ରାଜ୍ୟରେ ଜୁନ୍ ୧ ଯାଏଁ କଟକଣା ସହିତ ବଢ଼ିଲା ଲକଡାଉନ୍ ଅବଧି : ମୁଖ୍ୟ ଶାସନ ସଚିବ

0 68

ଭୁବନେଶ୍ୱର: ରାଜ୍ୟରେ ବଢ଼ୁଥିବା କୋଭିଡ୍ ସଂକ୍ରମଣକୁ ଦେଖି ସରକାର ଲକଡାଉନ୍ ଅବଧିକୁ ବଢ଼ାଇଛନ୍ତି । ଜୁନ୍ ୧ ଯାଏଁ ରାଜ୍ୟରେ ଲକଡାଉନ୍ କଟକଣା ବଳବତ୍ତର ରହିବ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ରାଜ୍ୟରେ ଦୈନିକ ସଂକ୍ରମଣ ୧୦ ହଜାର ଉପରେ ରହୁଥିବା ବେଳେ ଲକଡାଉନ୍ ସମ୍ପ୍ରସାରଣ ନେଇ ବିଶେଷଜ୍ଞମାନେ ମତ ଦେଉଥିଲେ । ଲକଡାଉନକୁ ସରକାର ୨ ସପ୍ତାହ ବୃଦ୍ଧି କରିଛନ୍ତି । ଲକଡାଉନ୍ କଟକଣା ଜୁନ୍ ୧ ତାରିଖ ସକାଳ ୫ଟା ଯାଏଁ ବୃଦ୍ଧି କରାଯାଇଛି । ପୂର୍ବଭଳି ସପ୍ତାହନ୍ତ ସଟଡାଉନ୍ ଜାରି ରହିବ । ପୂର୍ବାପେକ୍ଷା କଟକଣାକୁ ବଢ଼ାଯାଇଛି ।

ଏଣିକି ସୋମବାର ଠାରୁ ଶୁକ୍ରବାର ଯାଏ ୪ ଘଣ୍ଟା ମଧ୍ୟରେ ପନିପରିବା କିଣିହେବ । ପୂର୍ବରୁ ଏହି ସମୟ ସୀମା ସକାଳ ୬ଟାରୁ ଦିନ ୧୨ଟା ଥିବା ବେଳେ ଏବେ ଏହାକୁ ସକାଳ ୭ଟାରୁ ଦିନ ୧୧ଟା କରି ଦିଆଯାଇଛି । ଫଳରେ ଲୋକଙ୍କୁ ପନିପରିବା ଓ ତେଜରାତି ସାମଗ୍ରୀ କିଣିବା ପାଇଁ ମାତ୍ର ୪ ଘଣ୍ଟା ସମୟ ମିଳିବ।ଚାଲି ଚାଲି ଯାଇ ଲୋକେ ପନିପରିବା ଇତ୍ୟାଦି କ୍ରୟ କରି ପାରିବେ କୁହାଯାଇଛି । ଲକଡାଉନ୍ ନିୟମ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଅପରପକ୍ଷରେ ଏଣିକି ବାହାଘରରେ ମାତ୍ର ୨୫ଜଣଙ୍କୁ ଅନୁମତି ମିଳିବ। ବାହାଘର, ବ୍ରତଘର, ଶୁଦ୍ଧିଘରରେ ଭୋଜିଭାତକୁ ବାରଣ କରାଯାଇଛି। କେବଳ ପାର୍ସଲ ଦେଇପାରିବେ। ବ୍ରତଘର ଓ ଶୁଦ୍ଧିଘରରେ ମାତ୍ର ୨୦ଜଣଙ୍କୁ ଅନୁମତି ମିଳିବ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଫିସରେ କମ୍ କର୍ମଚାରୀଙ୍କୁ ନେଇ ଅଫିସ୍ ଚାଲିବ । ମାଲ୍ ପରିବହନ ଉପରେ କୌଣସି କଟକଣା ରହିବ ନାହିଁ । କେବଳ ପ୍ୟାକେଟ୍ ମାଧ୍ୟମରେ ଖାଇବା ଦେଇପାରିବେ ।

ଲକଡାଉନ୍ ସମୟରେ ଟେଷ୍ଟିଂ ଓ ଟିକାକରଣ ଚାଲିବ । ସମସ୍ତ ସ୍ୱାସ୍ଥ୍ୟସେବା ଅନୁଷ୍ଠାନ ଜାରି ରହିବ । ଗ୍ରାମାଞ୍ଚଳରେ କରୋନା ବ୍ୟାପୁଥିବାରୁ ପଞ୍ଚାୟତିରାଜ ସଂସ୍ଥା ନିଜ ଅଞ୍ଚଳରେ ଅନ୍ୟ ଅଞ୍ଚଳରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିବେ । ବାହାରୁ ଆସୁଥିବା ଲୋକଙ୍କୁ ହୋମ୍ ଆଇସୋଲେସନରେ ରହିବା ନେଇ ଗୁରୁତ୍ୱ ଦେବେ । ଘରକୁ ଘର ବୁଲି ୩ ମାସ ଯାଏ କ୍ୟାମ୍ପେନ୍ କରାଯିବ । କରୋନା ଲକ୍ଷଣ ଥିଲେ ଟେଷ୍ଟି କରାଯିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟ ଲକଡାଉନ୍ ଅପେକ୍ଷା ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନରେ ସରକାରୀ ଓ ବେସରକାରୀ ଅଫିସରେ କର୍ମଚାରୀଙ୍କ ସଂଖ୍ୟା ଆହୁରି କମ୍ ରହିବ । ଏନେଇ ନୂଆ ନିର୍ଦ୍ଦେଶନାମା ଜାରି କରାଯିବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.