କ୍ୟାପିଟାଲ ହସ୍ପିଟାଲ ଆସିବ ଇକମୋ ମେସିନ୍ : ସ୍ୱାସ୍ଥ୍ୟ ମନ୍ତ୍ରୀ

65

– ବିଦେଶରୁ ଇକମୋ ଆଣିବାକୁ ଟେଣ୍ଡର ଶେଷ 

ଭୁବନେଶ୍ୱର : ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଲାଗିବ ଜୀବନ ରକ୍ଷାକାରୀ ଇକ୍‌ମୋ ମେସିନ୍ । ସିଏସ୍‌ଆର ପାଣ୍ଠି ଜରିଆରେ ଏହି ମେସିନ୍ ପ୍ରତିଷ୍ଠା କରାଯିବ ଏବଂ ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରାଯାଇଛି ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ଏସ୍‌ସିବି ମେଡିକାଲ ଭଳି କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ ଇକମୋ ମେସିନ ସ୍ଥାପନ କରାଯିବ ବୋଲି ସେ କହିଛନ୍ତି । 

ଅପରପକ୍ଷରେ ଭାରତରେ ଇସିଏମଓ(ଇକମୋ) ମେସିନ୍ ଉତ୍ପାଦନ ହେଉନାହିଁ । ଏହି ମେସିନକୁ ବିଦେଶରୁ ଆଣିବା ପାଇଁ ପ୍ରକ୍ରିୟା ଚାଲିଛି ଓ ଏଥିପାଇଁ ଟେଣ୍ଡର ସରିଥିବା ସୂଚନା ଦେଇଛନ୍ତି ଡିଏମଇଟି ଡାକ୍ତର ସିବିକେ ମହାନ୍ତି । ଡିଏମଇଟି ଇକମୋ ମେସିନ୍ କାର୍ଯ୍ୟ ବିଷୟରେ କହିଛନ୍ତି, ରୋଗୀର ରକ୍ତ ବାହାରକୁ ଆସି ତାକୁ ଯନ୍ତ୍ର ମାଧ୍ୟମରେ ଅକ୍ସିଜେନେସନ କରାଯାଇ ସେହି ରକ୍ତ ପୁଣି ଶରୀର ଭିତରକୁ ଫେରି ଯାଉଛି । ଏଇଟା ଗୋଟିଏ କୃତିମ ପ୍ରକ୍ରିୟା । ଯେଉଁଥିରେ ଶରୀରର ଅକ୍ସିଜେନକୁ ସାମୟିକ ମେେଂଟନ କରିହେବ । ଏହା ବ୍ୟୟବହୁଳ ଚିକିତ୍ସା । ପ୍ରଥମେ ଏହାକୁ ବ୍ୟବହାର କରିବା ପାଇଁ ୪ରୁ ୫ ଲକ୍ଷ ଟଙ୍କା ଦରକାର ପଡ଼ୁଛି । ପରେ ଚିକିତ୍ସା ଜାରି ରଖିବାକୁ ପ୍ରତ୍ୟେକ ଦିନ ଲକ୍ଷେରୁ ୨ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି ।

ସେ ଆହୁରି କହିଛନ୍ତି ଯେ ଆଗରୁ ଫୁସଫୁସ୍ ପ୍ରତିରୋପଣ ବେଳେ ଏହାକୁ ବ୍ୟବହାର କରାଯାଉଥିଲା । କୋଭିଡ୍ ପରିସ୍ଥିତିରେ ଅତି ଗୁରୁତର ନିମୋନିଆ ହେଲେ ଭେଂଟିଲେଟର ଫେଲ ମାରୁଛି, ସେତେବେଳେ ଏହି ମେସିନ୍ ର ଆବଶ୍ୟକତା ପଡୁଛି । ଜୀବନ ବଂଚାଇବା ପାଇଁ ଇକମୋ ଶେଷ ଆଶା । କିନ୍ତୁ ଏଥିପାଇଁ ମାନବ ସମ୍ବଳର ଆବଶ୍ୟକତା ଜରୁରୀ । ଏହି ମେସିନ୍ ଆଣିବା ଲାଗି ସରକାର ସବୁ ପ୍ରକାର ଚେଷ୍ଟା କରୁଥିବା କହିଛନ୍ତି ଡିଏମଇଟି ।

Comments are closed.