ପ୍ରଶାସନ ଶୁଣିଲାନାହିଁ ଗ୍ରାମବାସୀ ପାହାଡ଼ କାଟି ନିର୍ମାଣ କଲେ ୭ କିଲୋମିଟର ରାସ୍ତା

68

ମାଲକାନଗିରି : ନିଜ ଗାଁକୁ ଭଲ ରାସ୍ତା ନଥିବାରୁ ଉପଯୁକ୍ତ ଚିକିତ୍ସା ସୁବିଧା ନପାଇ ବିହାର ରାଜ୍ୟ ଗେହଲୁର ଗ୍ରାମର ଦଶରଥ ମାନଝିଙ୍କ ସ୍ତ୍ରୀ ମୃତ୍ୟୁ ବରଣ କରିଥିଲେ । ଏହା ପର ଠାରୁ ମାଝି ନିଜେ ଏକୁଟିଆ ପାହାଡ଼ କାଟି ରାସ୍ତା ନିର୍ମାଣ କରି ମାଉନଟେନ ମ୍ୟାନ ଭାବେ ସମଗ୍ର ଦେଶରେ ପରିଚିତ ହୋଇଥିଲେ ।  ଏଥିରୁ ଅନୁପ୍ରାଣିତ ହୋଇ ପ୍ରଶାସନର ସହାୟତା କୁ ଅପେକ୍ଷା ନକରି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ କୁଟୁଣି ପାଲି ପଞ୍ଚାୟତର ଲୋକ ମାନେ ଦୀର୍ଘ ୭ କିଲୋମିଟର ପାହାଡ଼ କାଟି କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ସୀମା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରି ଅନ୍ୟ ଗ୍ରାମବାସୀଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । 

ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକର ଅନେକ ଗାଁକୁ ଆଜିପର୍ଯ୍ୟନ୍ତ ଭଲ ରାସ୍ତା ଟିଏ ନାହିଁ ।  ଫଳରେ ଅଞ୍ଚଳବାସୀ ବାରମ୍ବାର ପ୍ରଶାସନ ଠାରୁ ଆରମ୍ଭ କରି ଜନ ପ୍ରତିନିଧିଙ୍କୁ ଗୁହାରି କରିବା ପରେ ମଧ୍ୟ କେହି କର୍ଣ୍ଣପାତ କରିନଥିଲେ । ପାହାଡ଼ ପର୍ବତ ଚାରି ଆଡେ ଘେରି ରହିଥିବାରୁ ପଞ୍ଚାୟତର ଲୋକଙ୍କୁ କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକର ଗୁପ୍ତେଶ୍ୱର, ଦଣ୍ଡାବାଡ଼ି, ରାମଗିରି ଗ୍ରାମରେ ବସୁଥିବା ସାପ୍ତାହିକ ହାଟକୁ ନିଜ ଉତ୍ପାଦିତ ପନିପରିବା ଓ ଜଙ୍ଘଲ ଜାତ ଦ୍ରବ୍ୟ କୁ ବିକ୍ରୀ ପାଇଁ ନେବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । 

କରୋନା ମହାମାରୀ ଚାଲିଥିବାରୁ ଗ୍ରାମବାସୀ କୁଆଡେ କାମକୁ ନଯାଇ ଗାଁରେ ରହିଛନ୍ତି ।  ଏହି ସମୟର ସଦୁପଯୋଗ କରିବା ପାଇଁ ଗାଁ ରେ ଏକ ବୈଠକ କରାଯାଇ କୁଟୁଣୀ ପାଲି ପଞ୍ଚାୟତ ସଦର ମହକୁମା ଠାରୁ ବୈପାରୀଗୁଡା ବ୍ଲକ ସୀମା ପର୍ଯ୍ୟନ୍ତ ରାସ୍ତା ଶ୍ରମଦାନ କରି ନିର୍ମାଣ ପାଇଁ ନିଷ୍ପତ୍ତି ନିଆଯାଇଥିଲା ।  ଉକ୍ତ ନିଷ୍ପତ୍ତି ଅନୁଯାୟୀ ଗ୍ରାମର ସମସ୍ତ ପୁରୁଷ ଲୋକ ଏକାଠି ହୋଇ  ହାତରେ କୋଡ଼ି, କୋଦାଳ, ଧରି ନିଜ ଯାତାୟାତର ସୁବିଧା ପାଇଁ ରାସ୍ତା ନିର୍ମାଣ କରିବାରେ ଲାଗିପଡ଼ିଥିଲେ । ଶେଷରେ ସେମାନେ ଦୀର୍ଘ ୭ କିଲୋମିଟର ପାହାଡ଼କୁ କାଟି ରାସ୍ତା କରିବାରେ ସଫଳ ହୋଇଥିଲେ ।  ଏହି ରାସ୍ତା ନିର୍ମାଣ ହେବା ପରେ ଗ୍ରାମବାସୀ ଅକ୍ଳେଶରେ ବୈପାରୀଗୁଡା ବ୍ଲକର ବିଭିନ୍ନ ହାଟ ଓ ଗାଁ କୁ ଯିବାଆସିବା କରିପାରୁଛନ୍ତି । 

Comments are closed.