କରୋନା କ୍ଷତିଗ୍ରସ୍ତଙ୍କ ଦୁଃଖ ବୁଝିଲେ ମୁଖ୍ୟମନ୍ତ୍ରୀ : ବିଧବା-ଅନାଥଙ୍କୁ ୧୫ ଦିନରେ ପେନ୍ସନ

74

-ସବୁ ହିତାଧିକାରୀଙ୍କୁ ୩ ମାସର ଭତ୍ତା ଦେବା ପାଇଁ ନିର୍ଦ୍ଦେଶ
-ସାମାଜିକ ସୁରକ୍ଷା ଯୋଜନାର ହିତାଧିକାରୀ ପାଇବେ ସୁବିଧା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ କୋଭିଡ ପରିସ୍ଥିତି ସଂପର୍କରେ ସମୀକ୍ଷା କରିଛନ୍ତି । କୋଭିଡରେ ନିଜ ସ୍ୱାମୀଙ୍କୁ ହରାଇଥିବା ମହିଳା ଏବଂ ବାପାମା’ଙ୍କୁ ହରାଇଥିବା ପିଲାମାନଙ୍କୁ ପ୍ରାଥମିକତା ଭିତ୍ତିରେ ଚିହ୍ନଟ କରିବା ସହିତ ଆଗାମୀ ୨ ସପ୍ତହ ମଧ୍ୟରେ ମଧୁବାବୁ ପେନ୍ସନ୍ ଯୋଜନାରେ ସେମାନଙ୍କୁ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି କୋଭିଡ ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ସାମାଜିକ ନିରାପତ୍ତା ଯୋଜନାର ହିତାଧିକାରୀମାନଙ୍କୁ ଆଗୁଆ ୩ ମାସର ପେନ୍ସନ୍ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହି ପେନ୍ସନ୍ ନଗଦ ଟଙ୍କା ଆକାରରେ ହିତାଧିକାରୀଙ୍କ ଗାଁରେ ହିଁ ଦିଆଯିବ । ଦେଶର ବିଭିନ୍ନ ରାଜ୍ୟରେ ବର୍ତ୍ତମାନ ବ୍ଲାକ୍ ଫଙ୍ଗସ୍ର ରୋଗୀ ବହୁସଂଖ୍ୟାରେ ବାହାରୁଥିବାରୁ ମୁଖ୍ୟମନ୍ତ୍ରୀ ଉଦ୍ବେଗ ପ୍ରକାଶ କରିବା ସହିତ ରାଜ୍ୟରେ ଏହାର ମୁକାବିଲା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ରହିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ତାଲିମପ୍ରାପ୍ତ ଡାକ୍ତର ଓ ମେଡିସିନ୍ ମହଜୁଦ ରଖିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି ରାଜ୍ୟର ମେଡିକାଲ କଲେଜ ସମେତ ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କୋଭିଡ୍ ଓ ନନ୍କୋଭିଡ ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କୁ ଚିହ୍ନଟ କରି ଅଲଗା ଅଲଗା ୱାର୍ଡରେ ସେମାନଙ୍କୁ ଚିକିତ୍ସା କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଆଗାମୀ ସପ୍ତାହ ମଧ୍ୟରେ ରାଜ୍ୟରେ କୋଭିଡ ଦ୍ୱିତୀୟ ଲହରର ରୋଗୀଙ୍କ ସଂଖ୍ୟା ହ୍ରାସ ପାଇବ ବୋଲି ଆଶାବ୍ୟକ୍ତ କରି ସେ କହିଥିଲେ ଯେ ଏହି ଅଭିଜ୍ଞତାକୁ ଉପଯୋଗ କରି ଆମକୁ ତୃତୀୟ ଲହର ପାଇଁ ପ୍ରସ୍ତୁତ ରହିବାକୁ ହେବ । ବର୍ତ୍ତମାନ ରାଜ୍ୟରେ ପଜିଟିଭିଟି ରେଟ୍ ୧୫ ପ୍ରତିଶତରୁ କମ୍ ରହିଛି ଏବଂ ଅଧିକାଂଶ ଜିଲ୍ଲାରେ ପଜିଟିଭ କେସ୍ ମଧ୍ୟ ହ୍ରାସ ପାଇଲାଣି। କିନ୍ତୁ ବାତ୍ୟା ପ୍ରଭାବିତ ଅଞ୍ଚଳରେ ଅଧିକ ଟେଷ୍ଟିଂ କରିବାର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ତା’ସହିତ ୨୪ ମଇରୁ ଆରମ୍ଭ ହୋଇଥିବା ଘରକୁ ଘର ବୁଲି ସର୍ଭେ କାର୍ଯ୍ୟ ସଂପର୍କରେ ବ୍ୟାପକ ସଚେତନତା କରାଯିବା ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ଜିଲ୍ଲାପାଳମାନେ ଏହାକୁ ଅତ୍ୟନ୍ତ ଗୁରୁତ୍ୱର ସହ ନେଇ ଚିହ୍ନଟ ରୋଗୀମାନଙ୍କର ଚିକିତ୍ସା ପ୍ରାଥମିକତା ଭିତ୍ତିରେ ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି । ବର୍ତ୍ତମାନ ପରିସ୍ଥିତିରେ ସଂକ୍ରମଣ ନିୟନ୍ତ୍ରଣ କାର୍ଯ୍ୟକ୍ରମରେ ଗୋଷ୍ଠୀକୁ ସକ୍ରିୟ ଭାବରେ ସାମିଲ କରିବା ଉପରେ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଟିକାକରଣ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଭବିଷ୍ୟତ ଲହର ଏବଂ ଭାରିଆଣ୍ଟ ବିରୁଦ୍ଧରେ ଲଢିବା ପାଇଁ ମୁଖ୍ୟ ଅସ୍ତ୍ର ହେଉଛି ଟିକା । ସମସ୍ତ ବାଧାବିଘ୍ନ ସତ୍ତେ୍ୱ ରାଜ୍ୟରେ ଟିକା ଯୋଗାଣ ବୃଦ୍ଧି ପାଇଁ ସରକାର ସବୁମତେ ଉଦ୍ୟମ ଜାରି ରଖିଛନ୍ତି । ଆଗାମୀ ମାସରେ ଟିକା ଯୋଗାଣ ଉପରେ ଉନ୍ନତି ଆସିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।

