ପୁଣି କାଶୀନଗର ବ୍ଲକ ମୁହାଁ ହେଲେ ବଣୁଆ ହାତୀପଲ

0 60

ପାରଳାଖେମୁଣ୍ଡି, ୩୦ା୫ : ଗଜପତି ଜିଲ୍ଲା କାଶୀନଗର ବ୍ଲକ ବୁଦୁରା ପଞ୍ଚାୟତ ଅନ୍ତର୍ଗତ ଇଦୁଡି ଏବଂ ଅନ୍ୟାନ୍ୟ ଗ୍ରାମାଞ୍ଚଳରେ ବଣୁଆ ହାତୀପଲ ବିଚରଣ କରୁଥିବା ନେଇ ସାଧାରଣରେ ଆତଙ୍କ ପ୍ରକାଶ ପାଇଛି । ଏହି ଗ୍ରାମବାସୀମାନେ କହିଛନ୍ତି ଯେ, ଶୁକ୍ରବାର ବିଳମ୍ବିତ ରାତିିରେ ୪ଟିକିଆ ଏହି ବଣୁଆ ହାତୀପଲ ଇଦୁଡି ଗ୍ରାମକୁ ଲାଗିଥିବା ଚାଷ ଜମିକୁ ପଶି ଆସିଥିଲେ । ପରେ ନିକଟରେ ଥିବା ଗଛରୁ ଡାଳ ଭାଙ୍ଗିବା ସହ ସେଗୁଡିକୁ ଖାଇ ବିଶ୍ରାମ ନେଇଥିଲେ । ଏଥି ସହ ବଣୁଆ ହାତୀପଲ ନଦୀକୂଳରେ ପୋତା ଯାଇଥିବା ଏକ ବନ୍ୟାଜଳ ମାପକ ଯନ୍ତ୍ରକୁ ଭାଙ୍ଗି ଦେଇଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ କିଛି ମାସ ଧରି ବଂଶଧାରା ନଦୀର ଆରପଟରେ ଥିବା ଆନ୍ଧ୍ର ସୀମାରେ ଏହି ହାତୀପଲ ବିଚରଣ କରିବା ସହ କିଛି ପରିମାଣରେ କ୍ଷୟକ୍ଷତି ଘଟାଇ ଆସୁଥିଲେ । ଏବେ ଏହି ହାତୀପଲ ଆନ୍ଧ୍ରସୀମାକୁ ଛାଡି ଓଡିଶାର ଗଜପତି ଜିଲ୍ଲା ଅନ୍ତର୍ଗତ କାଶୀନଗର ବ୍ଲକର ଇଦୁଡି ଓ ଅନ୍ୟାନ୍ୟ ଗ୍ରାମ ମୁହାଁ ହୋଇଥିବା ଯୋଗୁଁ ହାତୀପଲଙ୍କ ଦ୍ୱାରା କୌଣସି ସମୟରେ କ୍ଷୟକ୍ଷତି ଘଟିବାର ଆଶଙ୍କା ପ୍ରକାଶ କରି ଲୋକେ ଆତଙ୍କିତ ହୋଇପଡିଛନ୍ତି । ଏନେଇ ଗଜପତି ପ୍ରଶାସନ ଓ ବନବିଭାଗ ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଅଞ୍ଚଳବାସୀ ନିବେଦନ କରିଛନ୍ତି ।

Leave A Reply

Your email address will not be published.