ଆହ୍ୱାନ ଦେଇଛି ପଞ୍ଚମ ପାଳିର ଦ୍ୱିତୀୟ ବର୍ଷ : ପାଠ୍ୟକ୍ରମରେ ବିପର୍ଯ୍ୟୟ-ମହାମାରୀ ମୁକାବିଲା

67

ରାଜ୍ୟ ମନ୍ତ୍ରିପରିଷଦ ବୈଠକରେ ସଂକଳ୍ପ ପାରିତ :

-ଏଣିକି ପାଠ୍ୟପୁସ୍ତକରେ ପିଲା ପଢ଼ିବେ ବିପର୍ଯ୍ୟୟ ଓ ମହାମାରୀ ମୁକାବିଲା
– ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭକରି ୱାର୍ଡମେମ୍ବର ପର୍ଯ୍ୟନ୍ତ ନେବେ ବିପର୍ଯ୍ୟୟ ଓ
ମହାମାରୀ ପରିଚାଳନା ତାଲିମ୍
– ସରକାରୀ ଅଫିସର/ମିଶନ ଶକ୍ତି ସଦସ୍ୟ ମଧ୍ୟ ତାଲିମ୍ ନେବେ
– ସାରାବିଶ୍ୱରେ ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ମଡେଲ୍
– ଅକ୍ସିଜେନ୍ ଯୋଗାଇ ରାଜ୍ୟ ବହୁ ମୂଲ୍ୟବାନ୍ ଜୀବନ ବଞ୍ଚାଇପାରିଛି
– ନିଜସ୍ୱ ସମ୍ବଳରେ ରାଜ୍ୟବାସୀଙ୍କୁ ଟିକାକରଣ ପଦକ୍ଷେପ
– ୫-ଟି ଆମର ପଞ୍ଚମ ପାଳିର ମୁଖ୍ୟ ଫୋକସ୍
– ସ୍ୱାସ୍ଥ୍ୟ ଭିତ୍ତିଭୂମି ବିକାଶ ପାଇଁ ୮୫୦୦ କୋଟିର ପୁଞ୍ଜିନିବେଶ
– ୩୫୦୦ କୋଟିରେ ଏସ୍ସିବିକୁ କରାଯିବ ବିଶ୍ୱସ୍ତରରୀୟ ଅନୁଷ୍ଠାନ
– ବର୍ଷରେ ୭୮୬ ଡାକ୍ତର ଓ ୫୧୩୭ ପାରାମେଡିକ୍ସଙ୍କୁ ନିଯୁକ୍ତି
– ବିଭିନ୍ନ କ୍ରୀଡ଼ା ପ୍ରକଳ୍ପ ପାଇଁ ୧ହଜାର କୋଟିରୁ ଊଦ୍ଧ୍ୱର୍ ଟଙ୍କା ବିନିଯୋଗ
– କାଳିଆ ଯୋଜନାରେ ଚାଷୀଙ୍କ ଖାତାରେ ୬୧୧୮ କୋଟିରୁ ଅଧିକ ଜମା
– ପଞ୍ଚାୟତିରାଜ-ପୌରସଂସ୍ଥାକୁ ୧୧୨୮୭ କୋଟିର ଅନୁଦାନ
– ରାଜ୍ୟବାସୀଙ୍କ ସହଯୋଗକୁ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ

ଭୁବନେଶ୍ୱର : ଓଡ଼ିଶାବାସୀଙ୍କୁ ଆମେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ତଥା ବିଜୁ ବାବୁଙ୍କ ସ୍ୱପ୍ନକୁ ସାକାର କରିବାରେ ପଞ୍ଚମ ପାଳିର ଏହି ଦୁଇବର୍ଷ ଅତ୍ୟନ୍ତ ଆହ୍ୱାନମୂଳକ ଥିଲା ବୋଲି ରାଜ୍ୟ ମନ୍ତ୍ରିପରିଷଦ ବୈଠକରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି । ଏପରିକି ଆମର ପଞ୍ଚମ ପାଳିର ସରକାର ଆରମ୍ଭ ହେବା ପୂର୍ବରୁ ମଇ ୨୦୧୯ରେ ଆମକୁ ଫନି ପରି ବାତ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା । ସେହିଦିନଠାରୁ ଆରମ୍ଭକରି ଗତ ଦୁଇବର୍ଷ ହେଲା ଆମେ ବାତ୍ୟା ଏବଂ କୋଭିଡ ମହାମାରୀର ବିପର୍ଯ୍ୟୟକାରୀ ପ୍ରଭାବ ସାମ୍ନା କରିଆସୁଛୁ । ଏହା ହେଉଛି ଏକ ଅଭୂତପୂର୍ବ ସମସ୍ୟା ଏବଂ ଆମେ ଆମର ଲୋକମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଆମର ସର୍ବୋତ୍ତମ ଚେଷ୍ଟା ଜାରି ରଖିଛୁ ।

ସାରାବିଶ୍ୱରେ ବିପର୍ଯ୍ୟୟ ପରିଚାଳନାରେ ଏକ ମଡେଲ ଭାବରେ ସ୍ୱୀକୃତ ଓଡିଶା ଏ କ୍ଷେତ୍ରରେ ତାର ମାନବୀୟ ଦୃଷ୍ଟିଭଙ୍ଗୀ ଓ ଦକ୍ଷତା ପାଇଁ ସୁନାମ କରିଛି । ଜଳବାୟୁ ପରିବର୍ତ୍ତନ ମାନବ ସମାଜ ପାଇଁ ଏକ ବଡ ସମସ୍ୟା ସୃଷ୍ଟି କରିଛି । ଓଡିଶାରେ ଆମେ ଅତ୍ୟନ୍ତ ଗୁରୁତର ପ୍ରଭାବ ସୃଷ୍ଟିକାରୀ ବାତ୍ୟାର ବର୍ଦ୍ଧିଷ୍ଣୁ ପ୍ରକ୍ରିୟାକୁ ଅନୁଭବ କରିଆସୁଛୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ୨୦୨୦ ମାର୍ଚ୍ଚ ପରଠାରୁ କୋଭିଡ ମହାମାରୀ ଆମର ବିପର୍ଯ୍ୟୟ ପରିଚାଳନା ଅଭିଜ୍ଞତାରେ ଏକ ନୂଆ ସମସ୍ୟା ଭାବରେ ଦେଖାଦେଇଛି । ସାରା ବିଶ୍ୱର ବିଭିନ୍ନ ଦେଶ ଏହି ମହାମାରୀର ବିଭିନ୍ନ ଲହର ଦ୍ୱାରା ଗୁରୁତର ଭାବରେ ପ୍ରଭାବିତ ହୋଇଛନ୍ତି । ତଥାପି ସ୍ୱାଭାବିକ ଅବସ୍ଥାକୁ ଫେରିବା ଆଜି ଏକ ଆହ୍ୱାନ । କରୋନା ଭାଇରସ୍ ସଂକ୍ରମଣର ସଫଳ ନିୟନ୍ତ୍ରଣ ପୂର୍ବରୁ ମାନବ ସମାଜକୁ ଏହି ମହାମାରୀର କେତେ ଲହର ଓ ଏହି ଭାଇରସ୍ର କେତେ ଅଧିକ ଭାରିଆଣ୍ଟ ସମ୍ମୁଖୀନ ହେବାକୁ ପଡିବ, ତାହା ବର୍ତ୍ତମାନ କେହି ସଠିକ ଭାବରେ କହିବା ସମ୍ଭବ ନୁହେଁ । ଏହା ହିଁ ହେଉଛି ବାସ୍ତବତା ଏବଂ ଆମ ସମସ୍ତଙ୍କୁ ଏହା ଗ୍ରହଣ କରିବାକୁ ହେବ ଓ ସେଥିପାଇଁ ପ୍ରସ୍ତୁତ ରହିବାକୁ ହେବ । ଏପର୍ଯ୍ୟନ୍ତ ଆମ ରାଜ୍ୟ କରୋନା ସଂକ୍ରମଣର ଦୁଇଟି ଲହର ଦ୍ୱାରା ପ୍ରଭାବିତ ହୋଇସାରିଲାଣି । ଆମର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ସଠିକ୍ ଭାବରେ ପରିଚାଳନା କରିବାରେ ଆମେ ସକ୍ଷମ ହୋଇପାରିଛୁ ଏବଂ ସଂକ୍ରମଣର ପ୍ରସାର ଦ୍ୱାରା ଆମର ବ୍ୟବସ୍ଥା ଏପର୍ଯ୍ୟନ୍ତ ଅତ୍ୟଧିକ ଚାପର ସମ୍ମୁଖୀନ ହୋଇନାହିଁ । ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଆମ ସରକାର ସବୁବେଳେ ଆଗୁଆ ପଦକ୍ଷେପ ନେଇଆସିଛନ୍ତି ।

ଯେତେବେଳେ ଅନ୍ୟ ରାଜ୍ୟମାନେ ଦୁର୍ଭାଗ୍ୟବଶତଃ ଅକ୍ସିଜେନ ସମସ୍ୟା ଭିତରେ ଛନ୍ଦି ହୋଇଯାଇଥିଲେ, ସେତେବେଳେ ଆମ ସରକାର ଆମ ଡାକ୍ତରଖାନାମାନଙ୍କରେ ଅକ୍ସିଜେନ ଯୋଗାଣକୁ ସୁବ୍ୟବସ୍ଥିତ କରିବା ସହିତ ଅନ୍ୟ ରାଜ୍ୟମାନଙ୍କୁ ମଧ୍ୟ ଅକ୍ସିଜେନ ଯୋଗାଇବାରେ ସଫଳ ହୋଇପାରିଛି । ବହୁ ମୂଲ୍ୟବାନ ଜୀବନ ବଞ୍ଚାଇ ପାରିଛି । ସେ ଯାହା ହେଉ ନା କାହିଁକି, କୋଭିଡ ପରିଚାଳନାରେ ଆମକୁ ଆଗକୁ ଆହୁରି ପଥ ଅତିକ୍ରାନ୍ତ କରିବାକୁ ଅଛି । ଆମେ ବର୍ତ୍ତମାନ ଟିକାକରଣ ଉପରେ ଫୋକସ୍ କରିଛୁ । ଟିକାକରଣ ନିମନ୍ତେ ଆମର ସମ୍ବଳର ଉପଯୋଗ କରି ଆମର ଲୋକମାନଙ୍କୁ ଯେତେଶୀଘ୍ର ସମ୍ଭବ, ସୁରକ୍ଷିତ ରଖିବା ପାଇଁ ପଦକ୍ଷେପ ନେଇଛୁ । ସଂକଟ ସମୟରେ ଆମ ଲୋକଙ୍କର ସହଯୋଗ ତଥା ବିଭିନ୍ନ ସ୍ତରରେ ଗୋଷ୍ଠୀର ସଂପୃକ୍ତି ଆମର ସବୁଠାରୁ ବଡ ଶକ୍ତି ହୋଇ ରହିଆସିଅଛି । ଗୋଟିଏ ପରେ ଗୋଟିଏ ସଂକଟର ମୁକାବିଲା ପାଇଁ ଓଡିଶାବାସୀଙ୍କର ନିରନ୍ତର ସହଯୋଗ ଏବଂ ସରକାରଙ୍କ ଉଦ୍ୟମରେ ନିଃସର୍ତ୍ତ ସମର୍ଥନ ପାଇଁ ରାଜ୍ୟ ସରକାର ଓଡିଶାବାସୀଙ୍କ ନିକଟକରେ କୃତଜ୍ଞ । ମହାମାରୀ ଓ ବାତ୍ୟା ପରି ଦୁର୍ବିପାକ ସମୟରେ ପ୍ରଶାସନର ଭଲ କାମରେ ଲୋକମାନଙ୍କର ପ୍ରଶଂସା ସରକାର ପାଇଁ ବହୁତ ବଡ ପ୍ରେରଣା ହୋଇ ରହିଆସିଛି । ବିପର୍ଯ୍ୟୟର ମୁକାବିଲା କିପରି କରିବାକୁ ହେବ, ସେ ବିଷୟରେ ଆମକୁ ନିରନ୍ତର ଶିକ୍ଷା ଲାଭ କରିବାକୁ ହେବ ଏବଂ ଜଳବାୟୁ ପରିବର୍ତ୍ତନର ପ୍ରଭାବ ସହିତ ଖାପ ଖୁଆଇ ଚଳିବା ସଙ୍ଗେ ସଙ୍ଗେ ବ୍ୟବସ୍ଥାରେ ମଧ୍ୟ ନିରନ୍ତର ଉନ୍ନତି ଆଣିବାକୁ ପଡିବ । ଏହା ହେଉଛି ଆମ ସମାଜର ସୁରକ୍ଷାର ବିଷୟ । ତେଣୁ ଏ ଦିଗରେ ଆମ ରାଜ୍ୟକୁ ଦକ୍ଷ ଓ ଦୃଢ କରିବା ପାଇଁ ଆମେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବୁ ।

ଆଜି ଆମର ସ୍କୁଲ କଲେଜର ପାଠ୍ୟକ୍ରମରେ ବିପର୍ଯ୍ୟୟ ଓ ମହାମାରୀର ମୁକାବିଲା ପାଇଁ ପ୍ରାକ୍ ପ୍ରସ୍ତୁତିକୁ ଏକ ବିଷୟ ଭାବରେ ଗ୍ରହଣ କରିବାକୁ ଆଜି ରାଜ୍ୟ ମନ୍ତ୍ରିପରିଷଦ ସଂକଳ୍ପ ପାରିତ କରିଛି । ରାଜ୍ୟର ପ୍ରତ୍ୟେକ ଛାତ୍ରଛାତ୍ରୀ, ପ୍ରତ୍ୟେକ ନିର୍ବାଚିତ ପ୍ରତିନିଧି, ସରକାରୀ ଅଫିସର, ମିଶନ ଶକ୍ତି ସଦସ୍ୟବୃନ୍ଦ ଏବଂ ସମସ୍ତେ ପ୍ରାକୃତିକ ଦୁର୍ବିପାକ ଓ ମହାମାରୀର ମୁକାବିଲା ପାଇଁ ପ୍ରସ୍ତୁତ ହେବାକୁ ତାଲିମ ଦିଆଯିବ । ଏହା ହେଉଛି ଏକ ଐତିହାସିକ ପଦକ୍ଷେପ ଏବଂ ଭବିଷ୍ୟତରେ ପ୍ରକୃତିର ତାଣ୍ଡବ । ଏହା ଜୈବିକ ହେଉ ବା ଜଳବାୟୁ ଜନିତ, ତାର ସମ୍ମୁଖୀନ ହେବାକୁ ଆମର ଭବିଷ୍ୟତ ବଂଶଧରମାନଙ୍କୁ ଏହା ଦକ୍ଷ ଓ ସଶକ୍ତ କରିବ । ଏହି ପଦକ୍ଷେପ ଦ୍ୱାରା ଓଡିଶା ଲୋକଙ୍କ ଜୀବନ ରକ୍ଷା କ୍ଷେତ୍ରରେ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିପାରିବ । ବିପର୍ଯ୍ୟୟ ପରିଚାଳନାରେ ଗୋଷ୍ଠୀ ସଚେତନତା ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଏହା ହେଉଛି ଆମର ଉପଲବ୍ଧି ।

