ଆଉ ଏକ ସ୍ୱଦେଶୀ ଟିକାକୁ ମିଳିବ ଅନୁମତି : ୩୦ କୋଟି ଟିକା ଅର୍ଡର କଲା କେନ୍ଦ୍ର

0 69

ନୂଆଦିଲ୍ଲୀ, ୩ ।୬: ଦେଶରେ କରୋନାର ଦ୍ୱିତୀୟ ଲହର ଯଦିଓ ଏବେ ଟିକିଏ ଧିମା ପଡ଼ିଛି ହେଲେ ଟିକାକରଣରେ କୌଣସି ଅଗ୍ରଗତି ହୋଇନି । ପୂର୍ବଭଳି ଧିମେଇ ଧିମେଇ ଚାଲିଛି । ଅନେକ ରାଜ୍ୟରେ ଟିକା କେନ୍ଦ୍ର ମଧ୍ୟ ଖାଲି ରହିଛି । ଦେଶର ଯୋଗ୍ୟ ବ୍ୟକ୍ତିକୁ କିନ୍ତୁ ବର୍ଷ ଶେଷ ସୁଦ୍ଧା ଟିକାକରଣ କରାଯିବ ବୋଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ କହିଛନ୍ତି । ଏହାରି ଭିତରେ କେନ୍ଦ୍ର ସରକାର ୩୦ କୋଟି ଟିକା ପାଇଁ ଅର୍ଡର କରିଛନ୍ତି । ହାଇଦ୍ରାବାଦ ସ୍ଥିତ ମେସର୍ସ ବାୟୋଲଜିକାଲ-ଇ ଟିକା କମ୍ପାନୀ ପାଖରୁ ୩୦ କୋଟି ଟିକା କିଣିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଗୁରୁବାର କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏହି ଘୋଷଣା କରିଛି । ଏଥିପାଇଁ କେନ୍ଦ୍ର ଟିକା କମ୍ପାନୀକୁ ୧୫୦୦ କୋଟି ଟଙ୍କା ଦେଇଛି । ମନ୍ତ୍ରାଳୟ କହିଛି, ଏହି ଟିକା ଚଳିତ ବର୍ଷ ଅଗଷ୍ଟ-ଡିସେମ୍ୱର ସୁଦ୍ଧା ଆସିଯିବ ବୋଲି ଆଶା ରହିଛି । ଏହି ଟିକା କିନ୍ତୁ ଏବେ କ୍ଲିନିକାଲ ଟ୍ରାଏଲରେ ରହିଛି । ପ୍ରଥମ ଓ ଦ୍ୱିତୀୟ ଟ୍ରାଏଲ ସଫଳ ହୋଇଛି । ତୃତୀୟ ଟ୍ରାଏଲ ମଧ୍ୟ ସଫଳ ହେବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଆଶାବାଦୀ ରହିଛି । ଏହି ଟିକା ଆରବିଡି ପ୍ରୋଟିନ ସବ ୟୁନିଟ ପ୍ରକାରର । ଏହି ଟିକାର ସଫଳ ଟ୍ରାଏଲ ହେଲେ ଭାରତର ଏହା ଦ୍ୱିତୀୟ ସ୍ୱଦେଶୀ ଟିକା ହେବ । ପୂର୍ବରୁ କରୋନା ବିରୋଧରେ ପ୍ରଥମ ସ୍ୱଦେଶୀ ଟିକା ଭାବରେ ଭାରତ ବାୟୋଟେକର କୋଭାକ୍ସିନ ମାନ୍ୟତା ପାଇସାରିଛି । ଟିକା ଉତ୍ପାଦନ ପାଇଁ କେନ୍ଦ୍ର ସରକାର ୧୦୦ କୋଟି ଟଙ୍କାର ସହାୟତା ଦେଇଛି । ସୂଚନାଯୋଗ୍ୟ ଗତକାଲି ଟିକା ନୀତି ନେଇ କେନ୍ଦ୍ର ସରକାର ଉପରେ ସୁପ୍ରିମକୋର୍ଟ ବର୍ଷିଥିଲେ । ଏମିତିକି ଟିକା ନୀତିର ସମୀକ୍ଷା ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଆସନ୍ତା ଦୁଇ ସପ୍ତାହ ମଧ୍ୟରେ କେନ୍ଦ୍ରକୁ ଟିକା ନୀତି ବାବଦରେ ବିସ୍ତୁତ ରିପୋର୍ଟ ଦେବାକୁ ସୁପ୍ରିମକୋର୍ଟ କହିଛନ୍ତି । ସେହିପରି ଟିକା ପାଇଁ ସରକାର ଯେଉଁ ୩୫ ହଜାର କୋଟିର ବ୍ୟବସ୍ଥା କରିଛନ୍ତି ତାର ହିସାବ ମଧ୍ୟ ଦେବାକୁ କହିଛନ୍ତି ସର୍ବୋଚ୍ଚ କୋର୍ଟ । ଜୁଲାଇ ଅଧାରୁ ଦୈନିକ ୧ କୋଟି ଲୋକଙ୍କୁ ସରକାର ଟିକାକରଣରେ ସାମିଲ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏଭଳି ସ୍ଥିତିରେ ଟିକାର ଆବଶ୍ୟକତା ଅଧିକ ରହିଛି । ତେଣୁ କେନ୍ଦ୍ର ସରକାର ଋଷିଆର ସ୍ପୁଟନିକ ଭିକୁ ଅନୁମତି ଦେଇସାରିଛନ୍ତି । ସେହିପରି ଆମେରିକାର ତିନି ଟିକା କମ୍ପାନୀ ମୋର୍ଡେର୍ଣ୍ଣା, ଫାଇଜର ଏବଂ ଜନସନ ଆଣ୍ଡ ଜନସନକୁ ଭାରତରେ ସହଜରେ ଉପଲବ୍ଧ କରାଇବା ପାଇଁ କେନ୍ଦ୍ର ସରକାର ନିୟମରେ ସଂଶୋଧନ କରିଛନ୍ତି । ଅର୍ଥାତ୍ ଏହି ତିନି ଟିକା କମ୍ପାନୀ ଏବେ ବିନା ଟ୍ରାଏଲରେ ଦେଶରେ ଟିକାକରଣରେ ସାମିଲ ହୋଇପାରିବେ । ସେହିପରି କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଉପରେ ମଧ୍ୟ ସରକାର ନିୟମ କୋହଳ କରିଥିବା ସୂଚନା ରହିଛି ।

Leave A Reply

Your email address will not be published.