ବିଜେପି କାଉନସିଲରଙ୍କୁ ଗୁଳିକରି ହତ୍ୟା

0 74

ଶ୍ରୀନଗର, ୩ ।୬: ଜମ୍ମୁ ଓ କଶ୍ମୀରର ପୁଲୱାମା ଜିଲ୍ଲାରେ ଜଣେ ବିଜେପି ନେତା ତଥା ମ୍ୟୁନିସିପାଲ୍ କାଉନ୍ସିଲରଙ୍କୁ ଗୁଳି କରି ହତ୍ୟା କରାଯାଇଛି । ବୁଧବାର ଆତଙ୍କବାଦୀମାନେ ତାଙ୍କୁ ହତ୍ୟା କରିଛନ୍ତି । ମୃତ କାଉନସିଲରଙ୍କ ନାଁ ରାକେଶ ପଣ୍ଡିତ । ସେ ପୁଲୱାମାର ତ୍ରାଲ ଅଞ୍ଚଳରେ ତାଙ୍କର ଜଣେ ବନ୍ଧୁଙ୍କ ଘରେ ଥିବା ବେଳେ ତିନି ଜଣ ଆତଙ୍କବାଦୀ ପଶି ତାଙ୍କୁ ଗୁଳି କରି ହତ୍ୟା କରିଥିଲେ । ଗୁଳିମାଡ଼ରେ ଘଟଣାସ୍ଥଳରେ ରାକେଶଙ୍କ ମୃତ୍ୟୁ ହୋଇଯାଇଥିଲା । ଏହି ଘଟଣାରେ ଅସିଫା ମୁସ୍ତାକ ନାମ୍ନୀ ଜଣେ ମହିଳା ଆହତ ହୋଇଛନ୍ତି । ତାଙ୍କୁ ଶ୍ରୀନଗରର ଏକ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣାପଡ଼ିଛି । ପୁଲିସ୍ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ରାକେଶ ପଣ୍ଡିତଙ୍କ ପାଇଁ ବ୍ୟକ୍ତିଗତ ସୁରକ୍ଷା କର୍ମଚାରୀ ନିୟୋଜିତ ହୋଇଥିଲେ । ସୁରକ୍ଷା ଦୃଷ୍ଟିକୋଣରୁ ସେ ଶ୍ରୀନଗରରେ ଏକ ହୋଟେଲରେ ରହୁଥିଲେ । କିନ୍ତୁ ସେ ସୁରକ୍ଷା କର୍ମଚାରୀଙ୍କୁ ନନେଇ ତ୍ରାଲ ଯିବା ପାଇଁ ଚାହିଁଥିଲେ । ଏହି ଘଟଣାରେ ଜମ୍ମୁ ଓ କଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ଦୁଃଖ ପ୍ରକାଶ କରିଛନ୍ତି । ସେ ତାଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଥିବା ବେଳେ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି । ଆତଙ୍କବାଦୀମାନେ ସେମାନଙ୍କ ଉଦ୍ଦେଶ୍ୟରେ କେବେ ବି ସଫଳ ହେବେ ନାହିଁ ବୋଲି ଶ୍ରୀ ସିହ୍ନା କହିଛନ୍ତି । ରାକେଶଙ୍କ ମୃତ୍ୟୁରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ଅଧ୍ୟକ୍ଷା ମେହବୁବା ମୁଫ୍ତି ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.