ନବୀନଙ୍କ ସଫଳ ସାରଥୀ

0 66

ଭିକେ ପାଣ୍ଡିଆନଙ୍କ ଜନ୍ମଦିବସ ଉପଲକ୍ଷେ ଡୁମାଣୀ ଖବର ପରିବାର ପକ୍ଷରୁ ଶୁଭେଚ୍ଛା

ମଇ ୨୯ ତାରିଖ ହେଉଛି ଓଡ଼ିଶା ରାଜନୀତି ପାଇଁ ଏକ ସ୍ୱତନ୍ତ୍ର ଦିବସ । କାରଣ ଆଜିର ଦିନରେ ହିଁ ନବୀନ ପଟ୍ଟନାୟକ ତାଙ୍କ ଶାସନର ପଞ୍ଚମ ପାଳି ଆରମ୍ଭ କରିଥିଲେ । ଆଉ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରଥର ସାରଥୀ ହୋଇ ଓଡ଼ିଶାର ଏକ ଚର୍ଚ୍ଚିତ ଚେହେରା ପାଲଟିଥିବା ଭି. କାର୍ତ୍ତିକେୟନ୍ ପାଣ୍ଡିଆନ୍ଙ୍କ ପାଇଁ ଆଜି ହେଉଛି ଏକ ସ୍ୱତନ୍ତ୍ର ଦିନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିଟି କାର୍ଯ୍ୟଧାରାକୁ ସଠିକ୍ ଭାବେ ପ୍ରଶାସନିକ ସ୍ତରରେ ସୂଚାରୁରୂପେ ସଂପାଦନା କରି ନିଜର କାର୍ଯ୍ୟଦକ୍ଷତାକୁ ପ୍ରତିପାଦିତ କରିପାରିଛନ୍ତି ପାଣ୍ଡିଆନ୍ ।

୧୯୭୪ ମସିହା ମଇ ୨୯ ତାରିଖରେ ତାମିଲନାଡୁରେ ଜନ୍ମଗ୍ରହଣ କରନ୍ତି ଭିକେ ପାଣ୍ଡିଆନ । ତାମିଲ୍ ମୂଳଭାଷୀ ପାଣ୍ଡିୟାନ୍ କିନ୍ତୁ ଯେବେଠାରୁ ଓଡ଼ିଶା ମାଟିରେ ଅଧିକାରୀ ଭାବେ ପାଦ ଥାପିଛନ୍ତି ସେବେଠାରୁ ସେ ନିଜର ଉଚ୍ଚକୋଟୀର କାର୍ଯ୍ୟ ଯୋଗୁଁ ଆଜି ଓଡ଼ିଶାର ଜଣେ ଅତି ଚିହ୍ନା ଚେହେରା ଭାବେ ଜନମାନସରେ ପରିଚିତି ଲାଭ କରିଛନ୍ତି । ତାଙ୍କ କାର୍ଯ୍ୟ କରିବାର ଶୈଳୀ ଅନ୍ୟମାନଙ୍କଠୁ ଭିନ୍ନ ଓ ଅଭିନବ ତଥା ଲୋକକେନ୍ଦ୍ରିକ ହେବା ହେତୁ ସେ ଅବିଳମ୍ବେ ଲୋକଙ୍କ ନିକଟତର ବି ହୋଇପାରନ୍ତି । ଓଡ଼ିଶା ପ୍ରଶାସନରେ ଜଣେ ଗମ୍ଭୀର ଓ କଡ଼ା ଅଧିକାରୀ ଭାବେ ସେ ପରିଚିତ । କ୍ଷମତାସୀନ ଅଧିକାରୀ ଭାବେ ୨୦୦୦ ମସିହାରେ ପାଣ୍ଡିଆନ୍ ଓଡ଼ିଶା ଆସିଲେ । ଓଡ଼ିଶାର ରାଜନୈତିକ ପାଣିପାଗ ସେତେବେଳେ ବଦଳୁଥାଏ । ନୂଆ ନୂଆ ଓଡ଼ିଶା ରାଜନୀତିରେ ପାଦ ଥାପିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସଜଡ଼ା ଓଡ଼ିଶାକୁ ସଜାଡ଼ିବା ପାଇଁ ଅଣ୍ଟା ଭିଡ଼ିଥାନ୍ତି । ଏହିସମୟରେ ପାଣ୍ଡିୟାନ୍ ଧର୍ମଗଡ଼ର ଉପ ଜିଲ୍ଲାପାଳ ଭାବେ ଚାଷୀ-ମିଲର ଭିତରେ ଥିବା ବିବାଦକୁ ସମାଧାନ କରିବାକୁ ଚାହିଁଲେ । ଚାଷୀ ଯେମିତି ତାଙ୍କ ପ୍ରାପ୍ୟ ଏମ୍ଏସ୍ପି ପାଇବେ ଏବଂ ସମବାୟ ସମିତିଗୁଡ଼ିକ ଯେମିତି ଲାଭ ପାଇପାରିବେ ସେଥିଲାଗି ବ୍ୟବସ୍ଥା କଲେ । ଏହା ସେତେବେଳେ ଓଡ଼ିଶା ପ୍ରଶାସନରେ ଏକ ଉଦାହରଣ ସାଜିଲା । ଆଉ ମୁଖ୍ୟମନ୍ତ୍ରୀ ନବୀନଙ୍କ ନଜରକୁ ସେ ଆସିଲେ । ୨୦୦୨ ମସିହାରେ ସେ ଏଥିଲାଗି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇଥିଲେ । ଏହାପରେ ରାଉରକେଲାର ଅତିରିକ୍ତ ଜିଲ୍ଲାପାଳ ଭାବେ ଛେଣ୍ଡ ବଜାରରେ ଜବରଦଖଲ ଉଚ୍ଛେଦ ରାଉରକେଲାବାସୀଙ୍କ ଲାଗି ଏକ ବରଦାନ କାର୍ଯ୍ୟ ହୋଇଥିଲା । ଗଞ୍ଜାମ ଜିଲ୍ଲାପାଳ ଥିବା ସମୟରେ ଏନ୍ଆର୍ଜିଏ ଅଧୀନରେ ହିତାଧିକାରୀଙ୍କୁ ଯେଉଁ ନଗଦ ମଜୁରୀ ପ୍ରଦାନ ବ୍ୟବସ୍ଥା ଥିଲା ସେ ସେଥିରେ ପରିବର୍ତ୍ତନ ଆଣିଲେ । ପ୍ରଥମ ଥର ପାଇଁ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ମଜୁରୀ ପ୍ରଦାନ ବ୍ୟବସ୍ଥା ହେଲା । ଏହା ଭାରତ ସରକାର ପରବର୍ତ୍ତୀ ସମୟରେ ଗ୍ରହଣ କରିଲେ । ପାଣ୍ଡିଆନଙ୍କ ଏହି ନୀତି ତାଙ୍କର ତୃଣମୂଳ ସ୍ତରର ଧାରଣାକୁ ସ୍ପଷ୍ଟ କରିବା ସହ ଦୁର୍ନୀତିକୁ ଦୂର କରିବାରେ ସହାୟକ ହେଲା । ୨୦୧୧ ମସିହାରେ ପାଣ୍ଡିଆନ୍ଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ କାମ କରିବାର ସୁଯୋଗ ମିଳିଲା । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ସେ ନିଯୁକ୍ତ ହେଲେ । ନିଜର କର୍ତ୍ତବ୍ୟନିଷ୍ଠା, ଉତ୍ସର୍ଗ ଓ ଲୋକଙ୍କ ପାଖରେ ସରକାରୀ ନୀତିକୁ ପହଞ୍ଚାଇବା ପାଇଁ ତାଙ୍କର ବିଚକ୍ଷଣ ବୁଦ୍ଧି ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିକଟତର କରିଲା ।

