ରିଲିଫ୍ ସାମଗ୍ରୀ ଚୋରି ଅଭିଯୋଗରେ ଶୁଭେନ୍ଦୁଙ୍କ ନାଁରେ ମାମଲା

0 61

କୋଲକାତା, ୬ ।୬: ୭ ଲକ୍ଷ ଟଙ୍କାର ରିଲିଫ୍ ସାମଗ୍ରୀ ଚୋରି କରିବା ଅଭିଯୋଗରେ ବିଜେପି ବିଧାୟକ ଶୁଭେନ୍ଦୁ ଅଧିକାରୀ ଓ ତାଙ୍କ ଭାଇଙ୍କ ବିରୋଧରେ ପୁଲିସ୍ ମାମଲା ରୁଜୁ କରିଛି । ପଶ୍ଚିମବଙ୍ଗର ପୂର୍ବ ମେଦିନିପୁର ଜିଲ୍ଲାର କାନ୍ଥି ମ୍ୟୁନିସିପାଲିଟି ଅଫିସ୍ ପରିସରରୁ ସେମାନେ ରିଲିଫ୍ ସାମଗ୍ରୀ ଚୋରି କରିଥିବା ଅଭିଯୋଗ ହୋଇଛନ୍ତି । କାନ୍ଥି ମ୍ୟୁନିସିପାଲ ଆଡ୍ମିନିଷ୍ଟ୍ରେଟିଭ୍ ବୋର୍ଡର ସଦସ୍ୟ ରତନଦୀପ ମତ୍ତାଙ୍କ ଅଭିଯୋଗ କ୍ରମେ ପୁଲିସ୍ ଶୁଭେନ୍ଦୁ ଅଧିକାରୀ ଓ ତାଙ୍କ ଭାଇଙ୍କ ବିରୋଧରେ ମାମଲା ରୁଜୁ କରିଛି । ରତନଦୀପ ଅଭିଯୋଗ କରିଛନ୍ତି ଯେ ଗତ ମେ’ ୨୯ ତାରିଖ ଦିନ ପ୍ରାୟ ସାଢ଼େ ୧୨ଟା ବେଳେ ଶୁଭେନ୍ଦୁ ଅଧିକାରୀ ଓ ତାଙ୍କ ଭାଇ ତଥା କାନ୍ଥି ମ୍ୟୁନିସିପାଲିଟିର ପୂର୍ବତନ ଅଧ୍ୟକ୍ଷ ସୌମେନ୍ଦୁ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ମ୍ୟୁନିସିପାଲିଟି ଅଫିସ୍ର ଗୋଦାମ ଘରୁ ଲକ୍ଷ ଲକ୍ଷ ଟଙ୍କାର ତାରପଲିନ୍ ଜୋରଜବରଦସ୍ତି ନିଆଯାଇଛି । ବେଆଇନ୍ ଭାବେ ଗୋଦାମ ଘର ତାଲା ଖୋଲା ଯାଇ ସେହି ତାରପଲନି ଗୁଡ଼ିକୁ ନିଆଯାଇଛି । ଅଭିଯୋଗକାରୀ କହିଛନ୍ତି ଯେ ଶୁଭେନ୍ଦୁ ଅଧିକାରୀଙ୍କ ସୁରକ୍ଷାରେ ନିୟୋଜିତ କେନ୍ଦ୍ରୀୟ ସଶସ୍ତ୍ର ବଳର ସୁରକ୍ଷାକର୍ମୀଙ୍କୁ ମଧ୍ୟ ଏହି ଚୋରିରେ ବ୍ୟବହାର କରାଯାଇଥିଲା । ଶୁଭେନ୍ଦୁ ଅଧିକାରୀଙ୍କ ଜଣେ ଘନିଷ୍ଠ ସହଯୋଗୀ ରାଖଲ ବେରା ଏକ ଠକେଇ ମାମଲାରେ କୋଲକାତା ପୁଲିସ୍ ଦ୍ୱାରା ଗିରଫ ହେବାର ଗୋଟିଏ ଦିନ ପରେ ଏହି ମାମଲା ସାମ୍ନାକୁ ଆସିଛି । ତେବେ ଏ ଘଟଣା ନେଇ ଶୁଭେନ୍ଦୁ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଥିବା ଶୁଭେନ୍ଦୁ ଅଧିକାରୀ ଗତବର୍ଷ ଡିସେମ୍ବରରେ ବିଜେପିରେ ଯୋଗ ଦେଇଥିଲେ । ସେ ଏବେ ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳ ନେତା ଅଛନ୍ତି । ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ସେ ନନ୍ଦିଗ୍ରାମ ଆସନରେ ମମତା ବାନାର୍ଜୀଙ୍କୁ ପ୍ରାୟ ୧୨ଶହ ଭୋଟରେ ହରାଇଥିଲେ ।

Leave A Reply

Your email address will not be published.