ଯେତେବେଳେ ସରକାର ଗୋଟିଏ ପରେ ଗୋଟିଏ ସଂକଟର ମୁକାବିଲା କରି ଚାଲିଛନ୍ତି, ସେତେବେଳେ କିନ୍ତୁ ଲୋକଙ୍କୁ ନିର୍ବାଚନ ସମୟରେ ଦିଆଯାଇଥିବା ପ୍ରତିଶ୍ରୁତିକୁ ଆମେ ଭୁଲିଯାଇ ନାହୁଁ । ୫-ଟି ଆମର ପଞ୍ଚମ ପାଳିର ମୁଖ୍ୟ ଫୋକସ୍ ହୋଇ ରହିଆସିଛି । ସ୍ୱଚ୍ଛତା, ବୈଷୟିକ କୌଶଳ, ସାମୂହିକ ଉଦ୍ୟମ, ସମୟ ଓ ପରିବର୍ତ୍ତନ । ପ୍ରତ୍ୟେକ ବିଭାଗ ସେମାନଙ୍କ କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କ ଜୀବନରେ ଦୃଶ୍ୟମାନ ପରିବର୍ତ୍ତନ ଆଣିବା ପାଇଁ ପଦକ୍ଷେପ ନେଇଛନ୍ତି ଏବଂ ଏହି ଲକ୍ଷ୍ୟ ପୂରଣ ଦିଗରେ ନିରନ୍ତର କାମ କରିଚାଲିଛନ୍ତି । ଲୋକଙ୍କ ସହିତ ସିଧାସଳଖ ସଂପର୍କ ରହିବା ପାଇଁ ଆମେ ମୋ ସରକାର ଫିଡ୍ବ୍ୟାକ୍ ବ୍ୟବସ୍ଥା ଆରମ୍ଭ କରିଥିଲୁ । ସମୟକ୍ରମେ ପ୍ରତ୍ୟେକ ସ୍ତରରେ ଲୋକଙ୍କ ପ୍ରତି ସରକାରୀ କର୍ମଚାରୀମାନଙ୍କର ମନୋଭାବ ଏବଂ ବ୍ୟବହାରରେ ଦୃଶ୍ୟମାନ ପରିବର୍ତ୍ତନ ଆଣିବାରେ ଏହା ସଫଳ ହୋଇଛି । ପ୍ରଶାସନ ଏବଂ ସରକାରୀ ସେବା ବ୍ୟବସ୍ଥାକୁ ଅଧିକ ଲୋକାଭିମୁଖୀ ଓ ବୈଷୟିକଭିତ୍ତିକ କରି ସରକାରୀ ବ୍ୟବସ୍ଥାରେ ଢାଞ୍ଚାଗତ ଓ ପ୍ରକ୍ରିୟାଗତ ପରିବର୍ତ୍ତନ ଆଣିବା ପାଇଁ ଆନ୍ତରିକ ପଦକ୍ଷେପ ନିଆଯାଇଛି । ସ୍ୱାସ୍ଥ୍ୟ ଓ ଶିକ୍ଷାର ବିକାଶ ଉପରେ ସବୁବେଳେ ଆମର ସ୍ୱତନ୍ତ୍ର ଗୁରୁତ୍ୱ ରହିଆସିଛି ।

ସାରା ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ପାଇଁ ଆମେ ୮୫୦୦ କୋଟି ଟଙ୍କାର ବିପୁଳ ପୁଞ୍ଜି ବିନିଯୋଗ କରିଛୁ । ୩୫୦୦ କୋଟି ଟଙ୍କା ବ୍ୟୟରେ ଏସ୍ସିବି ମେଡିକାଲକୁ ଏକ ବିଶ୍ୱସ୍ତରୀୟ ଅନୁଷ୍ଠାନ ଭାବରେ ବିକଶିତ କରାଯିବ । ଗତ ବର୍ଷକ ମଧ୍ୟରେ ଆମେ ୭୮୬ ଜଣ ଡାକ୍ତର ଓ ୫୧୩୭ ଜଣ ପାରାମେଡିକ୍ସଙ୍କୁ ନିଯୁକ୍ତ କରିଛୁ । ଆମ ପିଲାମାନଙ୍କ ଭିତରେ ଥିବା ଦକ୍ଷତାର ପୂର୍ଣ୍ଣ ବିକାଶ ପାଇଁ ଶିକ୍ଷା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ତେଣୁ ହାଇସ୍କୁଲମାନଙ୍କର ରୂପାନ୍ତର ଆମର ମୁଖ୍ୟ କାର୍ଯ୍ୟକ୍ରମ । ଏଥିପାଇଁ ଚଳିତବର୍ଷ ପ୍ରଥମ ପର୍ଯ୍ୟାୟରେ ଆମେ ୧୦୦୦ରୁ ଅଧିକ ସ୍କୁଲର ରୂପାନ୍ତର ପାଇଁ ପଦକ୍ଷେପ ନେଉଛୁ । ଆମର ଯୁବ ସମାଜକୁ ବିଶ୍ୱର ନିଯୁକ୍ତି ବଜାରର ଚାହିଦା ମୁତାବକ ପ୍ରସ୍ତୁତ କରିବା ପାଇଁ ଆମର ସ୍କିଲ୍ଡ ଇନ୍ ଓଡ଼ିଶା କାର୍ଯ୍ୟକ୍ରମର ଅଂଶସ୍ୱରୂପ ବିଶ୍ୱଦକ୍ଷତା କେନ୍ଦ୍ର ଆରମ୍ଭ କରାଯାଇଛି । ଆମର ଯୁବସମାଜ ଯେପରି ବିଶ୍ୱର ଶ୍ରେଷ୍ଠ ପ୍ରତିଯୋଗୀମାନଙ୍କ ସହ ଦକ୍ଷତାର ସହିତ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ, ସେଥିପାଇଁ ପ୍ରତି କ୍ଷେତ୍ରରେ ସେମାନଙ୍କୁ ଗୁଣାତ୍ମକ ଦକ୍ଷତା ତାଲିମ ଦିଆଯିବ । ଓଡିଶା ଆଜି ପୁଞ୍ଜି ବିନିଯୋଗର ଆକର୍ଷଣୀୟ କେନ୍ଦ୍ର ହୋଇ ରହିଛି । କୋଭିଡ ମହାମାରୀ ପରିସ୍ଥିତି ସତ୍ତେ୍ୱ ଦେଶର କେତେକ ବଡ ବଡ ପୁଞ୍ଜିନିବେଶକୁ ଆକର୍ଷିତ କରିବାରେ ସଫଳ ହୋଇପାରିଛୁ । କ୍ରୀଡାର ବିକାଶ ଦିଗରେ ଆମର ନିରନ୍ତର ପ୍ରୟାସ ଜାରି ରହିଛି । ରାଉରକେଲାରେ ଦେଶର ବୃହତ୍ତମ ହକି ଷ୍ଟାଡିୟମ୍ ସମେତ ବିଭିନ୍ନ କ୍ରୀଡା ପ୍ରକଳ୍ପ ନିମନ୍ତେ ୧୦୦୦ କୋଟିରୁ ଅଧିକ ଟଙ୍କା ବିନିଯୋଗ କରାଯାଇଛି । କୃଷି ଓ କୃଷକର ଉନ୍ନତି ହେଉଛି ଆମ ରାଜ୍ୟର ବିକାଶର ଆଧାରଶୀଳା ।

ଗତ ଏକବର୍ଷ ମଧ୍ୟରେ କାଳିଆ ଯୋଜନାରେ ଆମ ରାଜ୍ୟର ଚାଷୀମାନଙ୍କ ବ୍ୟାଙ୍କ ଖାତାରେ ୬୧୧୮ କୋଟିରୁ ଅଧିକ ଟଙ୍କା ଜମା କରି ଆମେ ଆମର ପ୍ରତିଶ୍ରୁତି ରକ୍ଷା କରିପାରିଛୁ । ବିଭିନ୍ନ ଜଳସେଚନ ପ୍ରକଳ୍ପକୁ ଠିକ୍ ସମୟରେ ଶେଷ କରିବାପାଇଁ କଡା ନିର୍ଦ୍ଦେଶ ଦିଆଯାଇଛି । ଚଳିତ ବର୍ଷ ଅପର ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପ ଓ ଲୋୟର ଇନ୍ଦ୍ରାବତୀ ପ୍ରକଳ୍ପ ଚାଷୀଙ୍କ ସେବାରେ ଉତ୍ସର୍ଗ କରାଯାଇଛି । ମହିଳା ସଶକ୍ତିକରଣକୁ ଦୃଷ୍ଟିରେ ରଖି ମିଶନ ଶକ୍ତି କାର୍ଯ୍ୟକ୍ରମକୁ ମଜବୁତ କରାଯାଇଛି । ଏକ ଉଦାହରଣୀୟ ପଦକ୍ଷେପ ଭାବରେ ମିଶନ ଶକ୍ତି ପାଇଁ ଏକ ସ୍ୱତନ୍ତ୍ର ବିଭାଗ ସୃଷ୍ଟି କରାଯାଇଛି । ମିଶନ ଶକ୍ତି ମା’ମାନଙ୍କର ଆର୍ଥିକ ସଶକ୍ତିକରଣ ପାଇଁ ଆଗାମୀ ୫ ବର୍ଷରେ ସେମାନଙ୍କୁ ୫୦୦୦ କୋଟି ଟଙ୍କାର ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ସଂପୃକ୍ତ କରିବା ପାଇଁ ଆମେ ନିଷ୍ପତ୍ତି ନେଇଛୁ । ଆମର ମହାନ ସାଂସ୍କୃତିକ ଐତିହ୍ୟର ସୁରକ୍ଷା ପାଇଁ ସାରା ରାଜ୍ୟରେ ପୁରୀ, କୋଣାର୍କ, ସମଲେଶ୍ୱରୀ, ହରଶଙ୍କର- ନୃସିଂହନାଥ ମନ୍ଦିରର ସଂରକ୍ଷଣ ପାଇଁ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି । ଆମର ପଞ୍ଚାୟତିରାଜ ଅନୁଷ୍ଠାନ ତଥା ପୌରସଂସ୍ଥାଗୁଡିକୁ ମଜବୁତ କରିବା ପାଇଁ ଅର୍ଥ କମିଶନଙ୍କ ଅନୁଦାନ ଜରିଆରେ ଗତ ଦୁଇବର୍ଷ ମଧ୍ୟରେ ସେମାନଙ୍କୁ ୧୧,୨୮୭ କୋଟି ଟଙ୍କାର ଆର୍ଥକ ଅନୁଦାନ ଦିଆଯାଇଛି । ଓଡିଶାର ଜନସାଧାରଣ ପଞ୍ଚମଥର ପାଇଁ ଆମକୁ ଆଶୀର୍ବାଦ କରି ସେବାର ସୁଯୋଗ ଦେଇଛନ୍ତି । ଲୋକଙ୍କୁ ଆମେ ଦେଇଥିବା ପ୍ରତିଶ୍ରୁତି ଏବଂ ସେମାନଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବା ପାଇଁ ଆମେ କଠିନ ପରିଶ୍ରମ କରୁଛୁ । ଏହି ମହାମାରୀ ଏକ ଅନନ୍ୟ ପରିସ୍ଥିତି ସୃଷ୍ଟି କରିଛି, ଯାହାଦ୍ୱାରା କି ଲୋକମାନଙ୍କ ଜୀବନ ଓ ଜୀବିକା ଗଭୀର ଭାବରେ ପ୍ରଭାବିତ ହୋଇଛି । ଏସବୁ ଆହ୍ୱାନ ସତ୍ତେ୍ୱ ଆମର ଦୃଢ ବିଶ୍ୱାସ ଯେ, ଓଡିଶାର ଜନସାଧାରଣଙ୍କ ସହଯୋଗରେ ଏହି ସଂକଟର ମୁକାବିଲାରେ ଆମେ ବିଜୟୀ ହେବୁ ତଥା ଓଡିଶାର ରୂପାନ୍ତର ନିମନ୍ତେ ଆମର ଭଲ କାମକୁ ଜାରି ରଖିବୁ ବୋଲି ମତପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Comments are closed.