ନୀତି ଆୟୋଗ ଏସଡିଜି ରାଙ୍କିଙ୍ଗରେ କେରଳ ୧

0 76

ନୂଆଦିଲ୍ଲୀ, ୩ ।୬: ଭାରତ ସରକାରଙ୍କ ଥିଙ୍କଟ୍ୟାଙ୍କ ନୀତି ଆୟୋଗ ତା’ର ଏସଡିଜି (ସଷ୍ଟେନେବ୍ଲ ଡେଭଲପମେଣ୍ଟ ଗୋଲ୍) ଇଣ୍ତିଆ ଇଣ୍ଡେକ୍ସ ୨୦୨୦-୨୧ ରିପୋର୍ଟ ପ୍ରକାଶ କରିଛି । ନୀତି ଆୟୋଗ ପ୍ରସ୍ତୁତ କରିଥିବା ରାଙ୍କିଙ୍ଗରେ କେରଳ ୧ନଂ ସ୍ଥାନରେ ଥିବା ବେଳେ ବିହାର ସବୁଠାରୁ ପଛରେ ରହିଛି । ଓଡ଼ିଶାର ସ୍ଥାନ ୧୬ରୁ ୨୧କୁ ଖସିଯାଇଛି । ରାଜ୍ୟମାନଙ୍କର ସାମାଜିକ, ଅର୍ଥନୀତିକ ଓ ପରିବେଶ ଜନିତ ବିକାଶକୁ ଦୃଷ୍ଟିରେ ରଖି ଏହି ଏସଡିଜି ଇଣ୍ଡିଆ ଇଣ୍ଡେକ୍ସ ବା ନିରନ୍ତର ବିକାଶ ଲକ୍ଷ୍ୟ ରାଙ୍କିଙ୍ଗ ପ୍ରସ୍ତୁତ କରାଯାଇଥାଏ । ସବୁ କ୍ଷେତ୍ରରେ କେରଳ ଭଲ ପ୍ରଦର୍ଶନ କରିଥିବାରୁ ରାଙ୍କିଙ୍ଗର ୧ନଂ ସ୍ଥାନରେ ରହିଛି । ରାଙ୍କିଙ୍ଗରେ ଓଡ଼ିଶା ୨୧ତମ ସ୍ଥାନକୁ ଖସି ଆସିଛି । ୨୦୧୯ରେ ଓଡ଼ିଶା ୧୬ ନମ୍ବର ସ୍ଥାନରେ ଥିବା । ଅନେକ ମାନଦଣ୍ଡରେ ରାଜ୍ୟର ପ୍ରଦର୍ଶନ କମିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ରାଜ୍ୟରେ ମନେରଗା କାମ କମ ମିଳିଥିବା ବେଳେ ମହିଳା ବିରୋଧୀ ହିଂସା ବଢ଼ିଛି ବୋଲି ରିପୋର୍ଟରେ କୁହାଯାଇଛି । ରାଙ୍କିଙ୍ଗର ପ୍ରଥମ ସ୍ଥାନରେ ଥିବା କେରଳ ମୋଟ ୭୫ ପଏଣ୍ଟ ପାଇଛି । ହିମାଚଳ ପ୍ରଦେଶ ଓ ତାମିଲନାଡୁ ୭୪ ପଏଣ୍ଟ ଲେଖାଏ ପାଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଚଳିତ ଇଣ୍ଡିଆ ସୂଚକାଙ୍କରେ ବିହାର, ଝାରଖଣ୍ଡ ଓ ଆସାମ ସବୁଠାରୁ ଖବର ପ୍ରଦର୍ଶନ କରିଛନ୍ତି । ଅନ୍ୟପକ୍ଷରେ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ ଚଣ୍ଡିଗଡ଼ ୧ନଂ ସ୍ଥାନରେ ରହିଛି । ଚଣ୍ଡିଗଡ଼ର ପଏଣ୍ଟ ସଂଖ୍ୟା ୭୯ ଥିବା ବେଳେ ଦ୍ୱିତୀୟ ସ୍ଥାନରେ ଥିବା ଦିଲ୍ଲୀକୁ ୬୮ ପଏଣ୍ଟ ମିଳିଛି । ୨୦୧୯ ତୁଳନାରେ ମିଜୋରାମ, ହରିଆଣା ଓ ଉତ୍ତରାଖଣ୍ଡ ଭଲ ପ୍ରଦର୍ଶନ କରିଛନ୍ତି । ୨୦୨୦-୨୧ ରିପୋର୍ଟରେ ସେମାନଙ୍କ ପଏଣ୍ଟ ଯଥାକ୍ରମେ ୧୨,୧୦ ଓ ୮ ଲେଖାଏ ବଢ଼ିଛି । ୨୦୧୯ରେ ୧୦ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ପଏଣ୍ଟ ସଂଖ୍ୟା ୬୫ରୁ ୯୯ ମଧ୍ୟରେ ରହିଥିଲା । ହେଲେ ୨୦୨୦-୨୧ରେ ଏହି ତାଲିକାରେ ଆଉ ୧୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଯୋଡ଼ି ହୋଇଯାଇଛନ୍ତି । ଉତ୍ତରାଖଣ୍ଡ, ଗୁଜରାଟ, ମହାରାଷ୍ଟ୍ର, ମିଜୋରାମ, ପଞ୍ଜାବ, ହରିଆଣା, ତ୍ରିପୁରା, ଦିଲ୍ଲୀ, ଲାକ୍ଷାଦ୍ୱୀପ, ଆଣ୍ଡାମାନ ଓ ନିକୋବର, ଜମ୍ମୁ-କଶ୍ମୀର ଓ ଲଦାଖ ନୂଆ ଭାବେ ୬୫ରୁ ୯୯ ପଏଣ୍ଟ ରେଞ୍ଜରେ ସାମିଲ ହୋଇଛନ୍ତି । ଦେଶର ଏସଡିଜି ସ୍କୋର ୬ ପଏଣ୍ଟ ବଢ଼ିଛି । ୨୦୧୯ରେ ଏହା ୬୦ ଥିବା ବେଳେ ୨୦୨୦-୨୧ରେ ୬୬କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.