ନବୀନଙ୍କ ପ୍ଲାନ୍କୁ ମୋଦୀଙ୍କ ମୋହର : ୨୧ରୁ ସମସ୍ତଙ୍କୁ ମାଗଣାରେ ଟିକା

69

ନୂଆଦିଲ୍ଲୀ : ୧୮ବର୍ଷରୁ ଊଦ୍ଧ୍ୱର୍ ସମସ୍ତଙ୍କୁ ମାଗଣାରେ ଟିକା ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି । ଏନେଇ ରାଜ୍ୟ ସରକାରଙ୍କୁ କେନ୍ଦ୍ର ମାଗଣାରେ ଟିକା ଯୋଗାଇ ଦେବ । ଜୁନ୍ ୨୧ତାରିଖରୁ ଏହି ମାଗଣା ଟିକା ସମସ୍ତ ରାଜ୍ୟକୁ ପ୍ରଦାନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିବା ସହିତ ଉତ୍ପାଦିତ ଟିକାର ୭୫ ପ୍ରତିଶତ ରାଜ୍ୟମାନଙ୍କୁ କେନ୍ଦ୍ର ଯୋଗାଇବ । ଯେଉଁମାନେ ଚାହିଁବେ ଟଙ୍କା ଦେଇ ଟିକା ନେଇପାରିବେ । ଟଙ୍କା ଦେଇ ଘରୋଇ ହସ୍ପିଟାଲରୁ ଲୋକେ ଟିକା ନେଇପାରିବେ । ଘରୋଇ ହସ୍ପିଟାଲ ୧୫୦ଟଙ୍କା ସର୍ଭିସ୍ ଚାର୍ଜ ନେଇ ଲୋକଙ୍କୁ ଟିକା ଦେଇପାରିବ । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଜି ବି ଦେଶ କରୋନା ସହ ଲଢ଼ୁଛି । ଗତ ଦିନରେ କରୋନାର ସଂକ୍ରମଣର ପିକ୍ ଦେଖିବାକୁ ମିଳିଛି । ଏଥିରେ ବହୁ ସଂଖ୍ୟକ ଲୋକଙ୍କୁ ହରାଇଲେ ।

ଅକ୍ସିଜେନ୍ ଚାହିଦା ବଢ଼ିବା ପରେ ସେନା ମଧ୍ୟ କାର୍ଯ୍ୟରେ ଲାଗିଥିଲା । କରୋନା ଭଳି ଅଦ୍ଭୁତ ଶତ୍ରୁ ସହ ଲଢ଼ିବା ପାଇଁ ସବୁଠୁ ବଡ଼ ଅସ୍ତ୍ର ହେଉଛି କରୋନା ପ୍ରୋଟୋକଲ୍ । ମାସ୍କ ସହ ଦୁଇ ମିଟର ସାମାଜିକ ଦୂରତା ସବୁଠୁ ଭଲ ଉପାୟ ବୋଲି ମୋଦୀ କହିଛନ୍ତି । ଏହା ସହ ଭ୍ୟାକସିନ୍ କରୋନା ବିରୋଧରେ ଏକ ସୁରକ୍ଷା ଚକ୍ର । କିନ୍ତୁ ବୁଝିବାକୁ ପଡ଼ିବ ଯେ ଦୁନିଆରେ ଭ୍ୟାକସିନ୍ ସପ୍ଲାଏ କମ୍ ହେଉଛି । ଏମିତି ବହୁତ କମ୍ ଦେଶ ଏବଂ କମ୍ପାନୀ ରହିଛି ଯେଉଁଠି ଟିକା ଉତ୍ପ।ଦନ ହେଉଛି । ଗୋଟିଏ ସମୟରେ ଟିକା ପାଇଁ ଦୀର୍ଘ ବର୍ଷ ଅପେକ୍ଷା କରିବାକୁ ପଡ଼ୁଥିଲା । ଯଦି ଆଜିକା ଦିନରେ ଭାରତରେ କରୋନା ଭ୍ୟାକସିନ୍ ଉତ୍ପାଦନ ହେଉନଥାନ୍ତା ତେବେ ଭାବନ୍ତୁ କ’ଣ ହୁଅନ୍ତା ବୋଲି ମଧ୍ୟ ମୋଦୀ କହିଛନ୍ତି । ଆମେ ଶାସନକୁ ଆସିବା ବେଳେ ଟିକାକରଣ ସ୍ପିଡ୍ ବହୁତ କମ ଥିଲା । କିନ୍ତୁ ଆମେ ଶତପ୍ରତିଶତ ଟିକାକରଣ ପାଇଁ ମିଶନ ଚନ୍ଦ୍ରଧନୂଷ ଲଞ୍ଚ କଲୁ । ୧୦୦ ପ୍ରତିଶତ ଟିକାକରଣ ଆଡ଼କୁ ବଢ଼ୁଥିବା ବେଳେ କରୋନା ଘେରିଗଲା । ବିଶ୍ୱ ଭାବୁଥିଲା କେମିତି ଭାରତ ଏତେ ଲୋକଙ୍କୁ ସୁରକ୍ଷା ଦେବ । ସ୍ୱଭାବ ଭଲ ଥିଲେ ପରିଣାମ ବି ଭଲ ହେବ ବୋଲି ମୋଦୀ କହିଛନ୍ତି ।

