ଜରାଶ୍ରମର ବୃଦ୍ଧବୃଦ୍ଧାଙ୍କୁ ଟିକାକରଣ

0 69

ପାରଳାଖେମୁଣ୍ଡି, ୧୦ା୬ : ପାରଳାଖେମୁଣ୍ଡି ସହର ଉପକଣ୍ଠର ଫରେଷ୍ଟ ଗେଟ୍ ନିକଟରେ ରହିଥିବା ଆଶ୍ରା ଜରାଶ୍ରମ ବୃଦ୍ଧବୃଦ୍ଧାଙ୍କୁ ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀଣୀ ମମତା ପାଢୀ ନିଜସ୍ୱ ଆୟୋଜନରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇ କୋଭିଡ୍ ଟିକାକରଣ କରିଥିଲେ । ଗତ ଦୀର୍ଘ ଦିନ ହେଲା କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମ ଚାଲୁ ରହିଛି । ହେଲେ ଆଶ୍ରା ଜରାଶ୍ରମ ବୃଦ୍ଧବୃଦ୍ଧାଙ୍କୁ କୋଭିଡ୍ ଟିକାକରଣ ପାଇଁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣି ଟିକା ପ୍ରଦାନ କରି ପୁଣି ସେଠାରେ ଛାଡିବା ବ୍ୟବସ୍ଥା ହେଇ ପାରୁନଥିଲା । ଯଦ୍ୱାରା ଏହି ଆଶ୍ରା ଜରାଶ୍ରମ ବୃଦ୍ଧବୃଦ୍ଧାମାନେ ଟିକା ନେବା ପାଇଁ ଡାକ୍ତରଖାନାକୁ ଆସି ପାରୁ ନ ଥିଲେ । ଏହାକୁ ଦୃଷ୍ଟିରେ ରଖି ଖଜୁରୀପଦା ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀଣୀ ମମତା ପାଢୀ ଏହି ବୃଦ୍ଧବୃଦ୍ଧାଙ୍କୁ ଟିକାକରଣ ପାଇଁ ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ପ୍ରଦୀପ କୁମାର ପାତ୍ରଙ୍କୁ ଅନୁରୋଧ କରିଥିଲେ । ଏଥିରେ ଶ୍ରୀ ପାତ୍ର ବୃଦ୍ଧବୃଦ୍ଧାଙ୍କ ଟିକାକରଣ ପାଇଁ ସମ୍ମତ ପ୍ରକାଶ କରିଥିଲେ । ଆଜି ସାବିତ୍ରି ଅମାବାସ୍ୟା ସରକାରୀ ଛୁଟିର ସୁବିଧା ନେଇ ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀଣୀ ମମତା ପାଢୀ ନିଜସ୍ୱ ଖର୍ଚ୍ଚରେ ଆଟୋ ଆୟୋଜନ କରି ଆଶ୍ରା ଜରାଶ୍ରମ ବୃଦ୍ଧବୃଦ୍ଧାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣି ଟିକା ପ୍ରଦାନ କରି ପୁଣି ସେଠାରୁ ଛାଡିବା ବ୍ୟବସ୍ଥା କରି ନିଜର ମହନୀୟତାର ପରିଚୟ ଦେଇଥିଲେ । ଏହି ଟିକାକରଣ ବେଳେ ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ପ୍ରଦୀପ କୁମାର ପାତ୍ର ଉପସ୍ଥିତ ରହି ବୃଦ୍ଧବୃଦ୍ଧାଙ୍କୁ ଉତ୍ସାହିତ କରିବା ସହ ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀଣୀ ମମତା ପାଢୀ ଏପରି ସେବା ମନୋବୃତ୍ତି କାର୍ଯ୍ୟକ୍ରମର ଭୂୟଶୀ ପ୍ରଶଂସା କରିଥିଲେ । ଟିକା ଗ୍ରହଣ କରିବା ପରେ ଆଶ୍ରା ଜରାଶ୍ରମ ବୃଦ୍ଧବୃଦ୍ଧାମାନେ କରୋନାର ଏହି ଘଡିସନ୍ଧି ମୁହୁର୍ତ୍ତରେ କୌଣସି ବ୍ୟକ୍ତି ଟିକାକରଣରେ ସାହାର୍ଯ୍ୟ କରୁନଥିବାରୁ ବୃଦ୍ଧାବସ୍ଥା ଯୋଗୁଁ ପାଦଚଲାରେ ଡାକ୍ତରଖାନା ଆସି ପାରୁ ନଥିଲୁ । ଆମକୁ ଆଜିର ଟିକାକରଣରେ ସମସ୍ତ ସହଯୋଗ କରି ଦୀର୍ଘ ସମୟ ଧରି ଆମ ପାଖରେ ଉପସ୍ଥିତ ରହି ସେବା କରିଥିବା ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀଣୀ ମମତା ପାଢୀଙ୍କ ସେବା ଯୋଗୁଁ ଆମେ ଟିକା ଗ୍ରହଣ କରିପାରିଛୁ । ଭଗବାନ ତାଙ୍କରି ଏଭଳି ସେବା ପାଇଁ କୋଟି ପରମାୟୁ ଦିଅନ୍ତୁ ବୋଲି ବୃଦ୍ଧବୃଦ୍ଧାମାନେ ମତବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.