ବନ୍ଦ ହେବନି ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା

69

ନୂଆଦିଲ୍ଲୀ : କରୋନା ଭାଇରସ୍ ପ୍ରକୋପକୁ ଦେଖି ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସ୍ଥଗିତ କରାଯାଇଥିଲା । ପରୀକ୍ଷା ହେବ କି ନାହିଁ ଛାତ୍ରଛାତ୍ରୀ ଅପେକ୍ଷା କରିଥିଲେ । ଅନ୍ୟପଟେ ଏହାକୁ ନେଇ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରର ବଡ଼ ବଡ଼ ମନ୍ତ୍ରୀଙ୍କ ଗହଣରେ ବୈଠକ ହୋଇଛି । ଭିଡିଓ କନଫରେନ୍ସିଂରେ ଆୟୋଜିତ ବୈଠକରେ ଅନେକ ରାଜ୍ୟ ଦ୍ୱାଦଶ ପରୀକ୍ଷାକୁ ନେଇ ନିଜ ନିଜର ରାୟ ରଖିଛନ୍ତି । ଆଜିର ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଅଧ୍ୟକ୍ଷତା କରିଥିବା ବେଳେ ରମେଶ ପୋଖରିଆଲ ନିଶଙ୍କଙ୍କ ସମେତ ଅନ୍ୟ କେନ୍ଦ୍ରମନ୍ତ୍ରୀ ସାମିଲ ହୋଇଥିଲେ ।

ମିଳିଥିବା ସୂଚନା ଅନୁସାରେ ସିବିଏସଇ ପକ୍ଷରୁ ପରୀକ୍ଷା ତାରିଖ ଜୁନ ପହିଲାରେ ଘୋଷଣା ହେବ । ଏହି ବୈଠକ ଦ୍ୱାଦଶ ପରୀକ୍ଷା ଏବଂ ପ୍ରବେଶିକା ପରୀକ୍ଷାକୁ ନେଇ ଆୟୋଜନ ହୋଇଥିଲା । ଏଥିରେ କେନ୍ଦ୍ର ସରକାର ଦୁଇଟି ପ୍ରସ୍ତାବ ରଖିଥିବା ବେଳେ ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ପାଇଁ ଦୁଇଟି ବିକଳ୍ପ ପ୍ରସ୍ତାବ ମଧ୍ୟ ରଖିଛି । ଏହାସହ ରାଜ୍ୟ ବୋର୍ଡ ପରୀକ୍ଷାକୁ ନେଇ ନିଜେ ନିଷ୍ପତ୍ତି ନେଇପାରିବେ ବୋଲି ବୈଠକରେ ସ୍ଥିର ହୋଇଛି । ସୂଚନାନୁସାରେ, ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ହେବ । ପରୀକ୍ଷା ଆୟୋଜନ କେଉଁ ଫର୍ମାଟ୍ରେ କେବେ ଓ କେମିତି ହେବ ଏନେଇ ଜୁନ ୧ରେ ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ସୂଚନା ଦେବେ ।

ଏହା ସହ ସବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ନେଇ ତାରିଖ ଘୋଷଣା କରାଯିବ । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ପ୍ରସ୍ତାବ ଦେଇଛି ଯେ, କେବଳ ପ୍ରମୁଖ ବିଷୟ ପାଇଁ ଦ୍ୱାଦଶ ପରୀକ୍ଷା ଆୟୋଜିତ ହେବ । ବୋର୍ଡ ଦ୍ୱାଦଶ ପରୀକ୍ଷା ପାଇଁ ୧୭୪ଟି ବିଷୟରେ ପରୀକ୍ଷା ଆଯୋଜନ ହୋଇଥାଏ । ଏଥିରୁ ୨୦ଟି ବିଷୟକୁ ବୋର୍ଡ ଗୁରୁତ୍ୱୂର୍ଣ୍ଣ ଭାବେ ଗ୍ରହଣ କରେ । ଏଥିରେ ଫିଜିକ୍ସ, କେମିଷ୍ଟ୍ରି, ଗଣିତ, ଜୀବବିଜ୍ଞାନ, ଇତିହାସ, ରାଜନୀତି ବିଜ୍ଞାନ, ଭୂଗୋଳ, ଅର୍ଥଶାସ୍ତ୍ର, ଇଂରାଜୀ ଆଦି ସାମିଲ । ଗୁରୁତ୍ୱୂର୍ଣ୍ଣ ବିଷୟ ପରୀକ୍ଷା କରିବାକୁ ବୋର୍ଡ କେନ୍ଦ୍ରକୁ ଦୁଇଟି ବିକଳ୍ପ ପ୍ରସ୍ତାବ ଦେଇଛି ।

ଅନ୍ୟପଟେ ବୋର୍ଡର ପ୍ରସ୍ତାବ ଅନୁସାରେ ଗୁରୁତ୍ୱ ପୂର୍ଣ ବିଷୟରେ ପିଲାମାନେ ନିଜ ସ୍କୁଲରେ ବସି ପରୀକ୍ଷା ଦେଇପାରିବେ । ନିଜ ସ୍କୁଲରେ ପରୀକ୍ଷା ଆୟୋଜନ ହେଲେ ୩ ଘଣ୍ଟା ପରିବର୍ତ୍ତେ ଦେଢ ଘଣ୍ଟାରେ ପରୀକ୍ଷା ଶେଷ ହୋଇପାରିବ ବୋଲି ବୋର୍ଡ କହିଛି । ତେବେ ଏଥିାଇଁ ଛାତ୍ରଛାତ୍ରୀ ୩ କିମ୍ବା ୪ଟି ବିଷୟ ବାଛିପାରିବେ । ଯଦି ଦ୍ୱିତୀୟ ବିକଳ୍ପ ଅନୁସାରେ ପରୀକ୍ଷା ହୁଏ ତେବେ ପ୍ରଶ୍ନତ୍ରରେ ଅବଜେକ୍ଟିଭ୍ ପ୍ରଶ୍ନ ସାମିଲ କରାଯିବ । ବିକଳ୍ପ ବିଷୟର ମାର୍କ ଅନୁସାରେ ପଞ୍ଚମ ଏବଂ ଷଷ୍ଠ ବିଷୟର ମାର୍କ ଧାର୍ଯ୍ୟ କରାଯିବ । ସୂଚନା ଅନୁଯାୟୀ, ଆଜିର ଏହି ବୈଠକରେ ଦ୍ୱାଦଶ ବୋର୍ଡ ପରୀକ୍ଷା କରାଇବା ସପକ୍ଷରେ ନାହାନ୍ତି ବୋଲି ଦିଲ୍ଲୀ ସରକାର କହିଛନ୍ତି । ଏହା ସହ ବୈଠକରେ କୁହାଯାଇଛି, ରାଜ୍ୟ ବୋର୍ଡ ନିଜ ଅନୁସାରେ ପରୀକ୍ଷାକୁ ନେଇ ନିଷ୍ପତ୍ତି ନେଇପାରିବେ । କିନ୍ତୁ ସିବିଏସଇ, ନିଟ୍ ଏବଂ ଜେଇଇ ପରୀକ୍ଷା ହେବ ।

Comments are closed.