ବାତିଲ୍ ହେଲା ଯୁକ୍ତ ଦୁଇ ପରୀକ୍ଷା : ଆଗ ଜୀବନ ଆଉସବୁ ପଛ

60

-ନିର୍ଦ୍ଦିଷ୍ଟ ସମୟରେ ମୂଲ୍ୟାୟନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
-ମୂଲ୍ୟାୟନରେ ସନ୍ତୁଷ୍ଟ ନହେଲେ ପରେ ପରୀକ୍ଷା ଦେଇପାରିବେ

ଭୁବନେଶ୍ୱର : ବାତିଲ ହେଲା ଦ୍ୱାଦଶ ଶ୍ରେଣୀ ପରୀକ୍ଷା । ଏନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ପରୀକ୍ଷା ଠାରୁ ଛାତ୍ରଛାତ୍ରୀଙ୍କ ଜୀବନ ବହୁ ଅଧିକ ଗୁରୁତ୍ୱୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ସମସ୍ତଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ । ଚଳିତ ବର୍ଷର ବାର୍ଷିକ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ବାତିଲ କରାଗଲା ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଜୀବନ ଆଗ, ଆଉସବୁ ପଛ । ଜୀବନ ସୁରକ୍ଷିତ ରହିଲେ ଆଗକୁ ଅନନ୍ତ ସମ୍ଭାବନା ରହିବ ଏବଂ ସମାଜ ଓ ସଭ୍ୟତା ଆଗକୁ ବଢିବ ।

ରାଜ୍ୟ ତଥା ସାରା ଦେଶରେ କରୋନା ମହାମାରୀର ୨ୟ ତରଙ୍ଗ ବର୍ତ୍ତମାନ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି । କରୋନା ପାଇଁ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ପିଲାମାନଙ୍କ ପାଠପଢା ଓ ଲୋକମାନଙ୍କର ଜୀବନଜୀବିକା । କିନ୍ତୁ ଏସବୁ ଠାରୁ ଊର୍ଦ୍ଧ୍ୱରେ ରହିଛି ମଣିଷ ଜୀବନର ସୁରକ୍ଷା । ତେଣୁ ଆମ ଦେଶ ଓ ଜାତିର ଭବିଷ୍ୟତ, ଆମ ପିଲାମନଙ୍କର ସ୍ୱାସ୍ଥ୍ୟ ସୁରକ୍ଷା ପରୀକ୍ଷାଠାରୁ ବହୁ ଅଧିକ ଗୁରୁତ୍ୱ ପୂର୍ଣ । ପରୀକ୍ଷା କରାଯାଇଥିଲେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକ ମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତେ । ତେଣୁ ଛାତ୍ର ସମାଜର ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପରୀକ୍ଷା ବାତିଲ ସଂକ୍ରାନ୍ତୀୟ ଏହି ଗୁରୁତ୍ୱ ପୂର୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏପରି ସମ୍ବେଦନଶୀଳ ସମୟରେ ପରିସ୍ଥିତିକୁ ସମ୍ଭାଳିବାରେ ଛାତ୍ରଛାତ୍ରୀ ଓ ସେମାନଙ୍କ ପରିବାରର ସଦସ୍ୟ ମାନଙ୍କର ଉଦ୍ୟମ, ଦୃଢ ମନୋବଳ ଓ ଧୈର୍ଯ୍ୟର ମୁଖ୍ୟମନ୍ତ୍ରୀ ଉଚ୍ଚପ୍ରଶଂସା କରିଛନ୍ତି । ଦ୍ୱାଦଶ ଶ୍ରେଣୀରେ ଛାତ୍ରଛାତ୍ରୀଙ୍କ ଦକ୍ଷତାର ମୂଲ୍ୟାୟନ ବିଶେଷଜ୍ଞମାନଙ୍କ ପରାମର୍ଶକ୍ରମେ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଉତ୍ତମ ଭାବରେ ନିର୍ଦ୍ଧାରିତ ମାପଦଣ୍ଡ ଦ୍ୱାରା ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହି ମୂଲ୍ୟାୟନରେ ଯଦି କୌଣସି ଛାତ୍ରଛାତ୍ରୀ ସନ୍ତୁଷ୍ଟ ନ ହୁଅନ୍ତି, ତେବେ ସେମାନେ ·ହିଁଲେ ପରୀକ୍ଷା ଦେଇପାରିବେ ଏବଂ ପରିସ୍ଥିତିର ସମୀକ୍ଷା କରି ପରୀକ୍ଷା କେତେବେଳେ କରାଯିବ ତାହା ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ନିର୍ଣ୍ଣୟ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Comments are closed.