ବାତ୍ୟା ‘ୟାସ୍‌’ ମୁକାବିଲା ନିମନ୍ତେ ସଶସ୍ତ୍ର ସେନା ପ୍ରସ୍ତୁତ

70

ନୂଆଦିଲ୍ଲୀ :  ଆସନ୍ତା ୨୬ତାରିଖ ଦିନ ପୂର୍ବ ଉପକୂଳରେ ମାଡ ହେବାକୁ ଥିବା ସମ୍ଭାବ୍ୟ ବାତ୍ୟା ‘ୟାସ’ ପ୍ରଭାବର ମୁକାବିଲା ନିମନ୍ତେ ସଶସ୍ତ୍ର ସେନା ପ୍ରସ୍ତୁତି ଆରମ୍ଭ କରିଦେଇଛି । ଭାରତୀୟ ବାୟୁସେନା ଦ୍ୱାରା ୯୫୦ଜଣ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ(ଏନଡିଆରଏଫ) ଯବାନ ଓ ୭୦ଟନ୍ ଓଜନର ସାମଗ୍ରୀ ସହ ଜାମନଗର, ବାରଣାସୀ, ପାଟନା ଓ ଆରାକୋନ୍ନମରୁ କୋଲକାତା, ଭୁବନେଶ୍ୱର ଓ ପୋର୍ଟ ବ୍ଲେୟାରରେ ୧୫ଟି ପରିବହନ ଏୟାରକ୍ରାଫ୍ଟ ଦ୍ୱାରା ଆଜି ସୁଦ୍ଧା ପହଂଚାଯାଇଛି । ୧୬ଟି ପରିବହନ ଏୟାରକ୍ରାଫ୍ଟ ଓ ୨୦ଟି ହେଲିକପ୍ଟର ତତ୍କାଳ ମୁତୟନ ପାଇଁ ସଜାଗ ରହିଛନ୍ତି । ପଶ୍ଚିମାଞ୍ଚଳରେ ମାନବିକ ସହାୟତା ଓ ବିପର୍ଯ୍ୟୟ ପ୍ରଶମନ କାର୍ଯ୍ୟରେ ନିୟୋଜିତ ଭାରତୀୟ ନୌସେନାର ଦଶଟି ଏଚଏଡିଆର ଦଳକୁ ଭୁବନେଶ୍ୱର ଓ କୋଲକାତା ପଠାଇଥିବାବେଳେ ୫ଟି ମାନବିକ ସହାୟତା ଓ ବିପର୍ଯ୍ୟୟ ପ୍ରଶମନ (ଏଚଏଡିଆର)ଦଳ ପୋର୍ଟବ୍ଲେୟାରରେ ପ୍ରସ୍ତୁତ ଅଛନ୍ତି । ପୂର୍ବ ନୌକମାଣ୍ଡ, ଆଣ୍ଡାମାନ ଓ ନିକୋବର କମାଣ୍ଡର ଆଠଟି ଜାହାଜ ସମ୍ଭାବ୍ୟ କ୍ଷତିଗ୍ରସ୍ତ ଲୋକଙ୍କ ସାହାଯ୍ୟ ପାଇଁ ପ୍ରସ୍ତୁତ ରହିଛନ୍ତି । ଚାରିଟି ବୁଡାଳୀ ଓ ଦଶଟି ବନ୍ୟା ସହାୟତାକାରୀ ଦଳ କୋଲକାତା, ଭୁବନେଶ୍ୱର ଓ ଚିଲିକାରେ ଡେରା ପକାଇଛନ୍ତି । ପ୍ରଶାସନରୁ ସୂଚନା ପାଇବାମାତ୍ରେ ସେମାନେ ସହାୟତା କାର୍ଯ୍ୟରେ ଲାଗିଯାଇପାରିବେ ।

 ଯେକୌଣସି ବିପତ୍ତିର ମୁକାବିଲା ନିମନ୍ତେ ସାତୋଟି ବନ୍ୟା ରିଲିଫ ଦଳ ଓ ଦୁଇଟି ବୁଡାଳୀ ଦଳ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ବିଭିନ୍ନ ସ୍ଥାନରେ ମୁତୟନ ଅଛନ୍ତି । ଆବଶ୍ୟକସ୍ଥଳେ ଉଦ୍ଧାର ଓ ଖୋଜ ପାଇଁ ବିଶାଖାପାଟନମ୍ ଓ ପୋର୍ଟବ୍ଲେୟାର ଠାରେ ନୌସେନା ଏୟାରକ୍ରାଫ୍ଟ ଓ ହେଲିକପ୍ଟର ମଧ୍ୟ ପ୍ରସ୍ତୁତ ଅଛନ୍ତି। ବେସାମରିକ ପ୍ରଶାସନର ବରାଦ କ୍ରମେ ଭାରତୀୟ ସଶସ୍ତ୍ର ସେନାର ଆଠଟି ଉଦ୍ଧାରକାରୀ ଦଳ ଓ ତିନିଟି ଇଞ୍ଜିନିୟର ଟାସ୍କଫୋର୍ସ ସାହାଯ୍ୟ ପାଇଁ ପ୍ରସ୍ତୁତ ଅଛନ୍ତି । ସଶସ୍ତ୍ର ସେନା ସମ୍ଭାବ୍ୟ କ୍ଷତିଗ୍ରସ୍ତ ହେବାକୁ ଥିବା ରାଜ୍ୟଗୁଡିକର ବେସାମରିକ ପ୍ରଶାସନିକ କଳ ସହ ଯୋଗାଯୋଗରେ ଅଛନ୍ତି । କୋଭିଡ-୧୯ ହସ୍‌ପିଟାଲଗୁଡିକୁ ଔଷଧପତ୍ର ଓ ଅମ୍ଳଜାନ ବିନା ବାଧାରେ ପହଂଚାଇବା ପାଇଁ ସଡକ ଓ ରେଳ ଯୋଗାଯୋଗ ନେଇ ମଧ୍ୟ ସଶସ୍ତ୍ର ସେନା ବେଶ୍ ଅବଗତ ଅଛନ୍ତି । ସେ ଦୃଷ୍ଟିରୁ ସଶସ୍ତ୍ର ସେନା ସମ୍ଭାବ୍ୟ ବାତ୍ୟାର ପ୍ରଭାବକୁ ପ୍ରତିହତ କରିବା ସହ ଧନଜୀବନ ରକ୍ଷା ଓ ନାଗରିକମାନଙ୍କ ମନରେ ସାହାସ ସଂଚାର ପାଇଁ ପ୍ରସ୍ତୁତ ହୋଇରହିଛି ।

Comments are closed.