ଦିନକୁ ଦିନ ତାଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କ ଭରସା ବଢ଼ିଲା । ସେ ହେଲେ ମୁଖ୍ୟମନ୍ତ୍ରୀଙ୍କ ସବୁଠାରୁ ଭରସାଯୋଗ୍ୟ ଅଧିକାରୀ । ତାଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀଙ୍କ ପରିକଳ୍ପିତ ଓଡ଼ିଶାର ପ୍ରଗତିରଥକୁ ତ୍ୱରାନ୍ୱିତ କରିବା ଲାଗି ନବୀନ ତାଙ୍କୁ ଅଧିକ କ୍ଷମତା ଦେଲେ । ନୂଆକରି ୫-ଟି ବିଭିଗ ଖୋଲି ତାହାର ମୁଖ୍ୟ କରାଇଲେ । ଆଉ ଏବେ ଏହାର ସୁଫଳ ଓଡ଼ିଶାବାସୀ ଅନୁଭବ କରୁଛନ୍ତି । ରାଜ୍ୟରେ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ଦେଇ ତାହାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକୁ କାର୍ଯ୍ୟରେ ଲଗାଇଛନ୍ତି ୫-ଟି ସଚିବ ପାଣ୍ଡିଆନ୍ । ସେହିପରି ହକିର ଏନ୍ତୁଡ଼ିଶାଳ ଭାବେ ଖ୍ୟାତି ଦେବା ଲାଗି ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସକୁ ପାଣ୍ଡିଆନ୍ ଆଗକୁ ନେଇଛନ୍ତି । ହକି ବିଶ୍ୱକପ୍ ଆୟୋଜନ ଏହାର ନିଦର୍ଶନ । ଏହାଛଡ଼ା ଆଗକୁ ପରବର୍ତ୍ତୀ ହକି ବିଶ୍ୱକପ୍ ୨୦୨୩ ଆୟୋଜନ ପାଇଁ ଅଣ୍ଟା ଭିଡ଼ିବା ଆଉ ଏକ ଗୌରବମୟ ମୁହୂର୍ତ୍ତ । ତେଣୁ ଯେଉଁ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଓ ବ୍ୟୁରୋକ୍ରାଟ୍ଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଥାଏ ସେ ରାଜ୍ୟରେ ଜନତା ସର୍ବର୍ଦା ଉତ୍ତମ ଶାସନ ହିଁ ପାଇଥାନ୍ତି । ଆଜି ଭିକେ ପାଣ୍ଡିଆନ୍ଙ୍କ ଜନ୍ମଦିବସ ଉପଲକ୍ଷେ ‘ଡୁମାଣୀ ଖବର’ ପରିବାର ପକ୍ଷରୁ ତାଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ।

Leave A Reply

Your email address will not be published.