ମୋଦୀ ବନାମ ଦିଦି ବିବାଦରେ ନୂଆ ଟ୍ୱିଷ୍ଟ : ଦିଲ୍ଲୀ ଗଲେନି, ଅବସର ନେଲେ ବଙ୍ଗ ମୁଖ୍ୟ ଶାସନ ସଚିବ

74

-ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତ କଲେ ମମତା
-କେନ୍ଦ୍ରର ପରବର୍ତ୍ତୀ ପଦକ୍ଷେପ ଉପରେ ନଜର

କୋଲକାତା : ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ଆଲାପନ ବନ୍ଦୋପାଧ୍ୟାୟଙ୍କୁ ନୂଆଦିଲ୍ଲୀ ପଠାଇବା ନେଇ କେନ୍ଦ୍ର ସହ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଚାଲିଥିବା ବିବାଦରେ ଏକ ନୂଆ ମୋଡ ଆସିଛି । ଆଜି ଆଲାପନ ବନ୍ଦୋପାଧ୍ୟାୟଙ୍କୁ କେନ୍ଦ୍ରକୁ ଛାଡ଼ିବି ନାହିଁ ବୋଲି ଲେଖି ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ ଦିଦି । କେନ୍ଦ୍ର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ବଡ଼ ପଦକ୍ଷେପ ନେଇଛନ୍ତି ଦିଦି । ଆଲାପନ ବନ୍ଦୋପାଧ୍ୟାୟଙ୍କ ଆଜି ଅବସର ନେବାର ଦିନ ଥିବାବେଳେ ତାଙ୍କୁ ମୁଖ୍ୟ ଶାସନ ସଚିବ ପଦରୁ ଅବସର ଦେଇ ଦିଦି ନିଜର ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତ କରିଛନ୍ତି ।

ଆସନ୍ତାକାଲିଠୁ ଆଲାପନ ବନ୍ଦୋପାଧ୍ୟାୟ ମୁଖ୍ୟ ପରାମର୍ଶଦାତା ଭାବେ କାମ ଆରମ୍ଭ କରିବା ସହ ଗୃହ ସଚିବ ହରିକୃଷ୍ଣ ଦ୍ୱିବେଦୀ ମୁଖ୍ୟ ଶାସନ ସଚିବ ଭାବେ ନିଜର କାର୍ଯ୍ୟ ଆରମ୍ଭ କରିବେ । ଗୃହ ସଚିବ ହରିକୃଷ୍ଣ ଦ୍ୱିବେଦୀଙ୍କୁ ଆଜି କେନ୍ଦ୍ର ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ କରିଥିବା ଜଣାପଡିଛି । ଅବସର ନେବା ଦିନ ହିଁ ନୂଆ ଦାୟିତ୍ୱ ଦେବା ପଛରେ ଦିଦିଙ୍କ ବଡ଼ କାରଣ ରହିଛି । ତାହା ହେଲା ରାଜ୍ୟ ସରକାରଙ୍କ ଆଦେଶ ଅନୁଯାୟୀ କେନ୍ଦ୍ର ସରକାରଙ୍କ ସହମତି ଆଧାରରେ ପଶ୍ଚିମବଙ୍ଗ ମୁଖ୍ୟ ସଚିବ ଆଲାପନ ବନ୍ଦୋପାଧ୍ୟାୟଙ୍କ କାର୍ଯ୍ୟକାଳ ତିନିମାସ ପାଇଁ ବୃଦ୍ଧି କରାଯାଇଥିଲା । ଆଜି ତାଙ୍କର ଅବସର ନେବାର ଦିନ ଥିବାବେଳେ କାଲିଠାରୁ ସେ ଆହୁରି ୩ମାସ ମୁଖ୍ୟ ଶାସନ ସଚିବ ଭାବେ କାମ କରିଥାନ୍ତେ । ହେଲେ ଦିଲ୍ଲୀକୁ ଯିବା ପାଇଁ ମନା କରିବା ପରେ କେନ୍ଦ୍ର ଆଲାପନ ବନ୍ଦୋପାଧ୍ୟାୟଙ୍କ ତିନି ମାସର କାର୍ଯ୍ୟକାଳ ବୃଦ୍ଧିକୁ ବାତିଲ କରି ହରିକୃଷ୍ଣ ଦ୍ୱିବେଦୀଙ୍କୁ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ କରିବାରୁ ଦିଦି ଏହି ନିଷ୍ପତ୍ତି ନେଇଛନ୍ତି ।

ଦିଦିଙ୍କ ସୂଚନା ଅନୁସାରେ ଆଲାପନ ବନ୍ଦୋପାଧ୍ୟାୟ ଆସନ୍ତାକାଲିଠାରୁ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଭାବରେ
ଯୋଗଦେବେ । କରୋନା ମହାମାରୀ ପାଇଁ ଆମେ ତାଙ୍କର ସେବା ଚାହୁଁ । ସମସ୍ତେ ଜାଣନ୍ତି ଯେ ସେ କିପରି କାମ କରିଛନ୍ତି ଏବଂ ତାଙ୍କ ପାଇଁ ଆମେ ଆଜି ସୁରକ୍ଷିତ ।

Comments are closed.