ଅନ୍ଧାରକୁ ଠେଲି ହୋଇଛି ୩୦ ହଜାର ଶିଶୁଙ୍କ ଜୀବନ

0 69

ନୂଆଦିଲ୍ଲୀ, ୮ ।୬: କରୋନାର ତୃତୀୟ ଲହର ଶିଶୁଙ୍କ ନିମନ୍ତେ ଘାତକ ସାବ୍ୟସ୍ତ ହେବ ବୋଲି ବିଶେଷଜ୍ଞମାନେ ସତର୍କ କରାଇ ସାରିଲେଣି । ହେଲେ ଦ୍ୱିତୀୟ ଲହର ମଧ୍ୟ ବହୁ ପିଲାଙ୍କ ଜୀବନରୁ ଖୁସି ଛଡ଼ାଇ ନେଇ ସେମାନଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଇଛି । ବହୁ ଶିଶୁଙ୍କ ପିତାମାତା କରୋନାରେ ଆଖି ବୁଜିଥିବାରୁ ସେମାନେ ଅନାଥ ହୋଇଯାଇଛନ୍ତି । ଏକ ରିପୋର୍ଟ ମୁତାବକ, ୨୦୨୦ ଏପ୍ରିଲରୁ ୧ରୁ ଚଳିତ ବର୍ଷ ଜୁନ ମଧ୍ୟରେ ସମଗ୍ର ଦେଶରେ ୩୬୨୧ ଜଣ ଶିଶୁ ସମୂର୍ଣ୍ଣ ଅନାଥ ହୋଇଯାଇଥିବା ବେଳେ ୨୬,୧୭୬ ଶିଶୁ ନିଜ ମାତାପିତାଙ୍କୁ ହରାଇଛନ୍ତି । ରାଷ୍ଟ୍ରୀୟ ବାଲ୍ ଅଧିକାର ସଂରକ୍ଷଣ ଆୟୋଗ ଦ୍ୱାରା ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଦସ୍ତାବିଜରେ ଏହି ତଥ୍ୟ ସାମ୍ନାକୁ ଆସିଛି ତେବେ ଏହି ସବୁ ଶିଶୁଙ୍କ ବାପାମା’ କରୋନାରେ ମରି ନାହାନ୍ତି । ଅନେକ ଅଲଗା କାରଣରୁ ବି ଜୀବନ ହରାଇଛନ୍ତି । ଏହି ଦସ୍ତାବିଜ ଅନୁଯାୟୀ, ଏବେ ୩୦,୦୭୧ ଶିଶୁଙ୍କ ଦାୟିତ୍ୱ ନେବା ଆବଶ୍ୟକ ହୋଇପଡିଛି । ସେମାନଙ୍କ ମଧ୍ୟରୁ ୧୫,୬୨୦ ପୁଅ ଥିବା ବେଳେ ୧୪,୪୪୭ ଜଣ ଝିଅ ଅଛନ୍ତି ଏହାବ୍ୟତୀତ ୪ ଜଣ ଟ୍ରାନ୍ସଜେଣ୍ଡର ଅଛନ୍ତି ଆୟୋଗର ରିପୋର୍ଟ ମୁତାବକ, ସେମାନଙ୍କ ମଧ୍ୟରେ ୮ରୁ ୧୩ ବର୍ଷ ମଧ୍ୟରେ ୧୧,୮୧୫ ଜଣ ଶିଶୁ ଅଛନ୍ତି ସେହିପରି ୪ ରୁ୭ ବର୍ଷ ମଧ୍ୟରେ ୫,୧୦୭ ଜଣ ଶିଶୁ ଅଛନ୍ତି ସୁପ୍ରିମକୋର୍ଟଙ୍କ ଆଦେଶ ପରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପକ୍ଷରୁ ବାଲ୍ ସ୍ୱରାଜ ପୋର୍ଟାଲରେ ଅପଲୋଡ୍ ହୋଇଥିବା ତଥ୍ୟରୁ ଏହା ସାମ୍ନାକୁ ଆସିଛି । ମହାରାଷ୍ଟ୍ରରେ ୭୦୮୪ ଜଣ ଶିଶୁଙ୍କୁ ସୁରକ୍ଷା ଦେବା ଜରୁରୀ ହୋଇଥିବା ବେଳେ ଉତ୍ତର ପ୍ରଦେଶରେ ୩୧୭୨, ରାଜସ୍ଥାନରେ ୨୪୮୨, ହରିଆଣାରେ ୨୪୩୮, ମଧ୍ୟପ୍ରଦେଶରେ ୨୨୪୩ ଓ କେରଳରେ ୨୦୦୨ ଶିଶୁଙ୍କୁ ସୁରକ୍ଷା ଯୋଗାଇ ଦେବା ଜରୁରୀ ବୋଲି ଆୟୋଗ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.