ସଂକ୍ରମଣ ଓ ମୃତ୍ୟୁରେ ଲାଗୁଛି ବ୍ରେକ୍

0 62

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହର ଏବେ ଧିରେ ଧିରେ ଥମୁଥିବା ଦେଖିବାକୁ ମିଳିଛି । କରୋନା ସଂକ୍ରମିତଙ୍କ ସଂଖ୍ୟା ଏବେ ଦ୍ରୁତ ଗତିରେ କମିବା ଆରମ୍ଭ ହୋଇଯାଇଛି । ତେବେ ଦେଶରେ ମୃତ୍ୟୁସଂଖ୍ୟା ଏବେବି ଚିନ୍ତାଜନକ ରହିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ଭିତରେ ଦେଶରେ ୨,୪୦,୮୪୨ ନୂଆ କରୋନା ମାମଲା ସାମ୍ନାକୁ ଆସିଛି । ସେହିପରି କିଛି ଦିନର ବ୍ୟବଧାନ ପରେ କରୋନା ମୃତ୍ୟୁ ୪ହଜାର ତଳକୁ ଖସିଛି । ଗତ ୨୪ ଘଣ୍ଟାରେ ଦେଶରେ ୩୭୪୧ ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟରେ ଦର୍ଶାଯାଇଛି । କରୋନାର ନୂଆ ମାମଲା ସାମ୍ନାକୁ ଆସିବା ପରେ ଦେଶରେ ଏବେ ସଂକ୍ରମିତଙ୍କ ସଂଖ୍ୟା ୨,୬୫,୩୦,୧୩୨ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ଭିତରେ ଦେଶରେ କରୋନାର ଆକ୍ଟିଭ୍ ମାମଲାରେ ୧.୧୮ ଲକ୍ଷ ହ୍ରାସ ପାଇଛି ଏବଂ ଏବେ ଦେଶରେ ୨୮,୦୫,୩୯୯ ଆକ୍ଟିଭ୍ ମାମଲା ରହିଛି । ଗତ ୧୫ ଦିନ ତଳେ ଦେଶରେ ଆକ୍ଟିଭ୍ ମାମଲା ୩୮ଲକ୍ଷରୁ ଉପରେ ଥିଲା । ସେହିପରି ଗତ ୨୪ ଘଣ୍ଟାରେ ଦେଶରେ ୩.୫୫ ଲକ୍ଷ ଲୋକେ ସୁସ୍ଥ ହୋଇଛନ୍ତି । ଏଥିସହ ଦେଶରେ ଏପର୍ଯ୍ୟନ୍ତ ୨,୩୪,୨୫,୪୬୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ଦେଶରେ କରୋନା ଭାଇରସର ରିକଭରୀ ହାର ୮୮.୩୦ ପ୍ରତିଶତ ହୋଇଛି । ଗତ ୨୪ ଘଣ୍ଟାର ମୃତ୍ୟୁକୁ ମିଶାଇ ଦେଶରେ ଏପର୍ଯ୍ୟନ୍ତ କରୋନାରୋ ୨,୯୯,୨୬୬ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ଏବେ କରୋନା ଭାଇରସ ମୃତ୍ୟୁ ହାର ୧.୧୩ ପ୍ରତିଶତ ହୋଇଛି । ୧୫ ଦିନ ତଳେ ଏହି ହାର ୧.୦୯ ପ୍ରତିଶତ ଥିଲା, କିନ୍ତୁ ଦେଶରେ ଯେଉଁଭଳି ଭାବରେ କରୋନା ସଂକ୍ରମଣ ଲଗାତର କମୁଛି ଏବଂ ଯେଉଁ ଦ୍ରୁତ ଗତିରେ ଲୋକେ ସୁସ୍ଥ ହେଉଛନ୍ତି, ସେହି ଅନୁସାରେ ମୃତ୍ୟୁରେ ବ୍ରେକ୍ ଲାଗୁ ନାହିଁ । ମୃତ୍ୟୁଦର ଘଟିବା ବଦଳରେ ବଢ଼ିବାରେ ଲାଗିଛି । କରୋନା ବିରୋଧରେ ଚାଲିଥିବା ଲଢ଼େଇ ମଧ୍ୟରେ ଟିକାକରଣ ଜାରି ରହିଛି ଏବଂ ଦେଶରେ ଏପର୍ଯ୍ୟନ୍ତ ୧୯.୫୦ କୋଟି ଲୋକଙ୍କୁ ଟିକା ଦିଆଯାଇଛି । ତେବେ କିଛିଦିନ ହେବ ଟିକାକରଣରେ ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ଦେଶରେ ୧୬.୦୪ ଲକ୍ଷ ଲୋକଙ୍କୁ ଟିକା ଲଗାଯାଇଛି । ଦେଶରେ ଏପର୍ଯ୍ୟନ୍ତ ୪.୩୦ କୋଟି ଲୋକଙ୍କୁ ହିଁ ଦୁଇଟି ଯାକ ଡୋଜ୍ ଦିଆଯାଇଥିବା ବେଳେ ୧୫.୨୦ କୋଟି ଲୋକଙ୍କୁ ପ୍ରଥମ ଡୋଜ୍ ମିଳିଛି ।

Leave A Reply

Your email address will not be published.