୨୫ରୁ ପ୍ରବଳ ବର୍ଷା ସମ୍ଭାବନା

0 52

– ଉତର ଓଡିଶା – ସୁନ୍ଦରବନ ମଧ୍ୟରେ ସ୍ଥଳଭାଗ ଛୁଇଁପାରେ ସମ୍ଭାବ୍ୟ ବାତ୍ୟା ୟାସ୍ 

ଭୁବନେଶ୍ୱର : ଆଜି ଆଣ୍ଡାମାନ ଓ ଆଖପାଖ ଅଂଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇସାରିଛି । ଆସନ୍ତାକାଲି ସୁଦ୍ଧା ଲଘୁଚାପରେ ପରିଣତ ହେବ । ୨୩ ତାରିଖରେ ଅବପାତର ରୂପ ନେବ ଏବଂ ୨୪ ତାରିଖରେ ବାତ୍ୟାରେ ରୂପାନ୍ତରିତ ହୋଇ ଉତର-ପଶ୍ଚିମ ଦିଗକୁ ଗତି କରିବ । ଏହା ପ୍ରଭାବରେ ୨୫ରୁ ଓଡ଼ିଶା ଉପକୂଳ ଅଂଚଳରେ ବର୍ଷା ଆରମ୍ଭ ହେବ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ।

ସେହିପରି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା କହିଛନ୍ତି ଯେ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି । ପ୍ରାକ୍ ଆକଳନ ଅନୁଯାୟୀ ବାତ୍ୟା ଉତର ଓଡିଶା – ସୁନ୍ଦରବନ ମଧ୍ୟରେ ସ୍ଥଳଭାଗ ଛୁଇଁବ । ତେବେ ତାର ଗତି ଓ ତୀବ୍ରତା କେତେ ହେବ ତାହା ଜଣାପଡିନାହିଁ । ସମ୍ଭାବ୍ୟ ବାତ୍ୟା ସମ୍ପର୍କରେ ଆଇଏମଡି ଡିଜି ଶ୍ରୀ ମହାପାତ୍ର କହିଛନ୍ତି ଯେ ସାଧାରଣତଃ ବାତ୍ୟା ଗତିପଥର ଡାହାଣ ପାର୍ଶ୍ୱରେ ଅଧିକ ପବନ ଓ ବର୍ଷା ହୁଏ । ବାତ୍ୟାର ବାମପଟ ଅର୍ଥାତ୍ ଓଡ଼ିଶା ଉପକୂଳ ଅଂଚଳ ମଧ୍ୟ ପ୍ରଭାବିତ ହେବ । ଉତର ଓଡ଼ିଶା ଓ ପଶ୍ଚିମବଙ୍ଗର କିଛି ଅଂଚଳ ଅଧିକ ପ୍ରଭାବିତ ହେବ । ଅବପାତରେ ପରିଣତ ହୋଇନଥିବାରୁ ଲ୍ୟାଣ୍ଡଫଲ୍ ସ୍ଥାନ ନିରୂପଣ ହୋଇନି ।  ସମ୍ଭାବ୍ୟା ବାତ୍ୟା ନେଇ ଏସଆରସି ଆଜି ଆଇଏମଡି ଓ ଅନ୍ୟାନ୍ୟ ଅଧିକାରୀଙ୍କ ସହ ବୈଠକ କରିଛନ୍ତି । ବୈଠକ ପରେ ଏସଆରସି କହିଛନ୍ତି ଯେ ଆଇଏମଡି ଆକଳନ ଅନୁସାରେ କାଲି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ।

୨୩ରେ ତାହା ଡିପ୍ରେସନ ଓ ୨୪ରେ ବାତ୍ୟାରେ ପରିଣତ ହେବ । ପ୍ରାକ ଆକଳନ ଅନୁସାରେ ଉତର ଓଡ଼ିଶା-ସୁନ୍ଦରବନ ମଧ୍ୟରେ ସ୍ଥଳ ଛୁଇଁବ । ତେବେ ତାହାର ଗତି, ବେଗ, ତୀବ୍ରତା କେତେ ରହିବ ଆଇଏମଡି କହିନି । ତେବେ ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାର ପ୍ରସ୍ତୁତ ରହିଛନ୍ତି । ଓଡ୍ରାଫ, ଅଗ୍ନିଶମ ଏବଂ ଏନଡିଆରଏଫ୍ ଟିମ୍ କୁ ପଠାଯାଉଛି । ଗୁଜରାଟ ଯାଇଥିବା ଏନଡିଆରଏଫ୍ ର ୫ଟି ଟିମ ଆଜି ଫେରି ଆସିବେ ।ସେହିପରି ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଛଡ଼ା ଯାଉନି । ଯେଉଁ ମାଛଧରା ବୋଟ୍‌ରେ ଅଛନ୍ତି, ସେମାନଙ୍କୁ କୋଷ୍ଟଗାର୍ଡ ଫେରାଇ ଆଣୁଛନ୍ତି । ସହରରେ ଲାଗିଥିବା ହାଇମାଷ୍ଟ ଲାଇଟ ତଳକୁ ଖସାଇ ଅଣାଯିବ । ବିଜ୍ଞାପନ ଲାଗିଥିବା ବିଭିନ୍ନ ହୋର୍ଡିଂ ଓ ବୋର୍ଡ ଖୋଲିବାକୁ କୁହାଯାଇଛି । ୨୪ ସୁଦ୍ଧା ନଖୋଲିଲେ ପୌର କର୍ମଚାରୀ ଜୋର କରି ଖୋଲିବେ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.