ପୋଲିସ ସୁରକ୍ଷା ବଳୟରେ ରଥଖଳା

0 63

ପୁରୀ : ମହାପ୍ରଭୁଙ୍କ ରଥ ନିର୍ମାଣ କାମ ରଥଖଳାରେ ଦୃତ ଗତିରେ ଆଗେଇ ଚାଲିଛି । ରଥଖଳାକୁ କୋଭିଡ଼୍ ସଂକ୍ରମଣରୁ ରକ୍ଷା କରିବା ପାଇଁ ସେଠାରେ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି । ରଥଖଳା ଚର୍ତୁପାଶ୍ୱର୍ରେ ବ୍ୟାରିକେଟ୍ ନିର୍ମାଣ କରାଯାଇଛି । ରଥ ନିର୍ମାଣରେ ନିୟୋଜିତ ସେବାୟତଙ୍କ ବ୍ୟତୀତ ଅନ୍ୟ କାହାରିକୁ ଭିତରକୁ ଛଡାଯାଉନାହିଁ । ଗତ କିଛି ଦିନ ମଧ୍ୟରେ ରଥ କାର୍ଯ୍ୟରେ ନିୟୋଜିତ ହେବାକୁ ଥିବା କିଛି ସେବାୟତ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ରଥ ଖଳା ସୁରକ୍ଷା ସମ୍ପର୍କରେ ଏସପି ଡଃ. କେ.ଭି. ସିଂହ ସମୀକ୍ଷା କରି ଫେରିଛନ୍ତି ।

କେବଳ କରୋନା ନେଗେଟିଭ୍ ଥିବା ସେବାୟତ ରଥଖଳାରେ କାର୍ଯ୍ୟ କରୁଛନ୍ତି – ଜିଲ୍ଲାପାଳ :

ରଥଖଳାରେ ୭୯ ଜଣ ସେବାୟତ କାର୍ଯ୍ୟରତ । ସେମାନଙ୍କ ମଧ୍ୟରୁ ୩୦ ଜଣ ମହାରଣା, ୩୦ ଜଣ ଭୋଇ ସେବାୟତ, ୧୨ ଜଣ କମାର, ୪ ଜଣ କରତିଆ ଓ ୩ ଜଣ ଅନ୍ୟାନ୍ୟ କର୍ମଚାରୀ ନିୟୋଜିତ ହୋଇଛନ୍ତି । 
ଏନେଇ ଅଧିକ ସୂଚନା ଦେଇ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ଯେ, ରଥ ନିର୍ମାଣ କାର୍ଯ୍ୟରେ ଯୋଗଦେବା ପୂର୍ବରୁ ସେବାୟତ ମାନଙ୍କର ଆରଟି-ପିସିଆର ଟେଷ୍ଟିଂ କରାଯାଉଛି । ଯେଉଁ ମାନଙ୍କର ଟେଷ୍ଟିଂ ରିପୋର୍ଟ ନେଗେଟିଭ୍ ଆସୁଛି, ସେମାନଙ୍କୁ ରଥ ଖଳାରେ ନିୟୋଜିତ କରାଯାଉଛି । ଯେଉଁ ମାନଙ୍କର ଟେଷ୍ଟିଂ ରିପୋର୍ଟ ପଜିଟିଭ୍ ଆସୁଛି, ସେମାନଙ୍କୁ କୋଭିଡ଼୍ କେୟାର ସେଂଟରରେ ରଖାଯାଇ ଆବଶ୍ୟକ ଚିକିତ୍ସା କରାଯାଉଛି । କୌଣସି ସଂକ୍ରମିତ ସେବାୟତ ରଥ ଖଳାରେ କାମ କରୁ ନାହାଁନ୍ତି । ରଥ ଖଳା ସଂକ୍ରମିତ ହୋଇନାହିଁ । ଅଧିକାଂଶ ସେବାୟତଙ୍କୁ କରୋନା ଟୀକା ଦିଆଯାଇଛି । ରଥ ଖଳାରେ କରୋନା ଗାଇଡ଼୍ ଲାଇନ୍ ଅନୁଯାୟୀ ସମସ୍ତ କାର୍ଯ୍ୟ ଚାଲୁ ରହିଛି । ପ୍ରଶାସନ ପକ୍ଷରୁ ସେବାୟତ ମାନଙ୍କୁ ଏମ-୯୦ ମାସ୍କ ଯୋଗାଇ ଦିଆଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି ।

ରଥଖଳା ହାଲଚାଲ୍ : ତୁମ୍ବରେ ସୂତା ବାଡିଆ କାର୍ଯ୍ୟ ଜାରୀ :

ରଥଖଳାରେ ଆଜି ଷଷ୍ଠ ଦିନରେ ତିନି ରଥର ବ୍ୟବହୃତ ହେବାକୁ ଥିବା ୪୨ଟି ତୁମ୍ବ ମଧ୍ୟରୁ ୬ଟି ତୁମ୍ବର ଗୋଲେଇ କାର୍ଯ୍ୟ ଶେଷ ହୋଇ ଏଥିରେ ସୂତା ବାଡିଆ କାମ ଜାରୀ ରହିଛି । ସୁରକ୍ଷା ବଳୟରେ ରହିଛି ରଥଖଳା । ମହାରଣା ସେବାୟତ ମାନେ କୋଭିଡ଼୍ କଟକଣା ଅନୁପାଳନ ପୂର୍ବକ ରଥକାମ ଜାରୀ ରଖିଛନ୍ତି । ମୋଟ୍ ୪୨ଟି ତୁମ୍ବ ମଧ୍ୟରୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ୧୬ ଟି ତୁମ୍ବ, ଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ ରଥରେ ୧୪ଟି ତୁମ୍ବ ଓ ମା ସୁଭଦ୍ରାଙ୍କ ଦର୍ପଦଳନ ରଥରେ ୧୨ ଟି ତୁମ୍ବ ବ୍ୟବହୃତ ହେବ । ପ୍ରଥମେ ତୁମ୍ବ କାର୍ଯ୍ୟ ପରେ ଅର ବାଡ଼ିଆ ଓ ପଇ ସଂଯୋଗ ପରେ ରଥରେ ଲାଗିବାକୁ ଥିବା ଚକ ଗୁଡିକ ପ୍ରସ୍ତୁତ ହେବ । ରଥ କାର୍ଯ୍ୟରେ ନିୟୋଜିତ ସେବକ ମାନଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଛି । ରଥ ଖଳାରେ ସାନିଟାଇଜର୍ ବ୍ୟବସ୍ଥା କରାଯାଇଛି । ରଥ କାର୍ଯ୍ୟରେ ନିୟୋଜିତ ସମସ୍ତ ସେବକ ମାସ୍କ ପିନ୍ଧି କୋଭିଡ଼୍ କଟକଣାକୁ ଅନୁପାଳନ କରି କାର୍ଯ୍ୟ ଜାରୀ ରଖିଛନ୍ତି ।

Leave A Reply

Your email address will not be published.