ବାତ୍ୟା କ୍ଷତିଗ୍ରସ୍ତ ଅଂଚଳକୁ ପଠାଗଲା ୨ ହଜାର ପ୍ୟାକେଟ୍ ଶୁଖିଲା ଖାଦ୍ୟ ଓ ୧୫୦ ସଫେଇ କର୍ମଚାରୀ

62

ଗଞ୍ଜାମ : ସାମୁଦ୍ରିକ ଝଡ଼ ୟସ୍ ବାତ୍ୟାରେ କ୍ଷତିଗ୍ରସ୍ତ ରାଜ୍ୟର ଉତର ଓଡ଼ିଶା ଉପକୂଳ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, ପରାଦ୍ୱୀପ ଭଳି ବିଭିନ୍ନ ସ୍ଥାନରେ ତାଣ୍ଡବ ରଚିଥିବା ବେଳେ ବିଶେଷ କରି ବାଲେଶ୍ୱରରେ ଏହା ପ୍ରଭାବ ଅଧିକ ରହିଥିଲା । ୟସ୍ ବାତ୍ୟା ପ୍ରଭାବରେ ବାଲେଶ୍ୱର ଜିଲ୍ଲା ଅଧିକ କ୍ଷତିଗ୍ରସ୍ତ ହେବା ସହ ସମ୍ପୃକ୍ତ ଅଂଚଳରେ ଦେଖାଦେଇଥିବା ଖାଦ୍ୟାଭାବ ଓ ପାନୀୟ ଜଳ ଯୋଗାଣ ଉପରେ ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲା ରିଲିଫ୍ ପାଇଁ ସହାୟତା କରିବାକୁ ଅନୁରୋଧ କରାଯାଇଥିଲା । ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ବାତ୍ୟାଚଂଳ ବାଲେଶ୍ୱର ଜିଲ୍ଲାକୁ ୨୦୦୦ ଶୁଖିଲା ଖାଦ୍ୟ ପ୍ୟାକେଟ୍ ସହ ଗୋଟିଏ ରିଲିଫ୍ ଗାଡି ପଠାଯାଇଛି । ଗୋଟିଏ ପ୍ୟାକେଟ୍ ରେ ଚୁଡ଼ା ଦେଢ଼ କେଜି, ଗୁଡ଼ ୫୦୦ ଗ୍ରାମ୍‌, ବିସ୍କୁଟ୍‌, ଦିଆସିଲି ଆଦି ସାମଗ୍ରୀ ରହିଛି ।

ଏହା ବ୍ୟତୀତ ବ୍ରହ୍ମପୁର ନୋବେଲ କକ୍ ଅନୁଷ୍ଠାନ ପକ୍ଷରୁ ମଧ୍ୟ ୩୫୦୦ କେଜି ଚୁଡ଼ା, ୪୦୦ କେଜି ଗୁଡ଼ ସାଙ୍ଗକୁ ୧୦୦୦ ପାଣି ବୋତଲ ଏହି ଟ୍ରକ୍ ଯୋଗେ ପଠାଯାଇଥିବା ବିଏମସି ସୂତ୍ରରୁ ଜଣାପଡିଛି । ବିଏମସି କମିଶନର ସିଦ୍ଧେଶ୍ୱର ବଳିରାମ ବୋନ୍ଦାରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ରିଲିଫ୍ କାର୍ଯ୍ୟର ତଦାରଖ କରାଯାଇଥିବା ବେଳେ ଅନ୍ୟାନ୍ୟ ପଦାଧିକାରୀ ମାନେ ଏଥିରେ ସହଯୋଗ କରିଥିଲେ । ଏହାଛଡା ବାତ୍ୟା କ୍ଷତିଗ୍ରସ୍ତ ଅଂଚଳରେ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ମହାନଗର ନିଗମ ପକ୍ଷରୁ ୧୫୦ ଜଣିଆ ସଫେଇ କର୍ମଚାରୀଙ୍କ ସହିତ ସଫେଇ ନିମନ୍ତେ ଆବଶ୍ୟକୀୟ ଯନ୍ତ୍ରପାତି ସାଙ୍ଗକୁ ଦୁଇଟି ଟ୍ରକ୍ ଓ ଦୁଇଟି ପାଣି ଟ୍ୟାଙ୍କର ପ୍ରାଥମିକ ପର୍ଯ୍ୟାୟରେ ବାତ୍ୟା ଅଂଚଳକୁ ଆଜି ପଠାଯାଇଛି । 

Comments are closed.