ବାହାରକୁ ଅକ୍ସିଜେନ୍ ଯୋଗାଇ ଓଡ଼ିଶା ଗର୍ବିତ

63

-୭ ଅକ୍ସିଜେନ ପ୍ଲାଣ୍ଟର ଭିତ୍ତ୍ରିସ୍ତର ସ୍ଥାପନ
-ଭିତ୍ତିଭୂମି ପାଇଁ ୨୯.୪୧ କୋଟି
-ରଜ-ସାବିତ୍ରୀରେ ସତର୍କ ରହିବାକୁ ପରାମର୍ଶ

ଭୁବନେଶ୍ୱର : ବୁଧବାର ରାଜ୍ୟର ୭ଟି ଜିଲ୍ଲାରେ ୭ଟି ତରଳ ମେଡିକାଲ ଅକ୍ସିଜେନ୍ ପ୍ଲାଣ୍ଟ ଏବଂ ୭ଟି ପିଏସ୍ଇ ବ୍ୟବସ୍ଥାର ଭିତ୍ତ୍ରିସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହିତ ବାଲେଶ୍ୱରରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହାୟତାରେ ଏକ ଅତିରିକ୍ତ ସ୍ୱାସ୍ଥ୍ୟ ସୁବିଧା କେନ୍ଦ୍ର, ଡେଙ୍ଗୁ ଓ ଡାଇରିଆ ୱାର୍ଡ, ରକ୍ତ ବର୍ଗୀକରଣ ୟୁନିଟ୍, କଟକରେ ଫୁସ୍ଫୁସ୍ ରୋଗର ଚିକିତ୍ସା ପାଇଁ ଏକ ଉକ୍ରର୍ଷ କେନ୍ଦ୍ର ଏବଂ ନବରଙ୍ଗପୁରରେ ଏକ ଆରଟିିସିଆର ଟେଷ୍ଟ ଲାବୋରେଟୋରୀ ମଧ୍ୟ ଉଦ୍ଘାଟିତ ହୋଇଛି । ଏହି ସମସ୍ତ ଭିତ୍ତିଭୂମି ପାଇଁ ୨୯ କୋଟି ୪୧ ଲକ୍ଷ ଟଙ୍କା ବିନିଯୋଗ କରାଯାଇଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ କରୋନାର ଦ୍ୱିତୀୟ ଲହରୀରେ ମେଡିକାଲ ଅକ୍ସିଜେନ୍ର ଆବଶ୍ୟକତା ବହୁତ ବଢିଯାଇଥିଲା । ଏହି ସମୟରେ ଓଡିଶାରେ ଅକ୍ସିଜେନ ଯୋଗାଣ ନେଇ କୌଣସି ସମସ୍ୟା ହୋଇନାହିଁ । ନିଜର ଆବଶ୍ୟକତାକୁ ପୂରଣ କରିବା ସହ ଓଡିଶା ୧୭ଟି ରାଜ୍ୟକୁ ଅକ୍ସିଜେନ୍ ଯୋଗାଇ ଅନେକ ମୂଲ୍ୟବାନ ଜୀବନ ରକ୍ଷା କରିପାରିଛି । ଓଡିଶା ପାଇଁ ଏହା ନିଶ୍ଚିତ ଭାବରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହିତ ପ୍ରତ୍ୟେକ ଓଡିଆଙ୍କ ପାଇଁ ଏହା ଆତ୍ମସନ୍ତୋଷର ବିଷୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଅକ୍ସିଜେନର ଉତ୍ପାଦନଠାରୁ ଆରମ୍ଭ କରି ରୋଗୀକୁ ସେବା ଯୋଗାଇ ଦେବା ପର୍ଯ୍ୟନ୍ତ ବ୍ୟବସ୍ଥା ଏକ ଜଟିଳ ପ୍ରକ୍ରିୟା । ଏଥିରେ ବହୁତ ଯନ୍ତ୍ରପାତି, ଯାନବାହନ, ନିରନ୍ତର ତଦାରଖ ଏବଂ ଅନ୍ୟାନ୍ୟ ବ୍ୟବସ୍ଥାର ଆବଶ୍ୟକତା ଜରୁରି । ଓଡିଶାକୁ ଆମେ ଦେଶର ବିଭିନ୍ନ ସ୍ଥାନରୁ ଏପରିକି ଚୀନ୍ରୁ ମଧ୍ୟ ଅକ୍ସିଜେନ ସିଲିଣ୍ଡର ଆଣି ଆମର ବ୍ୟବସ୍ଥାକୁ ସୁଦୃଢକରିଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କରୋନା ଭୂତାଣୁ ସଂକ୍ରମଣର ଅନିଶ୍ଚିତ ଗତି ସଂପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନଠାରୁ ହିଁ ଆମକୁ ପ୍ରସ୍ତୁତ ରହିବାକୁ ହେବ । ଏଥି ।ଇଁ ଆମର ସ୍ୱାସ୍ଥ୍ୟ ଭିତ୍ତିଭୂମି, ସ୍ୱାସ୍ଥ୍ୟ କର୍ମଚାରୀ ଓ ପ୍ରଶିକ୍ଷଣ ବ୍ୟବସ୍ଥାକୁ ଗୁରୁତ୍ୱ ଦେଇ କାମ କରାଯାଉଛି । ଆଜିର ନୂଆ ବ୍ୟବସ୍ଥାଗୁଡିକ ଲୋକଙ୍କୁ ଖୁବ୍ଶୀଘ୍ର ସେବା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି । ଏହିସବୁ ଭିତ୍ତିଭୂମି ପାଇଁ କର୍ପୋରେଟ୍ କ୍ଷେତ୍ରର ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି ।