ଜାତିସଂଘର ସଂସ୍ଥା United Nations Office for Disaster Risk Reduction ପକ୍ଷରୁ ଓଡିଶାର ବିପର୍ଯ୍ୟୟ ମୁକାବିଲା କାର୍ଯ୍ୟକ୍ରମକୁ ସ୍ୱୀକୃତି ପ୍ରଦାନ ସଂପର୍କରେ ମୁଖ୍ୟମନ୍ତ୍ରୀ କହିଥିଲେ ଓଡିଶାବାସୀଙ୍କ ସଂପୂର୍ଣ୍ଣ ସହଯୋଗ ଯୋଗୁ ହିଁ ଆମେ ଏହା ହାସଲ କରିପାରିଛୁ । ସେଥିପାଇଁ ମୁଖ୍ୟମନ୍ତ୍ରୀ ପୁଣି ଥରେ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇବା ସହିତ ଲକ୍ଡାଉନ୍ ନିୟମ ତଥା କୋଭିଡ ନିୟମାବଳୀ କଡାକଡି ପାଳନ ପାଇଁ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି । ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ ଗ୍ରାମାଞ୍ଚଳରେ ସଂକ୍ରମଣ ରୋକିବା ପାଇଁ ବର୍ତ୍ତମାନ ସ୍ୱତନ୍ତ୍ର ଗୁରୁôବ ଦିଆଯାଉଛି । ରାଜ୍ୟରେ କୋଭିଡ ପରିସ୍ଥିତି ସଂପର୍କରେ ସମ୍ୟକ ସୂଚନା ଦେଇ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି ଯେ ରାଜ୍ୟରେ କୋଭିଡ ପରିସ୍ଥିତିରେ ଉନ୍ନତି ପରିଲକ୍ଷିତ ହେଲାଣି । ଗତ ୧୫ ଦିନ ମଧ୍ୟରେ ରାଜ୍ୟରେ ମୃତ୍ୟୁ ହାର ୦.୩ ପ୍ରତିଶତ ରହିଛି, ଯାହାକି ସାରା ଦେଶରେ ସର୍ବନିମ୍ନ । ରାଜ୍ୟରେ ଦକ୍ଷିଣ ଓ ପଶ୍ଚିମ ଭାଗରେ ପଜିଟିଭିଟି ହାର ହ୍ରାସ ପାଇଥିବା ବେଳେ, ଉପକୂଳବର୍ତ୍ତୀ ୧୧ଟି ଜିଲ୍ଲାରୁ ରାଜ୍ୟର ମୋଟ ପଜିଟିଭ ସଂଖ୍ୟାର ୬୩ ପ୍ରତିଶତ ରହୁଛି । ତେଣୁ ଉପକୂଳ ଓଡିଶାରେ ଅଧିକ ଟେଷ୍ଟିଂ ଉପରେ ଜୋର ଦିଆଯିବ ବୋଲି ସେ କହିଛନ୍ତି । ବ୍ଲାକ୍ ଫଙ୍ଗସ୍ ଚିକିତ୍ସା ପାଇଁ AMPHOTERICIN ମଗାଯାଇଛି ବୋଲି ସେ ସୂଚନା ଦେଇଛନ୍ତି । ପୋଲିସ ମହାନିର୍ଦ୍ଦେଶକ ଅଭୟ ଓ ଅଗ୍ନିଶମ ସେବା ମହାନିର୍ଦ୍ଦେଶକ ଏମ୍. ଅକ୍ଷୟ ସେମାନଙ୍କ ବିଭାଗର କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ.ପାଣ୍ଡିଆନ ବୈଠକ ପରିଚଳନା କରିଛନ୍ତି ।

Comments are closed.