କଟକଣାରେ ଚାପ ଖେଳିବେ ମହାପ୍ରଭୁ

0 73

ପୁରୀ : କରୋନା ମହାମାରୀ ଓ ଧାର୍ମିକ ସମାବେଶ ଉପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କଟକଣାକୁ ଦୃଷ୍ଟିରେ ରଖି ଶ୍ରୀଜଗନ୍ନାଥଙ୍କ ଚନ୍ଦନ ଯାତ୍ରାକୁ କେବଳ ପରମ୍ପରା ତଥା ବିଧି ରକ୍ଷା ନିମନ୍ତେ ସର୍ବନିମ୍ନ ସେବାୟତମାନଙ୍କ ଉପସ୍ଥିତିରେ ପାଳନ କରିବାକୁ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏଥି ନିମନ୍ତେ ଶ୍ରୀମନ୍ଦିର ଫାଣ୍ଡି ଓ ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟ, ନରେନ୍ଦ୍ର ପୁଷ୍କରିଣୀ ଚତୁଃପାର୍ଶ୍ୱ, ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରୁ ନରେନ୍ଦ୍ର ପୁଷ୍କରିଣୀ ପର୍ଯ୍ୟନ୍ତ ଯାଇଥିବା ରାସ୍ତା ପରିସରରେ ଜନସାଧାରଣଙ୍କ ପ୍ରବେଶ ଉପରେ କଟକଣା ସହ ୧୪୪ ଧାରା ଜାରି କରାଯାଇଛି । ଏହି କଟକଣା ଚଳିତ ମାସ ୧୫ ତାରିଖ ଅପରାହ୍ନ ୩ ଘଟିକା ଠାରୁ ଆସନ୍ତା ଜୁନ୍ ମାସ ୪ ତାରିଖ ରାତ୍ରି ୯ ଘଟିକା ପର୍ଯ୍ୟନ୍ତ ଜାରି ରହିବ । ଏହି ସମୟ ମଧ୍ୟରେ ବିଧିପାଳନ ଓ ରୀତିକାନ୍ତି ବେଳେ ସଂପୃକ୍ତ ବ୍ୟକ୍ତିବିଶେଷ ମାସ୍କ ପରିଧାନ ଓ ଯଥାବିଧି ସାମାଜିକ ଦୂରତ୍ୱ ରକ୍ଷା କରିବେ । ଏହି ସମୟ ମଧ୍ୟରେ ଅତ୍ୟାବଶ୍ୟକ ସେବା ଜାରି ରହିବ । ପ୍ରଶାସନ ପକ୍ଷରୁ ପାସ୍ ପ୍ରଦାନ କରାଯାଇଥିବା ବ୍ୟକ୍ତିବିଶେଷଙ୍କୁ ପ୍ରବେଶାନୁମତି ଦିଆଯିବ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉପଜିଲ୍ଲାପାଳ ଭବାରଣ ସାହୁ ଏଭଳି କଟକଣା ଜାରି କରିଛନ୍ତି । ଏଥିନିମନ୍ତେ ସହଯୋଗ କରିବାକୁ ଜନସାଧାରଣଙ୍କୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.