କୋଭିଡ-୧୯ ପାସ୍ ଥିବା ଗାଡିରେ ଆସି ମାରଣାସ୍ତ୍ରରେ ସରପଂଚଙ୍କୁ ଆକ୍ରମଣ ଉଦ୍ୟମ ପଣ୍ଡ : ଗାଁ ଲୋକେ ପହଂଚିବାରୁ ଗାଡି ଛାଡି ପଳାଇଲେ ଦୁର୍ବୃତ

0 62

କନ୍ଧମାଳ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଳକ ଅନ୍ତର୍ଗତ ସୋନପୂର ପଂଚାୟତର ସରପଂଚ କେଶବସେନ ମୁଠାମାଝୀଙ୍କୁ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ ଉଦ୍ୟମ ପଣ୍ଡ ହୋଇଛି । ଗୁରୁବାର ରାତି ପ୍ରାୟ ୮ଟା ବେଳେ ସରପଂଚ ନିଜ ଘରେ ଥିବାବେଳେ ତାଙ୍କୁ ସେହି ଅଂଚଳର ସରୋଜ କୁମାର ସିଂ ଏବଂ କପିଳ ଦିଗାଲ ନାମକ ଦୁଇଜଣ ବ୍ୟକ୍ତି ସରପଂଚ କେଶବସେନଙ୍କୁ ବାହାରକୁ ଡାକିଥିଲେ । ସେ ବାହାରକୁ ଆସିବା ପରେ ଘର ନିକଟରେ ଠିଆ ହୋଇଥିବା ଏକ ବୋଲେରୋରୁ ୫ ଜଣ ଅଜଣା ବ୍ୟକ୍ତି ବିଭିନ୍ନ ମାରଣାସ୍ତ୍ର ଧରି ତାଙ୍କୁ ଆକ୍ରମଣ କରିବାକୁ ଦୌଡି ଆସିଥିଲେ ଫଳରେ କେଶବସେନ ଭୟଭୀତ ହୋଇ ସାହି ଲୋକଙ୍କୁ ସାହାଯ୍ୟ ପାଇଁ ପାଟି କରିବା ସହିତ ଘର ଭିତରକୁ ଦୌଡି ପଳାଇଲେ । ତାଙ୍କ ପାଟି ଶୁଣି ଆଖପାଖ ଅଂଚଳର ଲୋକେ ସେଠାରେ ଏକାଠି ହେବାରୁ ଦୁର୍ବୃତ ମାନେ ସେଠାରୁ ସେମାନେ ଆଣିଥିବା ଗାଡିକୁ ଛାଡି ଦୌଡି ପଳାଇଥିଲେ ।

ଏହାପରେ ସରପଂଚ ଏ ସଂକ୍ରାନ୍ତରେ ଦାରିଙ୍ଗବାଡି ଥାନାରେ ଅଭିଯୋଗ କରିବା ପରେ ପୋଲିସ ଆସି ଘଟଣାସ୍ଥଳରେ ପହଂଚିଥିଲା । ସ୍ଥାନୀୟ ଲୋକେ ସେଠାରେ ଥିବା ବୋଲେରୋ ନଂ (ଓଡି -୧୯ କେ ୩୩୨୫)କୁ ପୋଲିସ ଜିମାରେ ଦେଇଥିଲେ । ଉକ୍ତ ବୋଲେରୋରେ ଓମଫେଡ୍ ଏବଂ ପୁମୁଲର କମ୍ପାନୀର ଲୋଗୋ ଲାଗିଥିବା ଦେଖାଯାଇଛି ଏହା ସହିତ ସେଥିରେ ପୁରୀ ଜିଲ୍ଲା ଦୁଗ୍ଧ ଉତ୍ପାଦନ ସମବାୟ ୟୁନିୟନ ଜରିଆରେ ମିଳିଥିବା  କୋଭିଡ -୧୯ ପାସ୍ ମଧ୍ୟ ଲାଗିଥିବା ଦେଖିବାକୁ ମିଳିଛି । ଏହି ଘଟଣାର ଅଭିଯୁକ୍ତ ସେହି ଅଂଚଳର ସରୋଜ କୁମାର ସିଂ ନାମକ  ଜଣେ ଶିକ୍ଷକ ବୋଲି ଅଭିଯୋଗ କରିଛନ୍ତି ସରପଂଚ । ତାଙ୍କ ସହିତ ସରପଂଚଙ୍କର ପୂର୍ବ ଶତୃତା ରହିଥିବା ଯୋଗୁଁ ଶିକ୍ଷକ ଜଣକ ତାଙ୍କୁ ଜୀବନରେ ମାରିଦେବାକୁ ପୂର୍ବରୁ ଧମକ ଦେଇଥିଲେ ବୋଲି ମଧ୍ୟ କହିଛନ୍ତି ସେ । ତେଣୁ ସରୋଜ ବାହାରୁ ଲୋକ ଡକାଇ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିବାକୁ ମସୁଧା କରିଥିଲେ ବୋଲି ସରପଂଚ ଅଭିଯୋଗ କରିଛନ୍ତି । ତେବେ ଘଟଣାସ୍ଥଳରେ ଦାରିଙ୍ଗବାଡି ଥାନା ଅଧିକାରୀ କୌଶିକ ମାଝୀ ପହଂଚି ବୋଲେରୋକୁ ଜବତ କରିବା ସହିତ ଏକ ମାମଲା ୮୯/୨୧ ରେ ରୁଜ୍ଜୁ କରି ଘଟଣାର ତଦନ୍ତ କରୁଥିବା ପୋଲିସ ସୂତ୍ରରୁ ଜଣାପଡିଛି । 


ସୂଚନାଯୋଗ୍ୟ, ଅଭିଯୁକ୍ତ ଶିକ୍ଷକ ଜଣକ କିଛି ଦିନପୂର୍ବେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ମଶାରୀ ବଣ୍ଟନ ବେଳେ ସ୍ୱସ୍ଥ୍ୟ ବିଭାଗର କର୍ମଚାରୀଙ୍କ ସହ  ମଦ୍ୟପାନ କରି ଅଶାଳୀନ ବ୍ୟବହାର କରିଥିବା ନେଇ ଅଭିଯୋଗ ହେବା ସହିତ ତାଙ୍କ ନାମରେ ଥାନାରେ ମାମଲା ମଧ୍ୟ ରୁଜ୍ଜୁ ହୋଇଥିଲା । ତେବେ ସରପଂଚଙ୍କୁ ସେ କେଉଁ କାରଣରୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ ତାହା ଜଣାପଡି ନାହିଁ । 

Leave A Reply

Your email address will not be published.