ନବୀନଙ୍କୁ ମୋଦୀଙ୍କ ପ୍ରଶଂସା

64

ନୂଆଦିଲ୍ଲୀ : ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ବାତ୍ୟା ସମୀକ୍ଷା ବୈଠକକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି । ଉଭୟଙ୍କ ମଧ୍ୟରେ ଫଳପ୍ରଦ ଆଲୋଚନା ହୋଇଥିବା ଟ୍ୱିଟ୍ ଜରିଆରେ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରକୁ ଆହୁରି ସଶକ୍ତ କରିବା ପାଇଁ ମିଳିତ ଭାବେ କାର୍ଯ୍ୟ କରାଯିବ । ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରିଛି ବୋଲି ମୋଦୀ ଟ୍ୱିଟ୍ ଜରିଆରେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ବୈଠକ ପରେ ଦିଲ୍ଲୀ ଫେରି ଓଡ଼ିଶା ସମେତ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ପାଇଁ ୫ଶହ କୋଟି ଟଙ୍କାର ସହାୟତା ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଟ୍ୱିଟ୍ ଯୋଗେ ଧନ୍ୟବାଦ ଜଣାଇଥିଲେ । ଯାହାକୁ ରିଟ୍ୱିଟ୍ କରି ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସୂଚନାଯୋଗ୍ୟ ଯେ, ଶୁକ୍ରବାର ଓଡ଼ିଶା ଗସ୍ତରେ ଆସି ବାତ୍ୟା କ୍ଷୟକ୍ଷତିର ସମୀକ୍ଷା କରିଥିଲେ ପ୍ରଧାନମନ୍ତ୍ରୀ । ଭୁବନେଶ୍ୱରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ଓ ୫-ଟି ସଚିବ ଭି.କେ ପାଣ୍ଡିଆନ୍ଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ସମୀକ୍ଷା ବୈଠକରେ ହୋଇଥିବା ଆଲୋଚନା ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଏସ୍ଆରସି ପ୍ରଦୀପ କୁମାର ଜେନା କହିଛନ୍ତି ଯେ, କ୍ଷତିକ୍ଷତି ନେଇ ଆକଳନ ଚାଲିଛି । ଏବେ କ୍ଷୟକ୍ଷତି ବାବଦରେ ଅର୍ଥରାଶି ଆମେ କେନ୍ଦ୍ରକୁ ମାଗିନାହୁ । ୭ ଦିନ ପରେ କ୍ଷୟକ୍ଷତି କେତେ ହୋଇଛି ଆମେ ଜଣାଇବୁ । ବାତ୍ୟାରେ କ’ଣ ହୋଇଛି ସେ ନେଇ ୮ ମିନିଟ୍ ର ଏକ ଭିଡିଓ କ୍ଳିପ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଛି । ବାତ୍ୟା ଅଞ୍ଚଳର ସ୍ଥିତି ନେଇ ମଧ୍ୟ ପାୱାର ପଏଣ୍ଟ ମାଧ୍ୟମରେ ପ୍ରଦର୍ଶିତ କରାଯାଇଛି । ତେବେ ଅନୁଷ୍ଠିତ ବୈଠକରେ ରାଜ୍ୟ ପକ୍ଷରୁ ବାତ୍ୟା ନିରୋଧୀ ଭିତ୍ତିଭୂମି ଓ ବେଳାଭୂମିର ସୁରକ୍ଷା ପାଇଁ ଅନୁରୋଧ କରାଯାଇଥିବା ଶ୍ରୀ ଜେନା ସୂଚନା ଦେଇଥିଲେ । ତେବେ ବାତ୍ୟା କ୍ଷୟକ୍ଷତିର ଭରଣା ରାଜ୍ୟ ନିଜେ କରିବ ବୋଲି ଶ୍ରୀ ଜେନା କହିଥିଲେ ।

Comments are closed.