ତୃତୀୟ ଲହର ନେଇ ବଢ଼ିଲା ଚିନ୍ତା : ଶିଶୁଙ୍କ ସୁରକ୍ଷା ଉପରେ ମୁଖ୍ୟମନ୍ତ୍ରୀଙ୍କ ଫୋକସ୍

66

-ଦୈନିକ ଟିକାଦାନ ୩ଲକ୍ଷକୁ ବୃଦ୍ଧି ପାଇଁ ନିର୍ଦ୍ଦେଶ
-ତାଲିମ ନେବେ ୧୧୧୪ ଡାକ୍ତର-୧୦୩୬ ସ୍ୱାସ୍ଥ୍ୟକର୍ମୀ
-ଘରକୁ ଘର ବୁଲି ସର୍ଭେ କାର୍ଯ୍ୟର ତଦାରଖ ପାଇଁ ପରାମର୍ଶ

ଭୁବନେଶ୍ୱର : ତୃତୀୟ ଲହରରେ ଶିଶୁମାନେ ଅଧିକ ପ୍ରଭାବିତ ହେବାର ସମ୍ଭାବନା ଅଧିକ ରହିଛି । ଏଥିପାଇଁ ଆଗୁଆ ସଚେତନ ହୋଇଛନ୍ତି ରାଜ୍ୟ ସରକାର । ଏହାର ମୁକାବିଲା ପାଇଁ ପ୍ରସ୍ତୁତ ରହିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଯେମିତି ଶୁଶୁମାନେ ଅଧିକ ପ୍ରଭାବିତ ହେବେନାହିଁ ସେଥିପାଇଁ ସେମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଛି । ତୃତୀୟ ଲହର ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଶିଶୁଙ୍କ ଚିକିତ୍ସା ପାଇଁ ଆଗୁଆ ତାଲିମ୍ ନେବେ ୧୧୧୪ ଡାକ୍ତର । ଏହାସହ ପିଲାମାନଙ୍କ ପାଇଁ ସ୍ୱତନ୍ତ୍ର କୋଭିଡ ଚିକିତ୍ସା ସୁବିଧାର ବିକାଶକୁ ଗୁରୁତ୍ୱ ଦିଆଯାଇଛି । ଆବଶ୍ୟକ ଉପକରଣ ଏବଂ ଔଷଧ ମହଜୁଦ ରଖିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ତୁରନ୍ତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଶିଶୁ ରୋଗ ସଂପର୍କରେ ତାଲିମ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ତେବେ ତୃତୀୟ ଲହରକୁ ସାମ୍ନା କରିବା ପାଇଁ ଗଠନ ହୋଇଛି ଟେକ୍ନିକାଲ ଟାସ୍କ ଫୋର୍ସ କମିଟି । କମିଟିର ସୁପାରିସ ଅନୁଯାୟୀ ଆଗୁଆ ପ୍ରସ୍ତୁତି କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଅନ୍ୟପକ୍ଷରେ ଏବେ ରାଜ୍ୟରେ ଦୈନିକ ଟିକାକରଣ ଦେଢ ଲକ୍ଷ ଅଛି ଏହାକୁ ୩ ଲକ୍ଷକୁ ବୃଦ୍ଧି କରିବା ପାଇଁ ପରାମର୍ଶ ଦେଇଛନ୍ତି । ଏହାସହ ଘରକୁ ଘର ବୁଲି ସର୍ଭେ କାର୍ଯ୍ୟ ସଂପର୍କରେ ସଚେନତାକୁ ଗୁରୁତ୍ୱ ଦିଆଯାଇଛି । ଯଦିଓ ପରିସ୍ଥିତିରେ ଉନ୍ନତି ଆସିଛି, କିନ୍ତୁ ଆମେ ଦ୍ୱିତୀୟ ଲହର ପ୍ରଭାବରୁ ସଂପୂର୍ଣ୍ଣ ମୁକ୍ତ ହୋଇନାହୁଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପର୍ବପର୍ବାଣୀ ଆସୁଥିବାରୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ହେବ ଏବଂ କୋଭିଡ ନିୟମାବଳୀକୁ ଆହୁରି କଡାକଡି ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।