ଗୋଟିଏ ବର୍ଷ ମଧ୍ୟରେ ଦୁଇଟି ଭ୍ୟାକସିନ୍ ପ୍ରସ୍ତୁତ ହୋଇଗଲା । ଏବେ ଭାରତରେ ୨୩ କୋଟି କରୋନା ଭ୍ୟାକସିନ୍ ଡୋଜ୍ ଦିଆସରିଛି ବୋଲି ସେ କହିଛନ୍ତି । ଏଠାରେ କୁହାଯାଏ ବିଶ୍ୱାସ ହିଁ ସିଦ୍ଧି । ଟିକା ତିଆରିରେ ବୈଜ୍ଞାନିକମାନେ ଲାଗିଥିବା ବେଳେ ଆମେ ଭ୍ୟାକସିନ୍ ଟାସ୍କ ଫୋର୍ସ ଗଠନ କରିଥିଲୁ । ଭ୍ୟାକ୍ସିନ୍ ନିର୍ମାତାଙ୍କୁ କ୍ଲିନିକାଲ ଟ୍ରାଏଲଠୁ ଫଣ୍ଡ ପର୍ଯ୍ୟନ୍ତ ସବୁ ପ୍ରକାର ସାହାଯ୍ୟ କରାଗଲା । ଆତ୍ମନିର୍ଭର ଭାରତ ଜରିଆରେ ଟିକା କମ୍ପାନୀକୁ ହଜାର ହଜାର କୋଟି ଦିଆଯାଇଥିଲା ବୋଲି ସେ କହିଛନ୍ତି । ଅନ୍ୟପଟେ କରୋନା ସଂକ୍ରମଣର ତୃତୀୟ ଲହରରେ ଛୋଟ ପିଲା ପ୍ରଭାବିତ ହେବାକୁ ନେଇ ଆଶଙ୍କା କରି ମୋଦୀ କହିଛନ୍ତି ୨ଟି ଟିକା ଉପରେ ଟ୍ରାଏଲ ଚାଲିଛି । ଗୋଟିଏ ନାଜାଲ୍ ଭ୍ୟାକ୍ସିନ୍ ଉପରେ ମଧ୍ୟ କାମ ଚାଲିଛି ।

ଧନ୍ୟବାଦ ଜଣାଇଲେ ନବୀନ :

ଦେଶରେ ଟିକାର ଅଭାବ ଯୋଗୁ ବର୍ତ୍ତମାନ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣରେ ବାଧା ଉପୁଜିଛି । ତେଣୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠିଲେଖି କେନ୍ଦ୍ର ରାଜ୍ୟଗୁଡ଼ିକୁ ମାଗଣାରେ ଟିକା ଯୋଗାଉ ବୋଲି ଦାବି କରିଥିଲେ । ନବୀନଙ୍କ ଏହି ପ୍ରସ୍ତାବକୁ କେରଳ ମୁଖ୍ୟମନ୍ତ୍ରୀ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସମର୍ଥନ କରି କେନ୍ଦ୍ରଠାରୁ ମାଗଣା ଟିକା ଚାହିଁଥିଲେ । ଏପରିକି ଟିକାର ଅଭାବ ଦୂର କରିବା ପାଇଁ ଓଡ଼ିଶା ସରକାର ଗ୍ଲୋବାଲ ଟେଣ୍ଡର କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ନିଷ୍ପତ୍ତି ଆଧାରରେ ମେ ୧୫ରେ ଟେଣ୍ଡର ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ମାତ୍ର ବିଦେଶରୁ ଟିକା ଆମଦାନୀରେ କେନ୍ଦ୍ରୀୟ ଆଇନ ବାଧକ ସାଜିବାରୁ ଜୁନ୍ ପହିଲାରେ ରାଜ୍ୟ ସରକାର କେନ୍ଦ୍ରମନ୍ତ୍ରୀଙ୍କୁ ଚିଠିଲେଖି କେନ୍ଦ୍ରୀୟ ସ୍ତରରେ ରାଜ୍ୟମାନଙ୍କ ପାଇଁ ବିଦେଶରୁ ଟିକା ଆମଦାନୀ କରିବାକୁ ଦାବି କରିଥିଲେ ।
ନବୀନଙ୍କ ଏହି ଟିକା ପ୍ଲାନ୍କୁ ସାରାଦେଶରୁ ମିଳିଥିଲା ସମର୍ଥନ । ତେବେ ତାଙ୍କର ଟିକା ଯୋଜନାକୁ ଆଜି ମୋହର ଲଗାଇଛନ୍ତି ପ୍ରଧାନମନ୍ତ୍ରୀ । ସମସ୍ତ ରାଜ୍ୟକୁ ମାଗଣାରେ ଟିକା ଦେବାକୁ ସେ ଘୋଷଣା କରିଛନ୍ତି ।

