ମୋହନାରେ ସମ୍ପୂର୍ଣ୍ଣ କୋଭିଡ୍ ହସ୍ପିଟାଲ କାର୍ଯ୍ୟକ୍ଷମ ପାଇଁ ଦାବି

0 71

ପାରଳାଖେମୁଣ୍ଡି, ୨୪ା୫ : ଗଜପତି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ମୋହନା ବ୍ଲକ ସମଗ୍ର ରାଜ୍ୟରେ ଦ୍ୱିତୀୟ ସର୍ବବୃହତ ବ୍ଲକ ଭାବେ ପରିଗଣିତ ହେଉଥିବା ବେଳେ ଜିଲ୍ଲାରେ ଏହା ବୃହତ୍ତର ବ୍ଲକ ଅଟେ । ୩୯ଗୋଟି ବନପାହାଡ ଘେରା ପଞ୍ଚାୟତକୁ ନେଇ ୫୦ହଜାରରୁ ଉର୍ଦ୍ଧ ଲୋକେ ବସବାସ କରନ୍ତି । ବର୍ତ୍ତମାନ କୋରନାର ଦ୍ୱିତୀୟ ଲହରୀ ସମଗ୍ର ଜିଲ୍ଲାକୁ କବଳିତ କରିଥିବା ବେଳେ ମୋହନା ବ୍ଲକ ମଧ୍ୟ ଏଥିରୁ ବାଦ ପଡିନି । ବିଶେଷ କରି ମୋହନା ବ୍ଲକକୁ ପ୍ରବାସୀ ତଥା ଅନ୍ୟରାଜ୍ୟ ଫେରନ୍ତା ଶ୍ରମିକମାନେ ଦୈନନ୍ଦିନ ଫେରୁଛନ୍ତି । ଫଳରେ ଏହି ଅଞ୍ଚଳରେ କୋଭିଡ୍ ମାମଲା ଦିନକୁ ଦିନ ବୃଦ୍ଧି ପାଉଛି । ମୋହନା ବ୍ଲକର କାଳିଆପେଟା ଠାରେ କୋଭିଡ୍ କେୟାର ସେଣ୍ଟର ରହିଥିଲେ ମଧ୍ୟ ଏଥିରେ ଭେଣ୍ଟିଲେଟର ତଥା ଆଇସିୟୁ ସମେତ ଅନ୍ୟାନ୍ୟ ଆନୁସାଙ୍ଗିକ ବ୍ୟବସ୍ଥା ନାହିଁ । ଯଦ୍ୱାରାକି ଏଠାରେ ସମ୍ପୂର୍ଣ୍ଣ ପୂର୍ଣ୍ଣାଙ୍ଗ ହସ୍ପିଟାଲ ନାହିଁ । ତେଣୁ ଏହି ଅଞ୍ଚଳର କୋଭିଡ ଜନିତ ଗୁରୁତର ରୋଗୀଙ୍କୁ ପାରଳାଖେମୁଣ୍ଡି ସହର ନିକଟସ୍ଥ ଆର୍.ସୀତାପୁର କୋଭିଡ ହସ୍ପିଟାଲ ନଚେତ ଗଂଜାମ ଜିଲ୍ଲାର ବ୍ରହ୍ମପୁର ସହରକୁ ନେବାକୁ ପଡୁଛି । ଯାହାକି ଉଭୟ ସହର ମୋହନା ଠାରୁ ବହୁ କିଲୋମିଟର ଦୂରରେ ଅବସ୍ଥିତ ବୋଲି ଏନ୍ସିଡିସିର ସଭାପତି ପ୍ରଫୁଲ କୁମାର ଲିମ୍ମାଙ୍କ ସମେତ ଅଞ୍ଚଳବାସୀ ଜଣାଇଛନ୍ତି । ଏନେଇ ଏମାନେ ମୋହନା ତହସିଲଦାରଙ୍କ ଜରିଆରେ ଏକ ସ୍ମାରକପତ୍ର ଗଜପତି ଜିଲ୍ଲାପାଳଙ୍କୁ ପ୍ରେରଣ କରିଛନ୍ତି । ଏଥି ସହ ବ୍ରହ୍ମପରୁ ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ଉଦ୍ଦେଶ୍ୟରେ ମଧ୍ୟ ଏକ ନିବେଦନପତ୍ର ପ୍ରଦାନ କରିଛନ୍ତି । ଏମାନେ ସାଂସଦ ଓ ଗଜପତି ଜିଲ୍ଲାପାଳଙ୍କୁ ତୁରନ୍ତ ପୂର୍ଣ୍ଣାଙ୍ଗ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ପାଇଁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.