ଏବେର ଭାରତ ଅନ୍ୟ ଦେଶର ଚିନ୍ତାଧାରା ଏବଂ ଚାପରେ ନାହିଁ

0 68

ନୂଆଦିଲ୍ଲୀ, ୩୦ ।୫: ଆଜି ମୋଦି ସରକାରର ଦ୍ୱିତୀୟ ପାଳିର ଦ୍ୱିତୀୟ ବର୍ଷ । ଦୀର୍ଘ ୭ ବର୍ଷ ହେବ ମୋଦି ସରକାର ଦେଶରେ ସରକାରରେ ରହିଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୀର୍ଘ ୭୦ ବର୍ଷର ସରକାରକୁ ଚଳିତ ୭ ବର୍ଷର ସରକାର ସହ ତୁଳନା କରି ନିଜ ସରକାରର ଉପଲବ୍ଧ ରଖିଛନ୍ତି ମନ୍ କି ବାତ ଜରିଆରେ । ସେ କହିଛନ୍ତି ଦେଶରେ ଏବେ ଅନେକ ପରିବର୍ତ୍ତନ ହୋଇଛି । ସାଟେଲାଇଟରୁ ସଡ଼କ ସବୁଥିରେ ଉପଲବ୍ଧି ହୋଇଛି । ସେ କହିଛନ୍ତି ଯେ ଏହି ୭ ବର୍ଷରେ ଯାହା କିଛି ସଫଳତା ମିଳିଛି, ତାହା ଦେଶ ଓ ଦେଶବାସୀଙ୍କର । ଏବେର ଭାରତ ଅନ୍ୟ ଦେଶର ଚିନ୍ତାଧାରା ଏବଂ ଚାପରେ ନାହିଁ । ଦେଶ ନିଜ ସଂକଳ୍ପ ସହିତ ଚାଲୁଛି । ଏଥିପାଇଁ ଆମେ ସମସ୍ତେ ଗର୍ବିତ । ଯେଉଁମାନେ ଆମ ବିରୁଦ୍ଧରେ ଷଡଯନ୍ତ୍ର କରୁଛନ୍ତି ସେମାନଙ୍କୁ ଉପଯୁକ୍ତ ଉତ୍ତର ଦେଉଛି ଦେଶ । ଯାହାକି ଆମର ଆତ୍ମବିଶ୍ୱାସ ବଢ଼ାଉଛି । ଭାରତ ଜାତୀୟ ନିରାପତ୍ତା ପ୍ରସଙ୍ଗରେ ଆପୋଷ ବୁଝାମଣା କରେ ନାହିଁ । ଯେତେବେଳେ ଆମ ସେନାର ଶକ୍ତି ବଢେ ସେତେବେଳେ ଆମେ ଅନୁଭବ କରୁ ଯେ ଠିକ୍ ରାସ୍ତାରେ ଅଛୁ । ସେ କହିଛନ୍ତି ଯେ ଖୁସି ଲାଗେ ଯେତେବେଳେ ଲୋକମାନେ ଧନ୍ୟବାଦ ଦିଅନ୍ତି ଦୀର୍ଘ ୭୦ ବର୍ଷ ପରେ ପ୍ରଥମ ଥର ପାଇଁ ସେମାନଙ୍କ ଗାଁରେ ବିଜୁଳି ପହଞ୍ଚିଛି । ସେମାନଙ୍କ ପୁଅ ଓ ଝିଅ ପଙ୍ଖା ତଳେ ବସି ପାଠ ପଢୁଛନ୍ତି । ଗାଁର ପକ୍କା ରାସ୍ତା ସହ ସହର ସହିତ ସଂଯୁକ୍ତ ହୋଇଛି । ସ୍ୱାଧୀନତାର ସାତ ଦଶନ୍ଧିରେ କେବଳ ତିନି କୋଟି ଗାଁରେ ପାଣି ସଂଯୋଗ ହୋଇଥିଲା । କିନ୍ତୁ ଗତ ୨୧ ମାସ ମଧ୍ୟରେ ତାଙ୍କ ସରକାର ସାଢ଼େ ଚାରି କୋଟି ଘରକୁ ବିଶୁଦ୍ଧ ଜଳ ସଂଯୋଗ ଦେଇଛନ୍ତି । ଏଥିମଧ୍ୟରୁ ୧୫ ମାସ କରୋନାକାଳ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି ଯେ “ଆୟୁଷ୍ମାନ ଭାରତ ଯୋଜନା’ ଜରିଆରେ ଦେଶକୁ ଏକ ନୂଆ ବିଶ୍ୱାସ ଆସିଛି, ଯେତେବେଳେ ଜଣେ ଚିକିତ୍ସିତ ହୋଇ ଘରକୁ ଫେରନ୍ତି ସେତେବେଳେ ପରିବାର ଲୋକେ ଅନୁଭବ କରନ୍ତି ଯେ ଏହା ତାଙ୍କୁ ଏକ ନୂଆ ଜୀବନ ଦେଇଛି । ସେହିପରି ଏବେ ଦେଶର କୋଣ ଅନୁକୋଣରେ ଡିଜିଟାଲ ନେଣଦେଣ ହୋଇପାରୁଛି ବୋଲି କହିଛନ୍ତି । କରୋନା ମହାମାରୀ ବେଳେ ଏହି ଡିଜିଟାଲ ପେମେଣ୍ଟ ବହୁତ ଲାଭ ଦାୟକ ସାବ୍ୟସ୍ତ ହୋଇଛି ବୋଲି ସେ କହିଛନ୍ତି । ଉତ୍ତର-ପୂର୍ବରୁ କଶ୍ମୀର ପର୍ଯ୍ୟନ୍ତ ଶାନ୍ତି ଏବଂ ବିକାଶର ଏକ ନୂତନ ଆତ୍ମବିଶ୍ୱାସ ସୃଷ୍ଟି ହୋଇଛି । ଆମେ ଅନେକ ସାଟେଲାଇଟ୍ ଉତକ୍ଷେପଣ କରି ରେକର୍ଡ ତିଆରି କରିଛୁ । ଏହି ୭ ବର୍ଷ ମଧ୍ୟରେ ଦେଶର ଅନେକ ପୁରୁଣା ବିବାଦ ମଧ୍ୟ ସମ୍ପୂର୍ଣ୍ଣ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ସହିତ ସମାଧାନ ହୋଇଛି ବୋଲି ମୋଦି ମନ୍ କୀ ବାତ୍ ଜରିଆରେ କହିଛନ୍ତି । ସେହିଭଳି କେହି କେହି ବ୍ୟାଙ୍କ ଆକାଉଣ୍ଟ ଖୋଲିବାର ଖୁସି ବାଣ୍ଟନ୍ତି । ସରକାରଙ୍କ ବିଭିତ୍ତ ସ୍କିମ୍ ଜରିଆରେ ଲୋକମାନେ ଋଣ ନେଇ ବିଭିତ୍ତ ବ୍ୟବସାୟ ପ୍ରତିଷ୍ଠାନ ଖୋଲିବାରେ ସଫଳ ହେଲେ ମଧ୍ୟ ଖୁସି ଲାଗେ ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳିବା ପରେ ଅନେକ ଲୋକ ଧନ୍ୟବାଦ ଦେଇଛନ୍ତି ବୋଲି ସେ କହିଛନ୍ତି । ୭ ବର୍ଷରେ ଏମିତି ଅନେକ ଖୁସି ଅଛି ଯାହାକୁ ନେଇ ଆଜି ଦେଶ ଆଗକୁ ବଢ଼ୁଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.