ସ୍ଥଳ ଭାଗକୁ ମୁହାଁଇଲା ୟଶ୍ : ଆଜିଠୁ ପ୍ରବଳ ବର୍ଷା ଓ ପବନ

58

-ବୁଧବାର ମଧ୍ୟାହ୍ନରେ ଲ୍ୟାଣ୍ଡଫଲ୍
-୪ ଜିଲ୍ଲା ଅଧିକ କ୍ଷତିଗ୍ରସ୍ତ ସମ୍ଭାବନା
-୨ରୁ ୪ ମିଟର ଉଠିବ ଜୁଆର

ଭୁବନେଶ୍ୱର : ବାତ୍ୟା ୟଶ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଏସ୍ଆରସି ପ୍ରଦୀପ ଜେନା । ୟଶ୍ର ଗତିପଥ ଏବଂ ବେଗକୁ ନେଇ ଶ୍ରୀ ଜେନା କହିଛନ୍ତି ଯେ, ବାତ୍ୟା ୟଶ୍ ୨୬ ତାରିଖରେ ସ୍ଥଳଭାଗ ଛୁଇଁପାରେ । ଏନେଇ କାଲିଠାରୁ ପବନର ବେଗ ବଢିବା ସହ ବର୍ଷା ମଧ୍ୟ ହେବ । ଏପରି ସ୍ଥିତିରେ କିଭଳି ସାଧାରଣ ଧନ ଜୀବନ ସୁରକ୍ଷିତ ରହିବେ ସେନେଇ ଜନସାଧରଣଙ୍କୁ ସତର୍କ କରିଛନ୍ତି ଏସ୍ଆରସି ।

ବାତ୍ୟା ୟଶ୍ ବାଲେଶ୍ୱର ପାଖାପାଖି ସ୍ଥାନରେ ସ୍ଥଳଭାଗ ଛୁଇଁପାରେ ବୋଲି ସୂଚନା ଦେଇଛନ୍ତି ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ୨୬ ତାରିଖ ୧୧ଟାରୁ ୨ଟା ମଧ୍ୟରେ ସ୍ଥଳଭାଗ ଛୁଇଁପାରେ ୟଶ୍ । ବାତ୍ୟା ପ୍ରଭାବରେ ୪ ଜିଲ୍ଲା ବିଶେଷ ଭାବେ ପ୍ରଭାବିତ ହେବ । ସେଗୁଡ଼ିକ ହେଉଛି ବାଲେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡା ଓ ଭଦ୍ରକ ଜିଲ୍ଲା । ପାଣିପାଗ ବିଭାଗର ସୂଚନା ଅନୁଯାୟୀ ୟଶ୍ ଏବେ ପାରାଦୀପ ଠାରୁ ୪୯୦ କିମି ଦୂରରେ ରହିଛି । ଘଣ୍ଟାକୁ ୫ରୁ ୭ କିମି ବେଗରେ ଉପକୂଳ ଆଡକୁ ମାଡିଆସୁଥିବା ବେଳେ ୨୬ ତାରିଖରେ ଏହା ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି ।

୪ଟି ଜିଲ୍ଲାରେ ଅଧିକ କ୍ଷୟକ୍ଷତି ହେବାର ସମ୍ଭାବନା ରହିଥିବାରୁ ଲୋକମାନଙ୍କୁ ସତର୍କ କରାଯାଇଛି । ଲ୍ୟାଣ୍ଡଫଲ ବେଳେ ୨ରୁ ୪ ମିଟର ଜୁଆର ସମୁଦ୍ରରେ ଉଠିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଥିବା ବେଳେ ଆସନ୍ତାକାଲିଠାରୁ ବର୍ଷା ଓ ପବନର ବେଗ ବଢ଼ିବ ବୋଲି ସ୍ପଷ୍ଟ କରିଛି । ବିଶେଷକରି ୨୫ରାତିରୁ ୨୬ତାରିଖ ରାତି ମଧ୍ୟରେ ପବନର ବେଗ ଘଣ୍ଟା ପ୍ରତି ୧୨୦ରୁ ୧୭୫ କିମି ହେବାର ସମ୍ଭାବନା ମଧ୍ୟ ରହିଛି ।

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍ :

ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ମେ ୩୧ଯାଏ ରାଜ୍ୟର ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ହେଡ୍ କ୍ୱାର୍ଟର୍ସ ଛାଡ଼ି ନଯିବା ଲାଗି ସବୁ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଛୁଟି ନେଇଥିବା କର୍ମଚାରୀଙ୍କ ଛୁଟି ମଧ୍ୟ ବାତିଲ୍ କଲେ ସରକାର । ଛୁଟିରେ ଥିବା କର୍ମଚାରୀଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ୨୬ ତାରିଖ ମଧ୍ୟାହ୍ନରେ ବାତ୍ୟା ୟଶ୍ ସ୍ଥଳଭାଗକୁ ଛୁଇଁବ । ପାରାଦୀପ-ସାଗରଦ୍ୱୀପ ମଝିରେ
ବାଲେଶ୍ୱର ପାଖାପାଖରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ୟଶ୍ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ.ଆର.ବିଶ୍ୱାସ । ବାତ୍ୟା ଲ୍ୟାଣ୍ଡଫଲ୍ ପୂର୍ବରୁ ଅର୍ଥାତ ୨୫ ତାରିଖରୁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ମୟୂରଭଞ୍ଜ, ଢେଙ୍କାନାଳ,ଗଞ୍ଜାମ, କଟକ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାନା ରହିଛି ।

ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ :

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ୟଶ୍କୁ ଦୃଷ୍ଟିରେ ରଖି ରାଜ୍ୟ ନଗର ଉନ୍ନୟନ ବିଭାଗ ପକ୍ଷରୁ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି । ଏହି କଣ୍ଟ୍ରୋଲ ରୁମ୍ ଭୁବନେଶ୍ୱରସ୍ଥିତ ରାଜ୍ୟ ସହରାଞ୍ଚଳ ବିକାଶ ଏଜେନ୍ସୀ(ଏସ୍ୟୁଡିଏ) ଅଫିସ ପରିସରରେ ଆସନ୍ତାକାଲିଠୁ କାର୍ଯ୍ୟ କରିବ । ବିଭାଗର ଯୁଗ୍ମ ସଚିବ ପ୍ରଭାତ କୁମାର ମହାପାତ୍ର, ଉପସଚିବ ସନ୍ତୋଷ କୁମାର ଦାଶ ଏହି କଣ୍ଟ୍ରୋଲ ରୁମର ଦାୟିତ୍ୱରେ ରହିବେ । ବାତ୍ୟାଜନିତ ସମସ୍ୟାକୁ ନେଇ ଲୋକେ ଏହି କଣ୍ଟ୍ରୋଲ ରୁମ୍ ନମ୍ବର ୦୬୭୪-୨୪୩୨୩୧୭, ୨୪୩୨୪୧୮କୁ ଯୋଗାଯୋଗ କରିପାରିବେ ।

ଏହି କଣ୍ଟ୍ରୋଲ ରୁମରେ ମଧ୍ୟ ଅନ୍ୟ ୬ଜଣ ଅଫିସର ଯଥା- ଶୁଭ୍ରାଂଶୁ ଶେଖର ପହି, ମଦନମୋହନ ଜେନା, ସର୍ବେଶ ମହାପାତ୍ର, ଆଶୁତୋଷ ନନ୍ଦ, କୁଳମଣି ଦାସ ଓ ସୁଭାଶିଷ ଶତପଥୀଙ୍କୁ ସେହି କଣ୍ଟ୍ରୋଲ ରୁମ୍ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ଏହି ଅଫିସରମାନଙ୍କ ଫୋନ ନମ୍ବର ମଧ୍ୟ ସାର୍ବଜନୀନ କରାଯାଇଛି । ସହରାଞ୍ଚଳଗୁଡ଼ିକରେ ବାତ୍ୟାଜନିତ ସମସ୍ୟା ଉପୁଜିଲେ ଏହି କଣ୍ଟ୍ରୋଲ ରୁମ୍ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି ।

ସେହିପରି ବାଲେଶ୍ୱର ଜିଲ୍ଲାରେ ଅଧିକ ସମ୍ଭାବନା ଥିବାରୁ ନଗର ଉନ୍ନୟନ ବିଭାଗ ପକ୍ଷରୁ ବାଲେଶ୍ୱର ମ୍ୟୁନିସିପାଲିଟି ପାଇଁ ଗିରିଜା ଶଙ୍କର ମଲ୍ଲିକ, ସମ୍ବିତ ଦାସ, ବିଶ୍ୱମ୍ଭର ମିଶ୍ର, ସେହିପରି ଜଳେଶ୍ୱର ମ୍ୟୁନିସିପାଲିଟି ପାଇଁ ଆଲୋଚନା ରଞ୍ଜନ ସାମନ୍ତରାୟ, ସିଦ୍ଧାର୍ଥ ପଟ୍ଟନାୟକ ଏବଂ ବାରିପଦା ମ୍ୟୁନିସିପାଲିଟି ପାଇଁ ସୂର୍ଯ୍ୟଣମି ପାଟ୍ଟଯୋଶୀ, ବଳଦେବ ବେହେରା ଓ ସୂର୍ଯ୍ୟାଂଶୁ ରାଉତଙ୍କୁ ସ୍ୱତନ୍ତ୍ର ଭାବେ ବାତ୍ୟାଜନିତ ସମସ୍ୟାର ତଦାରଖ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ଏହି ସମସ୍ତ ଅଫିସର ଅନ୍ୟ ଭାଗରେ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କାରୁଛନ୍ତି ।

ମୁକାବିଲା ଦାୟିତ୍ୱରେ ବରିଷ୍ଠ ଅଧିକାରୀ :

ବାତ୍ୟା ୟଶ୍ ନେଇ ପ୍ରସ୍ତୁତି ଜୋରଦାର କରିଛନ୍ତି ରାଜ୍ୟ ସରକାର । ସର୍ବାଧିକ ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକାରେ ବାତ୍ୟା ମୁକାବିଲା ସମ୍ପର୍କିତ ପ୍ରସ୍ତୁତି ଓ ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟର ତଦାରଖ ନେଇ ୫ ବରିଷ୍ଠ ଆଇଏଏସ୍ଙ୍କୁ ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କେନ୍ଦ୍ରାପଡ଼ା ପାଇଁ ହେମନ୍ତ ଶର୍ମା, ଜଗତସିଂହପୁର ପାଇଁ ଶାଶ୍ୱତ ମିଶ୍ର, ଭଦ୍ରକ ପାଇଁ ଭି.ଭି.ଯାଦବ, ବାଲେଶ୍ୱର ପାଇଁ ବିଶାଲ ଦେବ ଓ ମୟୂରଭଞ୍ଜ ପାଇଁ ସୁରେଶ ବସ୍ତିଆଙ୍କୁ ମିଳିଛି ଦାୟିତ୍ୱ । ଏମାନେ ସମ୍ପୃକ୍ତ
ଜିଲ୍ଲାରେ ବାତ୍ୟା ମୁକାବିଲା ପ୍ରସ୍ତୁତିର ତଦାରଖ କରିବେ ।

Comments are closed.