୨ ନୁହେଁ ୩ ସନ୍ତାନ ପାଇଁ ଅନୁମତି ଦେଲା ଚୀନ୍

77

ନୂଆଦିଲ୍ଲୀ : ଚୀନରେ ମୋଟ ଜନସଂଖ୍ୟାର ଏକ ବଡଭାଗ ଏବେ ବୃଦ୍ଧ ଅବସ୍ଥାରେ ପହଞ୍ଚିସାରିଛି । ଏହାସହ ଦେଶରେ ଜନସଂଖ୍ୟା ବୃଦ୍ଧିର ଗତି ହ୍ରାସ ହୋଇଛି । ଏହାକୁ ନଜରରେ ରଖି ଚୀନ ସରକାର ପରିବାର ନିୟୋଜନ ନିୟମରେ କୋହଳ କରିଛନ୍ତି । ସୋମବାର ଦିନ ଚୀନ ସରକାର ଏନେଇ ଏକ ବଡ ଘୋଷଣା କରିଛନ୍ତି । ସରକାରଙ୍କ ଘୋଷଣା ମୁତାବକ ଏବେ ଜଣେ ଦମ୍ପତ୍ତି ୩ଟି ସନ୍ତାନ ଜନ୍ମ କରିପାରିବେ । ପ୍ରଥମେ ଚୀନର ଆଇନ ମୁତାବକ ଜଣେ ଦମ୍ପତ୍ତି ୨ଟି ସନ୍ତାନ ଜନ୍ମ କରିବାର ପ୍ରାବଧାନ ଥିଲା । କିଛିଦିନ ତଳେ ଚୀନ ଜନସଂଖ୍ୟାର ଏକ ହିସାବ ଆସିଥିଲା ଯେଉଁଥିରେ ଦେଖାଯାଇଥିଲା କି ମୋଟ ଜନସଂଖ୍ୟାର ଏକ ବଡଭାଗ ବୃଦ୍ଧ ଅବସ୍ଥାକୁ ଆସିଯାଇଛନ୍ତି । ଏହା ଦେଶର ଭବିଷ୍ୟତ ପାଇଁ ବିପଦ ବୋଲି ଆଶଙ୍କା କରି ଚୀନ ସରକାର ପରିବାର ନିୟୋଜନ ଆଇନରେ ପରିବର୍ତ୍ତନ ଆଣିଛନ୍ତି । ଚୀନ ଗଣମାଧ୍ୟମର ସୂଚନା ମୁତାବକ ଏହି ଆଇନକୁ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗ୍ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଅର୍ଥାତ ଦୀର୍ଘଦିନ ଧରି ଚୀନରେ ଚାଲିଥିବା “ଆମେ ଦୁଇ ଆମର ଦୁଇ’ ଆଇନର ଅନ୍ତ ଘଟିଛି । କିଛିଦିନ ତଳେ ଚୀନ ତା’ର ଜନସଂଖ୍ୟାର ହିସାବ ଜାରି କରିଥିଲା । ଏହି ହିସାବ ମୁତାବକ ପୂର୍ବ ଦଶକରେ ଚୀନରେ ଶିଶୁ ଜନ୍ମ ହାର ବେସ୍ କମିଥିବା ଦେଖାଯାଇଥିଲା । ଏହାର ମୁଖ୍ୟ କାରଣ ଚୀନର ଦୁଇ ଶିଶୁ ଯୋଜନା ବୋଲି କୁହାଯାଇଛି । ଚୀନରେ ସଦ୍ୟ ଜନସଂଖ୍ୟା ହିସାବରେ ୨୦୧୦ ରୁ ୨୦୨୦ ମଧ୍ୟରେ ଚୀନରେ ୦.୫୩ ପ୍ରତିଶତ ଜନସଂଖ୍ୟା ବୃଦ୍ଧି ହୋଇଛି । ଏହି ହାର ୨୦୦୦ରୁ ୨୦୧୦ ମଧ୍ୟରେ ୦.୫୭ ପ୍ରତିଶତ ଥିଲା । ଏହାସହ ଚୀନର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ମୁତାବକ ୨୦୨୦ ମସିହାରେ ଚୀନରେ କେବଳ ୧୨ ମିଲିୟନ ଶିଶୁ ଜନ୍ମ ହୋଇଛନ୍ତି । ଯାହାକି ୨୦୧୬ ରେ ୧୮ ମିଲିୟନ ଥିଲା । ୧୯୬୦ ପରେ ୨୦୨୦ରେ ଚୀନରେ ସବୁଠାରୁ କମ୍ ଶିଶୁ ଜନ୍ମ ହୋଇଛନ୍ତି ।

Comments are closed.