ମହାମାରୀ କରୋନାର ସମ୍ଭାବ୍ୟ ତୃତୀୟ ଲହର ପାଇଁ ସଜାଗ ରହିଛନ୍ତି ରାଜ୍ୟ ସରକାର । ଆଗୁଆ ବ୍ୟବସ୍ଥା କରିବା ପାଇଁ ସବୁ ଜିଲ୍ଲାପାଳ ଓ ସିଡିଏମ୍ଓମାନଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ଏସିଏସ୍ ପ୍ରଦୀପ୍ତ ମହାମାତ୍ର । ତୃତୀୟ ଲହରରେ ଛୋଟପିଲା ସଂକ୍ରମିତ ହେବା ସମ୍ଭାବନା ଥିବାରୁ ପଦକ୍ଷେପ ନେବାକୁ କୁହାଯାଇଛି । ବର୍ତ୍ତମାନ୍ ଥିବା କୋଭିଡ୍ ହସ୍ପିଟାଲରେ ସ୍ୱତନ୍ତ୍ର ଶିଶୁ ବିଭାଗ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସବୁ ଜିଲ୍ଲା ଓ ଉପଖଣ୍ଡ ହସ୍ପିଟାଲରେ ୧୦ଟି ଆଇସୋଲେସନ୍ ବେଡ୍ ରହିବ । ୭ଟି ମେଡିକାଲ କଲେଜରେ ୬୪ ଏନ୍ଆଇସିୟୁ ସହ ମୋଟ୍ ୧୫୫ ବେଡ୍ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସିଏସ୍ ।

ଆଇସିୟୁ ବ୍ୟବସ୍ଥା ଥିବା ସବୁ ସିସିସିରେ ୧୫% ବେଡ୍ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ରହିବ । ପର୍ଯ୍ୟାପ୍ତ ଔଷଧ ଓ ଅକ୍ସିଜେନ ମହଜୁଦ ରଖିବାକୁ ମଧ୍ୟ ଏସିଏସ୍ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ସ୍ୱତନ୍ତ୍ର କୋଭିଡ୍ ବ୍ଲକ୍ ପ୍ରସ୍ତୁତ କରିବାକୁ କଟକ ଶିଶୁଭବନ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତୃତୀୟ ଲହରକୁ ମୁକାବିଲା କରିବା ପାଇଁ ଗଠନ କରାଯାଇଥିବା ବୈଷୟିକ କମିଟି ରିପୋର୍ଟ ଆଧାରରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଜାରି କରିଛି । ଯେଉଁ ଅଞ୍ଚଳରେ ଶିଶୁଙ୍କ ନିକଟରେ ସଂକ୍ରମଣର ସଂଖ୍ୟା ବଢ଼ିବ, ସେହି ଅଞ୍ଚଳ ପାଇଁ ସ୍ୱତନ୍ତ୍ର ଧ୍ୟାନ ଦେବାକୁ କୁହାଯାଇଛି । ଶିଶୁଭବନରେ ସ୍ୱତନ୍ତ୍ର କୋଭିଡ୍ ବ୍ଲକ୍ ଖୋଲିବା ବାବଦରେ ଅଧୀକ୍ଷକ ବିଚାର କରିପାରିବେ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି । ସମସ୍ତ ୱାର୍ଡରେ ଶିଶୁଙ୍କ ପାଇଁ ସ୍ୱତନ୍ତ୍ର ଭାବେ ସ୍ତନ୍ୟପାନ ପାଇଁ ବ୍ୟବସ୍ଥା ରଖିବାକୁ କୁହାଯାଇଥିବା ବେଳେ ଆବଶ୍ୟକୀୟ ଔଷଧ ଏବଂ ଉପକରଣ ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି ।

Comments are closed.