ନୂଆଦିଲ୍ଲୀ : ବିଶ୍ୱର ଜନବହୁଳ ରାଷ୍ଟ୍ରଗୁଡିକରେ କରୋନା ସଂକ୍ରମଣ ଉଦ୍ବେଗଜନକ ସ୍ଥିତିରେ ଥିବାବେଳେ ଭାରତରେ ଦିନକୁ ଦିନ ଏହା ନିୟନ୍ତ୍ରଣ ବାହାରକୁ ଯାଉଛି । ଏହାକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଭାରତ ପାଇଁ “ଟୁଗେଦର ଫର ଇଣ୍ଡିଆ’ ଅଭିଯାନ ଆରମ୍ଭ କରିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାର ଦୈନିକ ଗଣମାଧ୍ୟମ ସମ୍ପର୍କ କାର୍ଯ୍ୟକ୍ରମରେ ଏ ସମ୍ପର୍କରେ ବିସ୍ତୃତ ଭାବେ ତଥ୍ୟ ଦେଇଛି । ବିଶେଷ ଭାବେ ଗତ ସପ୍ତାହରେ ବିଶ୍ୱରେ ୫୪ ଲକ୍ଷ ନୂଆ ସଂକ୍ରମଣ ଓ ୯୦ ହଜାର କରୋନା ଜନିତ ମୃତ୍ୟୁ ହୋଇଥିବା ବେଳେ ଭାରତ ଭଳି କେତେକ ଦେଶ କରୋନାର ପ୍ରଥମ ଲହର ପରେ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ନ ଦେବା ଏବଂ କଠୋର ପଦକ୍ଷେପ ଗ୍ରହଣ ନ କରିବା ଯୋଗୁ ଦ୍ୱିତୀୟ ଲହର ଅତ୍ୟନ୍ତ ପ୍ରଭାବଶାଳୀ ହୋଇଥିବା “ହୁ’ କହିଛି ।
ଭାରତରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନିଜର ସ୍ୱାସ୍ଥ୍ୟ ଭିତ୍ତିକ କାର୍ଯ୍ୟକୁ ଆହୁରି ଦୃଢ କରିବା ନିମନ୍ତେ ଟୁଗେଦର ଫର ଇଣ୍ଡିଆ ଅଭିଯାନ ଆରମ୍ଭ କରିଛି । ଯାହାଫଳରେ ଅମ୍ଳଜାନ, ପିପିଇ କିଟ୍ ଏବଂ ଔଷଧ ଅଧିକ ମାତ୍ରାରେ କ୍ରୟ କରାଯାଇପାରିବ । ଏ ବିଷୟରେ “ହୁ’ ଏକ ଭିଡିଓ ଜାରି କରି କହିଛି ଯେ, ପ୍ରତିଷେଧକ ଟିକା କରୋନା ସଂକ୍ରମଣ ହ୍ରାସ ଦିଗରେ ଏକ ବଳିଷ୍ଠ ପଦକ୍ଷେପ ଓ ଏହା ଆଗାମୀ ଦିନରେ କୋଭିଡ ସଂକ୍ରମଣ ମୁକାବିଲା କରିପାରିବ । ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଟିକାକରଣ କ୍ଷେତ୍ରରେ ଉପୁଜୁଥିବା ସମସ୍ୟାକୁ ନେଇ ଉଦ୍ବେଗ ପ୍ରକାଶ କରିଛି । ବିଶ୍ୱସ୍ତରରେ ସମସ୍ତ ଦେଶ ଆବଶ୍ୟକ ପରିମାଣର ଟିକା ପାଉନଥିବା”ହୁ’ କହିଛି ।
ଏଭଳି ସ୍ଥିତି କରୋନା ସଂକ୍ରମଣ ଦିଗରେ ପ୍ରତିବନ୍ଧକ ହୋଇପାରେ ବୋଲି ସଂଗଠନ ଅନୁମାନ କରୁଛି । ବିଶ୍ୱର ଉଚ୍ଚ ଏବଂ ମଧ୍ୟମରୁ ଅଧିକ ଆୟକାରୀ ରାଷ୍ଟ୍ର ଯେଉଁଗୁଡିକ ୫୩ ପ୍ରତିଶତ ଜନସଂଖ୍ୟା ବିଶିଷ୍ଟ, ସେହି ଦେଶଗୁଡିକୁ ୮୩ ପ୍ରତିଶତ ଟିକା ମିଳିଥିବା ବେଳେ ବିଶ୍ୱର ୪୭ ପ୍ରତିଶତ ଜନସଂଖ୍ୟା ବିଶିଷ୍ଟ ନିମ୍ନ ଆୟକାରୀ ଦେଶଗୁଡିକୁ ମାତ୍ର ୧୭ ପ୍ରତିଶତ ଟିକା ମିଳିପାରିଛି । ଯାହା କରୋନା ନିୟନ୍ତ୍ରଣ ଦିଗରେ ପ୍ରତିବନ୍ଧକ ସୃଷ୍ଟି କରୁଛି । ଭାରତ ଭଳି ଜନବହୁଳ ଦେଶରେ ଟିକାକରଣ ଓ ସ୍ୱାସ୍ଥ୍ୟସେବା ଉଭୟ ଦୃଢ କରିବା ଆବଶ୍ୟକ ବୋଲି “ହୁ’ କହିଛି ।
Comments are closed.