ପଡିଆରେ କାଳବୈଶାଖୀର ତାଣ୍ଡବ, ୪୦ରୁ ଉର୍ଦ୍ଧ ଘର ଭାଙ୍ଗି ନଷ୍ଟ

65

ମାଲକାନଗିରି : ରବିବାର ଅପରାହ୍ଣ ସମୟରେ ଆସିଥିବା କାଳ ବୈଶାଖୀରେ ମାଲକାନଗିରି ଜିଲ୍ଲା ସୀମାବର୍ତ୍ତୀ ପଡିଆ ବ୍ଳକରେ ବ୍ୟାପକ କ୍ଷୟକ୍ଷତି ଦେଖିବାକୁ ମିଳିଛି । ମାତ୍ର କେଇ ମୁହୂର୍ତ୍ତ ଧରି ପ୍ରବାହିତ କାଳ ବୈଶାଖୀର ତାଣ୍ଡବରେ ପ୍ରାୟ ୪୦ ରୁ ଉର୍ଦ୍ଧ୍ବ ବାସଗୃହ, ଦୋକାନ ଘର ଭାଙ୍ଗିବା ସହ ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ପଡ଼ିଥିବା ଦେଖିବାକୁ ମିଳିଛି । ପଡିଆ ମୁଖ୍ୟ ବଜାରରେ ଥିବା ରୁଞ୍ଜା ମାଧବ, ଆଦି ଆନନ୍ଦ ରାଓ, ଦିଲୀପ ମଣ୍ଡଲ, ନାକା ରତ୍ନାୟା, ଗୁଣ୍ଡାମ ଜାନବାବୁ, ଚୀନାମ ଶୋଭାନ, ୱାନ୍ତାଲ ରତ୍ନାବଳି, ୱାନ୍ତାଲ ଅବଦିନିକ, ପନ୍ଦି ମଣିକୁମାରୀ, ଚୀନାମ ପ୍ରଭାକର, ଚୀନାମ ଦେବେନ୍ଦ୍ର ରାଜୁ, କୋଡ଼ି ରାଜକୁମାର, ଚୀନାମ ମଶେ, ପେଦି ବିଜୟ, ବାତିନ ଦେବଦାନମଙ୍କ ଘର ଛପର ଉଡିବା ସହ କେତେକଙ୍କ ଘର ସମୁର୍ଣ୍ଣ ଭାଙ୍ଗି ଯାଇଛି ।

ଏଥିସହ ପଡିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଲାଗିଥିବା ବିଭିନ୍ନ ବୈଦ୍ୟୁତିକ ସମାଗ୍ରୀ ଭାଙ୍ଗିଯିବା ସହ କର୍ମଚାରୀଙ୍କ କୋଠରୀ ଉପରେ ଗଛ ଭାଙ୍ଗି ପଡ଼ିଥିବା ଦେଖିବାକୁ ମିଳିଛି । ସେହିପରି ପଡିଆ ରାଜସ୍ୱ କାର୍ଯ୍ୟାଳୟ ସମ୍ମୁଖରେ ଥିବା ବିଶାଳ ଗଛ ଭାଙ୍ଗିଯାଇ କାର୍ଯ୍ୟାଳୟ ଉପରେ ପଡିଯାଇ ଥିବା ବେଳେ କେଇ ମୁହୂର୍ତ୍ତ ପାଇଁ ହୋଇଥିବା ବର୍ଷା ଯୋଗୁଁ ପଡିଆ ବଜାରରେ ନାଳ ନର୍ଦ୍ଦମାର ଆବର୍ଜନା କୁଢ କୁଢ ହୋଇ ରାସ୍ତାରେ ଗଦା ହୋଇଥିବା ଦେଖିବାକୁ ମିଳିଛି । ପଡିଆ – ଏମପିଭି ୬୬ ରାସ୍ତା ସମେତ ବିଭିନ୍ନ ସ୍ଥାନରେ ଗଛ ପଡି ଯାତାୟତ ବନ୍ଦ ହୋଇପଡିଛି ।  ପଡିଆ ଅଗ୍ନିଶମ ଅଧିକାରୀ ଶିଶିରକାନ୍ତ ସିଂ ଓ ବିରେନ୍ଦ୍ର ସିଂ ଙ୍କ ନେତୃତ୍ଵରେ ଟିମ ବିଭିନ୍ନ ସ୍ଥାନରେ ଭାଙ୍ଗି ପଡ଼ିଥିବା ଗଛ କୁ କାଟି ସଫା କରିଥିଲେ । ଅନ୍ୟପଟେ ରାଜସ୍ଵ ବିଭାଗ ପକ୍ଷରୁ  ମଧ୍ୟ କ୍ଷୟକ୍ଷତି ଅକଳନ କରାଯାଉଥିବା ଜଣାପଡ଼ିଛି। କରୋନା କାଳରେ ଏଭଳି କାଳ ବୈଶାଖୀର ତାଣ୍ଡବରେ ଉଜୁଡ଼ି ପଡିଥିବା ପଡିଆ କୁ ତୁରନ୍ତ ସଜାଡ଼ିବା ସହ ପିଡିତଙ୍କୁ ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବାକୁ ବିଭିନ୍ନ ମହଲରେ ଦାବୀ ହୋଇଛି ।

Comments are closed.