୮ଟି ଗୋରୁ ବୋଝେଇ ପିକପ୍ ଭ୍ୟାନ ଜବତ୍, ୧୫୦ଟି ଗୋରୁ ଉଦ୍ଧାର

0 80

ହରିଚନ୍ଦନପୁର : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ପିଠାଗୋଳା ନିକଟରୁ ୮ଟି ଗୋରୁ ବୋଝେଇ ପିକପ୍ ଭ୍ୟାନ ଜବତ ସହ ୧୫୦ଟି ଗୋରୁ ଉଦ୍ଧାର କରାଯାଇଛି । ଖବର ଅନୁଯାୟୀ ଏହି ୮ଟି ପିକପ୍ ଭ୍ୟାନ ଯୋଗେ ପ୍ରାୟ ୧୫୦ଟି ଗୋରୁ ବାହାର ରାଜ୍ୟକୁ ଚାଲାଣ ହେଉଥିବା ଖବର ପାଇ ମିଳିତ କ୍ରମେ ଜଙ୍ଘିରା ଓ ହରିଚନ୍ଦନପୁର ବନ ବିଭାଗ ପିଠାଗୋଳା ନିକଟରେ ଉକ୍ତ ଗାଡ଼ି ଗୁଡ଼ିକୁ ଅଟକାଇଥିଲେ । ଘଟଣାର ଖବର ପାଇ ହରିଚନ୍ଦନପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ପିକପ୍ ଭ୍ୟାନ ଗୁଡ଼ିକୁ ଜବତ କରିବା ସହ ଅତି ନିର୍ଦ୍ଦୟ ଭାବେ ବନ୍ଧା ହୋଇଥିବା ଗାଈଗୋରୁଙ୍କୁ ଉଦ୍ଧାର କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

ସୂଚନା ମୁତାବକ ରବିବାର ବିଳମ୍ବିତ ରାତିରେ ଏହି ୮ଟି ଗୋରୁ ବୋଝେଇ ଗାଡି କେନ୍ଦୁଝର ଜିଲ୍ଲାର ତେଲକୋଇ ବିମଳା ଫରେଷ୍ଟ ଚେକ୍ ପୋଷ୍ଟରେ ଅତି ବେପରୁଆ ଭାବେ ଗାଡି ଚଳାଇ ଅତିକ୍ରମ କରିଥିଲେ । ଯାହାକୁ ନେଇ କାର୍ଯ୍ୟରତ ଥିବା ପୋଷ୍ଟ ଅଧିକାରୀଙ୍କ ସନ୍ଦେହ ବଢ଼ିଥିଲା ଓ ଗାଡ଼ି ଗୁଡ଼ିକୁ ପିଛା କରିବା ସହ ଜଙ୍ଘିରା ଓ ହରିଚନ୍ଦନପୁର ରାସ୍ତାରେ ଯାଉଥିବା ନେଇ ଉକ୍ତ ବନପାଳଙ୍କୁ ସୂଚନା ଦେଇଥିଲେ । ସୂଚନା ପାଇ ଉଭୟ ବନପାଳ ସହ ବନ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ପିଠାଗୋଳା କାଳିଆପାଣି ରାସ୍ତାର ଚେଳିଆ ଘାଟି ନିକଟରେ ଗାଡ଼ି ଗୁଡ଼ିକୁ ଅଟକାଇବାରେ ସକ୍ଷମ ହେଲେ । ଅଟକାଇବା ସମୟରେ ଗାଡ଼ି ଚାଳକମାନେ ତରବରିଆ ହୋଇ ଗାଡି ଗୁଡିକୁ ଗଛରେ ପିଟି ଖସି ପଳାଇଥିଲେ । ଫଳରେ ଗାଡ଼ିରେ ଥିବା କିଛି ବଳଦଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ସମସ୍ତ ବଳଦଙ୍କୁ ସୁସ୍ଥ ଅବସ୍ଥାରେ ଉଦ୍ଧାର କରାଯାଇଛି । ତେବେ ଏହି ଅଞ୍ଚଳରେ ବାରମ୍ବାର ଗୋରୁ ଚାଲାଣ ଘଟଣା ବାବଦରେ ପଣ୍ଡାପଡ଼ା ପୋଲିସକୁ ସ୍ଥାନୀୟ ଲୋକେ ସୂଚନା ଦେଉଥିଲେ ମଧ୍ୟ ପୋଲିସର ନିରବତାକୁ ନେଇ ଅନେକ ପ୍ରଶ୍ନବାଚି ସୃଷ୍ଟି ହୋଇଛି । ଏଥିପ୍ରତି ଉଚ୍ଚପଦସ୍ଥ ଅଧିକାରୀ ଦୃଷ୍ଟି ଦେବାକୁ ଜନ ସାଧାରଣରେ ଦାବି ହେଉଛି ।

Leave A Reply

Your email address will not be published.