କୃଷକ ଦେଶ ଅର୍ଥନୀତିର ସଞ୍ଜିବନୀ

65

-୯.୫ ହିତାଧିକାରୀଙ୍କ ଖାତାକୁ ଗଲା ପିଏମ୍ କିଷାନ ଯୋଜନାର ଅର୍ଥ

-ଉପକୃତ ହେବେ ଦେଶର ୨୦ହଜାର କୋଟିରୁ ଅଧିକ ହିତାଧିକାରୀ

-କୃଷକଙ୍କ ସହ ସିଧାସଳଖ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର (ପିଏମ୍-କିଷାନ୍) ଅଷ୍ଟମ କିସ୍ତିରେ ୯.୫ କୋଟିରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍କୁ ୨୦,୦୦୦ କୋଟିରୁ ଅଧିକ ଅର୍ଥରାଶି ଟ୍ରାନ୍ସଫର୍ କରିଛନ୍ତି । ଅର୍ଥରାଶି ରିଲିଜ୍ କରିସାରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ଯୋଜନା ଦ୍ୱାରା ଉପକୃତ କେତେଜଣ ହିତାଧିକାରୀଙ୍କ ସହ ଆଳାପ କରିଥିଲେ । ଜୈବିକ ପଦ୍ଧତିରେ ଚାଷ କରିବା ନିମନ୍ତେ ଖଣ୍ଡେ ଟାଙ୍ଗରା ଭୂଇଁକୁ ଉପଯୁକ୍ତ କରିଥିବା ଆନ୍ଧ୍ର ପ୍ରଦେଶର ଜଣେ ମହିଳା-କୃଷକଙ୍କ ସହ ଆଳାପ କରୁଥିବା ବେଳେ ପ୍ରଧାନମନ୍ତ୍ରୀ କହିଲେ, ଆପଣ ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି । ଆପଣଙ୍କ ଆତ୍ମବିଶ୍ୱାସ ହିଁ ଆପଣଙ୍କ ସାମର୍ଥ୍ୟ ଏବଂ ଅଭିଜ୍ଞତା କଥା ବଖାଣୁଛି । ଉକ୍ତ ଜମି ଖଣ୍ଡକରେ ବର୍ଷକୁ ତିନି କିସମର ଫସଲ ଉତ୍ତାରୁଛନ୍ତି ବୋଲି ମହିଳା କୃଷକଜଣକ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ ।

କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେ କହିଲେ, ପିଏମ୍-କିଷାନ୍ ଯୋଜନାରେ ପ୍ରଥମଥର ପାଇଁ ପଶ୍ଚିମବଙ୍ଗର ୭ଲକ୍ଷରୁ ଊର୍ଦ୍ଧ୍ୱ କୃଷକ ଉପକୃତ ହେବେ । ସେମାନଙ୍କୁ ୨ହଜାର ଲେଖାଏଁ ଆର୍ଥିକ ସହାୟତା ମିଳିବ । ସୂଚନାଯୋଗ୍ୟ,୨୦୧୯ ଫେବ୍ରୁଆରୀରେ ଏହି ଯୋଜନାର ଶୁଭାରମ୍ଭ କରାଯାଇଥିଲା । ଏଥିରୁ ସହାୟତା ପାଇବା ନିମନ୍ତେ ୧୧.୮୦ କୋଟି କୃଷକ ନାମ ପଞ୍ଜିକରଣ କରାଇଥିଲେ । ପ୍ରତି ୪ ମାସରେ ୨୦୦୦ ଲେଖାଏଁ କରି ଏହି ଯୋଜନାରେ ହିତାଧିକାରୀଙ୍କୁ ବର୍ଷକୁ ୬୦୦୦ ଟଙ୍କା ସହାୟତା ମିଳେ । ଏଯାବତ୍ ଏହି ଯୋଜନାରେ କୃଷକମାନଙ୍କୁ ୧.୧୫ କୋଟି ଟଙ୍କା ପ୍ରଦାନ କରାଯାଇଥିବା କଥା ଗୁରୁବାର ଦିନ ସରକାର ରିଲିଜ୍ କରିଥିବା ଏକ ବିବୃତିରେ ଉଲ୍ଲେଖ ଅଛି ।

Comments are closed.