ବଢ଼ିଲା ରାମଦେବଙ୍କ ଅଡ଼ୁଆ

0 70

ନୂଆଦିଲ୍ଲୀ, ୩ ।୬: ପତଞ୍ଜଳୀ ପ୍ରସ୍ତୁତ କରିଥିବା କରୋନିଲ କିଟ୍ ମହାମାରୀ କରୋନାକୁ ମାତ୍ ଦେଇପାରୁଛି ବୋଲି ଦାବି କରି ନିଜର ବ୍ୟବସାୟ ବୃଦ୍ଧି କରୁଥିବା ଯୋଗଗୁରୁ ବାବା ରାମଦେବଙ୍କ ଅଡ଼ୁଆ ବଢ଼ିଛି । କରୋନିଲ କିଟ୍ ସମ୍ପର୍କରେ ରାମଦେବ ମିଥ୍ୟା ପ୍ରଚାର କରୁଥିବାରୁ ଦିଲ୍ଲୀ ମେଡିକାଲ ଆସୋସିଏସନ(ଡିଏମଏ) କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ଆଜି ଦିଲ୍ଲୀ ହାଇକୋର୍ଟ ଏହି ଆବେଦନକୁ ଆଧାର କରି ରାମଦେବଙ୍କୁ ହାଜର ହେବାକୁ ସମନ କରିଛନ୍ତି । ଡିଏମଏ ତା’ ଆବେଦନରେ କରୋନିଲ କିଟକୁ ନେଇ ଚାଲିଥିବା ମିଥ୍ୟା ପ୍ରଚାର ଉପରେ ରୋକ ଲଗାଇବାକୁ କହିଛି । ଏବେ ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୧୩ ତାରିଖରେ ହେବ । ସେ ଯାଏ ରାମଦେବ କୌଣସି ପ୍ରକାରର ଉତ୍ତେଜନା କିମ୍ବା ଉସକାଇବା ଭଳି ବୟାନ ଦେଇପାରିବେ ନାହିଁ ବୋଲି ହାଇକୋର୍ଟ ତାଙ୍କ ଓକିଲଙ୍କୁ କହିଛନ୍ତି । ପତଞ୍ଜଳୀ ପ୍ରସ୍ତୁତ କରିଥିବା କରୋନିଲ କିଟ୍ କରୋନାକୁ ମାତ ଦେବାରେ ସକ୍ଷମ ବୋଲି ରାମଦେବ ଦାବି କରିଥିଲେ । ହେଲେ ଏହା କୌଣସି ବୈଜ୍ଞାନିକ ଜ୍ଞାନକୌଶଳ ଉପରେ ଆଧାରିତ ନୁହେଁ ଓ ଏହା କେମିତି କରୋନାକୁ ମାତ ଦେଉଛି, ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ । କିନ୍ତୁ ରାମଦେବ ଏହା କରୋନା ବିରୋଧୀ ଔଷଧ ବୋଲି କହିବା ସହ ଏହାର ପ୍ରଚାର କରୁଛନ୍ତି । ଡିଏମଏ ପୂର୍ବରୁ ଇଣ୍ଡିଆନ ମେଡିକାଲ ଆସୋସିଏସନ ମଧ୍ୟ ରାମଦେବଙ୍କ ବିରୋଧରେ ଏଫଆଇଆର ରୁଜୁ କରିଥିଲା । ଏଲୋପାଥିକୁ ନେଇ ରାମଦେବ ଭୁଲ ଓ ଅପମାନଜନକ ମନ୍ତବ୍ୟ ଦେଇଥିବାରୁ ଆଇଏମଏ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି । ଆଇଏମଏ ଆଇପି ଇଷ୍ଟେଟ ପୁଲିସ୍ ଷ୍ଟେସନରେ କରିଥିବା ଏଫଆଇଆରରେ କହିଥିଲା ଯେ ରାମଦେବ ଜାଣିଶୁଣି କୋଭିଡ ଚିକିତ୍ସାକୁ ନେଇ ମିଥ୍ୟା ଓ ବିଭ୍ରାନ୍ତିକର ତଥ୍ୟ ପ୍ରଚାର କରୁଛନ୍ତି । ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର ବୋଲି ଆଇଏମଏ ଦାବି କରିଛି ।

Leave A Reply

Your email address will not be published.