୧୮ ବର୍ଷରୁ ସମସ୍ତଙ୍କୁ ମାଗଣାରେ ଟିକା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘୋଷଣାକୁ ସ୍ୱାଗତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟକୁ ମାଗଣା ଟିକା ଯୋଗାଣ ନେଇ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ନବୀନ କହିଛନ୍ତି ଯେ,ପ୍ରତ୍ୟେକଟି ଜୀବନ ଆମ ପାଇଁ ମୂଲ୍ୟବାନ୍ । ସମସ୍ତେ ଟିକା ନ ପାଇବା ପର୍ଯ୍ୟନ୍ତ ସୁରକ୍ଷିତ ନୁହଁନ୍ତି । କୋଭିଡ୍ ଯୁଦ୍ଧରେ ଆମେ ମିଳିତ ଭାବେ ଲଢ଼େଇ କରୁଛୁ । ତେଣୁ ଟିକାକରଣକୁ ଜାତୀୟ ମିଶନ କରାଯାଇଛି ବୋଲି ନବୀନ କହିଛନ୍ତି ।

ମେ ପହିଲାରୁ ୧୮ରୁ ୪୪ବର୍ଷ ବର୍ଗଙ୍କ ଟିକାକରଣ ଆରମ୍ଭ ହୋଇଛି । ରାଜ୍ୟଗୁଡ଼ିକ ନିଜେ ଟିକା କିଣି ଟିକାକରଣ କାମ କରୁଛନ୍ତି । କିନ୍ତୁ ଦେଶରେ ଟିକାର ଅଭାବ ଯୋଗୁ ଏହି କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା । ଅନେକ ରାଜ୍ୟ ଦାବି କରିଥିଲେ କେନ୍ଦ୍ର ଟିକା କିଣି ରାଜ୍ୟଗୁଡ଼ିକୁ ଦେଉ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମଧ୍ୟ ଏହି ଦାବି ରଖିଥିଲେ । କିନ୍ତୁ କେନ୍ଦ୍ର ଟିକା ଦେଲେ ରାଜ୍ୟ ଅର୍ଥ ଖର୍ଚ୍ଚ କରିବାକୁ ପ୍ରସ୍ତୁତ ବୋଲି ନବୀନ ପ୍ରସ୍ତାବ ଦେଇଥିଲେ । କେରଳ ମୁଖ୍ୟମନ୍ତ୍ରୀ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମଧ୍ୟ କେନ୍ଦ୍ରଠାରୁ ମାଗଣା ଟିକା ଚାହୁଁଥିଲେ । ଟିକାକରଣ ନେଇ ସୁପ୍ରିମକୋର୍ଟରେ ମଧ୍ୟ ମାମଲା ପହଞ୍ଚିଥିଲା । ଶୁଣାଣି ବେଳେ ସର୍ବୋଚ୍ଚ ଅଦାଲତ କେନ୍ଦ୍ରରୁ ଟିକାର ଭିନ୍ନ ଭିନ୍ନ ମୂଲ୍ୟ ନେଇ ପ୍ରଶ୍ନ ଉଠାଇଥିଲେ । ୪୫ବର୍ଷରୁ ଅଧିକ ବର୍ଗଙ୍କୁ କେନ୍ଦ୍ର ମାଗଣାରେ ଟିକା ଦେଉଥିବା ବେଳେ ୧୮ରୁ ୪୪ବର୍ଷ ବର୍ଗଙ୍କୁ କାହିଁକି ଟିକାଯୋଗାଣ ହେଉନାହିଁ ବୋଲି କୋର୍ଟ ପ୍ରଶ୍ନ କରିଥିଲେ । ଏବେ କେନ୍ଦ୍ର ସରକାର ୧୮ରୁ ଊଦ୍ଧ୍ୱର୍ ସମସ୍ତଙ୍କ ପାଇଁ ଟିକାକରଣର ଦାୟିତ୍ୱ ନିଜ ହାତକୁ ନେଇଛନ୍ତି ।

Comments are closed.