୁ କଟକଣାମୁକ୍ତ କରାଯାଇଛି । ହେଲେ ଏହାର ସୁଯୋଗ ନେଇ କର୍ମଚାରୀମାନେ ଖୁଲମଖୁଲା ସେମାନଙ୍କ କାର୍ଡ ଦେଖାଇ ବୁଲୁଛନ୍ତି ।

ଏଣୁ ଏହା ଉପରେ ନିୟନ୍ତ୍ରଣ ଆଣିବା ଲାଗି ସେମାନଙ୍କ ସଂସ୍ଥାକୁ ନିର୍ଦ୍ଦେଶ ଜାରି କରାଯାଇଛି । କେଉଁ କର୍ମଚାରୀ କେଉଁ ଅଫିସରେ, କେଉଁ ସମୟରେ କାମ କରିବେ ସେ ନେଇ ନିର୍ଦ୍ଦିଷ୍ଟ ଅଥରାଇଜେସନ୍ ଲେଟର ଡିସିପିଙ୍କ ପାଖରେ
ଦାଖଲ କରିବାକୁ ସଂସ୍ଥାଗୁଡ଼ିକୁ କୁହାଯାଇଛି । ଫଳରେ ଅମାନିଆଙ୍କ ଯାତାୟାତକୁ ରୋକାଯାଇପାରିବ ବୋଲି ପୋଲିସ୍ କହିଛି । କେଉଁ କର୍ମଚାରୀଙ୍କୁ ଅଫିସ ଆସିବାକୁ କୁହାଯାଇଛି, ସଂସ୍ଥା ତାଲିକା ଦେବ । କର୍ମଚାରୀଙ୍କ ତାଲିକା ଡିସିପି ଅଫିସରେ ଦାଖଲ କରିବ ସଂସ୍ଥା । ଏଥିସହ ନିଜ କର୍ମଚାରୀଙ୍କୁ ଏକ ଅଥରାଇଜେସନ୍ ଲେଟର ବି ଦେବ ସଂସ୍ଥା । ପରିଚୟପତ୍ର ଓ ଅଥରାଇଜେସନ୍ ଲେଟର ଦେଖାଇ ସଂପୃକ୍ତ କର୍ମଚାରୀ ଯାତାୟାତ କରିପାରିବେ ବୋଲି କହିଛନ୍ତି ସି ପି ।

ସୂଚନାଯୋଗ୍ୟ, ରାଜ୍ୟରେ ମହାମାରୀ ଏବେ ପ୍ରତିଦିନ ଲମ୍ବ ଡିଆଁ ମାରୁଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ନୂଆ ରେକର୍ଡ କରିବାରେ ଲାଗିଛି । ଏପରି ସ୍ଥିତିରେ ସଂକ୍ରମଣ ଚେନ୍କୁ ଭାଙ୍ଗିବାକୁ ସମଗ୍ର ରାଜ୍ୟରେ ଲକ୍ଡାଉନ୍, ଶଟ୍ଡାଉନ୍ ଘୋଷଣା କରାଯାଇଥିବା ସତ୍ତେ୍ୱ ରାସ୍ତାରେ ଦେଖିବାକୁ ମିଳୁଛି ଅସମ୍ଭାଳ ଭିଡ଼ । ଅଧିକାଂଶ ଲୋକ ମିଥ୍ୟା ପରିଚୟପତ୍ର ଦେଖାଇ ଖୁଲମଖୁଲା ବୁଲୁଥିବା ବେଳେ ସେମାନଙ୍କୁ ସାବାଡ଼ କରିବାକୁ ଏପରି ଘୋଷଣା କରିଛନ୍ତି ସି ପି ।

Comments are closed.