ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଓଡ଼ିଶା ଛୁଇଁବ ମୋସୁମୀ ବାୟୁ

0 69

ଭୁବନେଶ୍ୱର ୧୦/୦୬: ଓଡ଼ିଶାରେ ପହଞ୍ଚିଲା ଦକ୍ଷିଣ-ପଶ୍ଚିମ ମୋସୁମୀ ବାୟୁ । ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ମୌସୁମୀ ବାୟୁ ସାରା ରାଜ୍ୟରେ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।  ସେହିପରି ଆଜିଠୁ ୧୪ ତାରିଖ ଯାଏଁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ପାଣିପାଗ ବିଭାଗର ପୂର୍ବାନୁମାନକୁ ଭିତ୍ତି କରି ସମସ୍ତ ଜିଲ୍ଲା ପ୍ରଶାସନକୁ ସତର୍କ କରିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା। ପାଣିପାଗ ବିଭାଗର ସୂଚନା ଅନୁସାରେ, ଉତ୍ତର ବଙ୍ଗୋପସାଗରରେ ଆସନ୍ତା ୧୧ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଯାହା ମୌସୁମୀ ପ୍ରବେଶର ଅନୁକୂଳ ପରିବେଶ ସୃଷ୍ଟି କରିବ। ଆସନ୍ତା ୨୪ ଘଣ୍ଟା ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ , ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ତେଣୁ ପ୍ରବଳ ବର୍ଷାର ପ୍ରଭାବରେ ରାଜ୍ୟର ଅଧିକାଂଶ ନଦୀରେ ବନ୍ୟା ଜଳ ଆସିପାରେ। ଏପରିକି ପାହାଡ଼ିଆ ଅଞ୍ଚଳରେ ଅତଡ଼ା ଖସିବା ଆଶଙ୍କା ଥିବା ବେଳେ, ସମୁଦ୍ର ଜୁଆରିଆ ଓ ଅଶାନ୍ତ ରହିବ। ୧୧ ତାରିଖ ପରେ ସମୁଦ୍ରକୁ ନ ଯିବା ଲାଗି ମତ୍ସ୍ୟଜୀବୀମାନଙ୍କୁ ସତର୍କ କରିଦିଆଯାଇଛି।

Leave A Reply

Your email address will not be published.