ଚାଷୀଙ୍କୁ ଅକ୍ଷୟତୃତୀୟା ଭେଟି : ଅନ୍ନଦାତାଙ୍କ ତ୍ୟାଗର ତୁଳନା ନାହିଁ

0 70

-ଚାଷୀଙ୍କ ଆକାଉଣ୍ଟକୁ ଗଲା ୯୨୦ କୋଟି

-ଉପକୃତ ହେବେ ରାଜ୍ୟର ୪୨ଲକ୍ଷ କୃଷକ

-ଚାଷୀଙ୍କ ଋଣଭାର ଲାଘବରେ ସହାୟକ ହେବ

ଭୁବନେଶ୍ୱର : ଆଜି ପବିତ୍ର ଅଷୟତୃତୀୟା । ରାଜ୍ୟର ଚାଷୀ ପରିବାର ପାଇଁ ଏକ ଆନନ୍ଦର ଦିନ । ଚାଷ କାମର ଅନୁକୂଳ ଆଜିଠାରୁ ଆରମ୍ଭ ହୋଇଥାଏ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀ ଭାଇଭଉଣୀ ମାନଙ୍କୁ ଶୁଭେଛା ଜଣାଇଛନ୍ତି । ଏଥିସହ ରାଜ୍ୟର ୪୨ ଲକ୍ଷ ଚାଷୀ ପରିବାରର ବ୍ୟାଙ୍କ ଖାତାରେ ଖରିଫ ୨୦୨୧ ପାଇଁ କାଳିଆ ଯୋଜନାରେ ୯୨୦ କୋଟି ଟଙ୍କା ଜମା କରାଯାଇଥିବା ବିଷୟ ଘୋଷଣା କରିଥିଲେ । ରାଜ୍ୟର ଛୋଟ ଚାଷୀ, ନାମମାତ୍ର ଚାଷୀ ଓ ଭୂମିହୀନ ଚାଷୀ ପରିବାର ସମସ୍ତେ ଏହି କାଳିଆ ଯୋଜନାର ସହାୟତା ପାଇ ଏହାକୁ ଚାଷକାମରେ ତଥା ଜୀବନଜୀବିକାର ଉନ୍ନତିରେ ଲଗାଇବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଚାଷୀଙ୍କ ପାଇଁ ସାରା ଦେଶରେ କାଳିଆ ଯୋଜନା ସବୁଠାରୁ ଭଲ । ଏହି ଯୋଜନା ଚାଷୀ ମୁହଁରେ ହସ ଆଣିଛି । ଚାଷୀର ଋଣଭାର ଲାଘବରେ ମଧ୍ୟ ଏହା ସହାୟକ ହୋଇଛି । ଚାଷୀଙ୍କ ତ୍ୟାଗର ଉଚ୍ଚପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଚାଷୀ ଆମର ଗର୍ବ ଓ ଗୌରବ । ଦେଶ ଓ ସମାଜ ପାଇଁ ଚାଷୀଙ୍କ ତ୍ୟାଗର ତୁଳନା ନାହିଁ । ଗତବର୍ଷ କୋଭିଡ଼ ସମୟରେ ଚାଷୀ ହିଁ ଅର୍ଥନୀତିକୁ ସଞ୍ଜିବନୀ ପରି ଶକ୍ତି ଦେଇଥିଲା । ତେଣୁ ଚାଷୀର ତ୍ୟାଗର ମୂଲ୍ୟ କେହି ଦେଇପାରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, “ମୋ ରାଜ୍ୟର ଚାଷୀ, ଭଲରେ ରହୁ । ତା’ର ରୋଜଗାର ବଢୁ, ତା’ ପରିବାରରେ ସମୃଦ୍ଧି ଆସୁ । ଏଥିାଇଁ ମୁଁ କାମ କରୁଛି ଓ କରି ଚାଲିବି ।’ କୋଭିଡ଼ ସମ୍ପର୍କରେ ସଚେତନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଏବେ ଆମେ କୋଭିଡ୍ ସଂକ୍ରମଣର ଦ୍ୱିତୀୟ ଲହରର ସାମନା କରୁଛେ । ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ଲକ୍ଡାଉନ୍ ଚାଲିଛି । କିନ୍ତୁ କୃଷି ଷେତ୍ର ପାଇଁ କୌଣସି ଲକ୍ଡାଉନ୍ ନାହିଁ । ତେଣୁ ଚାଷୀ ଭାଇମାନେ କୋଭିଡ୍ ନିୟମ ମାନି ଚାଷ କାମ ଜାରି ରଖିବା ସହିତ ସରକାରଙ୍କ ବିଭିନ୍ନ କୃଷି ବିକାଶ ଯୋଜନାର ସୁଯୋଗ ନେବା ପାଇଁ ସେ ଆହ୍ୱାନ ଜଣାଇଛନ୍ତି । ଶେଷରେ ଚଳିତ ବର୍ଷ ପାଇଁ ଭଲ ପାଗ, ଭଲ ଫସଲ ଓ ଚାଷୀ ପରିବାରର ସମୃଦ୍ଧି ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସରକାରଙ୍କ କୋଭିଡ୍ ନିୟମକୁ କଡ଼ାକଡ଼ି ଭାବରେ ପାଳନ କରିବା ପାଇଁ ସମସ୍ତଙ୍କୁ ପୁଣି ଥରେ ନିବେଦନ କରିଛନ୍ତି । ସୂଚନାଯୋଗ୍ୟ ଯେ, କାଳିଆ ଯୋଜନା ରାଜ୍ୟ ସରକାରଙ୍କ ଶ୍ରେଷ୍ଠ କୃଷି କଲ୍ୟାଣ ଯୋଜନା । ଏହି ଯୋଜନାରେ ଲକ୍ଷ ଲକ୍ଷ ଛୋଟ ଚାଷୀ, ନାମ ମାତ୍ର ଚାଷୀ ଓ ଭୂମିହୀନ ଚାଷୀ ପରିବାର ଉପକାର ପାଉଛନ୍ତି । କାଳିଆ ସହାୟତାରେ ଚାଷୀ କୃଷି ସାମଗ୍ରୀ କିଣିବା ବେଳେ ଭୂମିହୀନ ଚାଷୀ ଛେଳି, କୁକୁଡ଼ା ଓ ବତକ ପାଳନ ଆଦିରେ ବିନିଯୋଗ କରି ତା ପରିବାରର ରୋଜଗାର ବଢାଇଥାଏ । ଏହି କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିକରଣ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କାଳିଆ ଯୋଜନା କିରି କୋଭିଡ୍ ସମୟରେ ଚାଷୀ ପରିବାର ପାଇଁ ଉପାଦେୟ ସାବ୍ୟସ୍ତ ହୋଇପାରିଛି ତା’ ଉପରେ ଆଲୋକପାତ କରିଥିଲେ । ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା, ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.