ରାଜ୍ୟର ସମସ୍ତ ପ୍ରମୁଖ ହସ୍ପିଟାଲରେ ତରଳ ମେଡିକାଲ ଅକ୍ସିଜେନ ପ୍ଲାଣ୍ଟ ନିର୍ମାଣ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି । ପରିଶେଷରେ ରଜ ଓ ସାବିତ୍ରୀ ପରି ଉତ୍ସବ ସମୟରେ ଜନସାଧାରଣ ସତର୍କ ରହି, ସମସ୍ତ କୋଭିଡ ନିୟମ ପାଳନ କରି ପର୍ବ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଝାରସୁଗୁଡାରୁ ଯୋଗଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କହିଲେ ଯେ, ଓଡିଶା ବର୍ତ୍ତମାନ ଅକ୍ସେଜେନ୍ କ୍ଷେତ୍ରରେ ସାରା ଦେଶ ପାଇଁ ଓଡିଶା ଏକ ନୂଆ ଆଶା ହୋଇପାରିଛି । ଏଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱର ପରାକାଷ୍ଠାକୁ ପ୍ରଶଂସା କରିଛନ୍ତି । ଆଜିର ଭିତ୍ତିଭୂମି ବ୍ୟବସ୍ଥା ଦ୍ୱାରା ଓଡିଶା ତୃତୀୟ ଲହରୀର ସଫଳ ମୁକାବିଲା କରି ।ରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

ବଲାଙ୍ଗିରରୁ ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ, ଭୁବନେଶ୍ୱରରୁ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଅଶୋକ ପଣ୍ଡା ପ୍ରମୁଖ ଯୋଗଦେଇ ସ୍ୱାସ୍ଥ୍ୟ ଭିତ୍ତିଭୂମି କ୍ଷେତ୍ରରେ ଓଡିଶାର ଉଲ୍ଲେଖନୀୟ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱକୁ ପ୍ରଶଂସା କରିବା ସହିତ ଏହାଦ୍ୱାରା ଆଗାମୀ ଦିନରେ ଓଡିଶା କୋଭିଡ ସହିତ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟାର ସଫଳ ମୁକାବିଲା କରିାରିବ ବୋଲି ଆଶାପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ଉପମୁଖ୍ୟ ସଚେତକ, ନବରଙ୍ଗପୁର ସାଂସଦ, ବାଲେଶ୍ୱର ବିଧାୟକ, କୋରାପୁଟ ବିଧାୟକ, ବଲାଙ୍ଗୀର ବିଧାୟକ, କଟକ-ଚୌଦ୍ୱାର ବିଧାୟକ, ନବରଙ୍ଗପୁର ବିଧାୟକ ଆଦି ଯୋଗଦେଇ ସେମାନଙ୍କର ବକ୍ତବ୍ୟ ରଖିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମପରିଚାଳନା କରିଥିଲେ । ସ୍ୱାଗତ ଭାଷଣ ଦେଇ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାମାତ୍ର କହିଥିଲେ ଯେ ବର୍ତ୍ତମାନ ନବରଙ୍ଗପୁରକୁ ମିଶାଇ ରାଜ୍ୟର ୧୭ଟି ଜିଲ୍ଲାରେ ଆରଟି ପିସିଆର ଟେଷ୍ଟ ଲାବୋରେଟୋରୀ କରାଯାଇଛି । ରାଜ୍ୟର ସବୁ ଜିଲ୍ଲାରେ ଏହି ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି । ଓଡିଶା ମେଡିକାଲ କର୍ପୋରେସନର ପରିଚାଳନା ନିର୍ଦ୍ଦେଶକ ଯାମିନୀ ଷଡଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Comments are closed.