ମେହୁଲକୁ ସିଧା ଭାରତ ପଠାଇ ଦିଅ : ଗୋଷ୍ଟନ ବ୍ରାଉନି

0 61

ଡୋମିନିକା, ୨୭ ।୫: ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସି ବିରୋଧରେ ଗ୍ଲାବାଲ ଇଣ୍ଟରପୋଲ୍ ରେଡ୍ କର୍ଣ୍ଣର ନୋଟିସ ଜାରି କରିଥିଲା । ଏହାପରେ ବି ଆଣ୍ଟିଗୁଆରୁ ଡୋମିନିକା ଫେରାର ହୋଇଯାଇଥିଲା ଏହି ହୀରା ବ୍ୟବସାୟୀ । ଡୋମିନିକାରେ ସିଆଇଡି ଦ୍ୱାରା ଗିରଫ ହେବା ପରେ ଆଣ୍ଟିଗୁଆ ସରକାର ମେହୁଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି । ଆଣ୍ଟିଗୁଆ ପ୍ରଧାନମନ୍ତ୍ରୀ ଗୋଷ୍ଟନ ବ୍ରାଉନି କହିଛନ୍ତି ମେହୁଲ୍ ଡୋମିନିକାକୁ ଫେରାର ହେବାକୁ ପ୍ରୟାସ କରି ଭୁଲ୍ କରିଛନ୍ତି । ସେଥିପାଇଁ ସେ ଦଣ୍ଡ ଭୋଗିବା ଦରକାର ବୋଲି କହିଛନ୍ତି । ଡୋମିନିକା ସରକାରକୁ ସେ ଅପିଲ୍ କରିଛନ୍ତି ଯେ ବେଆଇନ୍ ଭାବରେ ମେହୁଲ ଫେରାର ହେବାକୁ ପ୍ରୟାସ କରିଛି । ତେଣୁ ମେହୁଲକୁ ସିଧା ଭାରତ ପ୍ରତ୍ୟର୍ପଣ କରିବା ଦରକାର । ସୂଚନାଯୋଗ୍ୟ, ଆଣ୍ଟିଗୁଆ-ବାରବୁଡାରୁ ରବିବାର ନିଖୋଜ ହୋଇଯାଇଥିଲେ ମେହୁଲ । ଏହାପରେ ସ୍ଥାନୀୟ ପୁଲିସ ସହିତ ପଡୋଶୀ ଦେଶରେ ସର୍ଚ୍ଚ ଅପରେସନ ଜାରି ରହିଥିଲା । ପରେ ଗତକାଲି ରାତିରେ ଡୋମିନିକାରୁ ମେହୁଲ ସିଆଇଡି ଦ୍ୱାରା ଗିରଫ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ବ୍ରାଉନି କହିଛନ୍ତି ଯେ ଡୋମିନିକା ସରକାର ମେହୁଲ ଚୋକସିର ପ୍ରତ୍ୟର୍ପଣ ପାଇଁ ରାଜି ଅଛି । ଆଣ୍ଟିଗୁଆ ମେହୁଲକୁ ଫେରାଇ ଆଣିବାକୁ ଚାହୁଁନାହିଁ ବୋଲି ବ୍ରାଉନି ଡୋମିନିକାର ପ୍ରଧାନମନ୍ତ୍ରୀ ସ୍କେରିଟଙ୍କୁ କହିଥିବା ଜଣାପଡ଼ିଛି । ଆଣ୍ଟିଗୁଆରେ କିନ୍ତୁ ମେହୁଲ ଜଣେ ନାଗରିକ ଭାବରେ ମାନ୍ୟତା ପାଇସାରିଛନ୍ତି । ଡୋମିନିକା ସରକାର ଆଣ୍ଟିଗୁଆ ଏବଂ ଭାରତ ସରକାରଙ୍କ ସହ ଏବେ ଯୋଗାଯୋଗ କରୁଛନ୍ତି । ଆଣ୍ଟିଗୁଆ ସରକାର ଡୋମିନିକାର ଆଇନ ବିଭାଗକୁ ଅନୁରୋଧ କରିଛନ୍ତି ଯେ ମେହୁଲଙ୍କ ଆଣ୍ଟିଗୁଆକୁ ଫେରାଇବା ପରିବର୍ତ୍ତେ ସିଧାସଳଖ ଭାରତକୁ ହସ୍ତାନ୍ତର କରାଯିବା ଦରକାର । ପିଏନବି ବ୍ୟାଙ୍କରେ ଋଣ ଠକେଇ କରି ୨୦୧୮ରେ ଆଣ୍ଟିଗୁଆ ପଳାଇଛି ମେହୁଲ ଚୋକସି । ୧୪ ହଜାର କୋଟି ଋଣ ଠକେଇ ମାମଲାରେ ସଂପୃକ୍ତ ଏହି ପଳାତକ ବ୍ୟବସାୟୀ ବିରୋଧରେ ସିବିଆଇ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଦନ୍ତ କରୁଛି । ଚୋକସି ବିରୋଧରେ ଗ୍ଲୋବାଲ ପୁଲିସ ରେଡ୍ କର୍ଣ୍ଣର ନୋଟିସ ଜାରି କରିଛି । ୨୦୧୮ରେ ଏହି ନୋଟିସ ଜାରି କରିଥିଲା ଗ୍ଲୋବାଲ ପୁଲିସ । ଏହାର ଅର୍ଥ ଯଦି ମେହୁଲ ଅନ୍ୟ କୌଣସି ଦେଶକୁ ଯିବ ତାହେଲେ ସଙ୍ଗେସଙ୍ଗେ ଗ୍ଲୋବାଲ ପୁଲିସ ସତର୍କ ହୋଇ ବିହିତ ପଦକ୍ଷେପ ଗ୍ରହଣ କରିବ ।

Leave A Reply

Your email address will not be published.