ସଂକ୍ରମଣ କମୁଛି, ମୃତ୍ୟୁସଂଖ୍ୟା ଉପରତଳ

0 66

ନୂଆଦିଲ୍ଲୀ, ୧୧ ।୬:ଦେଶରେ କରୋନା ସଂକ୍ରମଣ ନିରନ୍ତର ଭାବରେ କମି ଚାଲିଛି । ହେଲେ ମୃତ୍ୟୁ ହାରରେ ବ୍ରେକ ଲାଗିପାରୁନି । ନିକଟରେ ଦୈନିକ ମୃତ୍ୟୁ ସଂଖ୍ୟା ୩ ହଜାର ତଳକୁ ଖସିଥିଲା ହେଲେ ଏବେ ଏହା ପୁଣିଥରେ ୩ ହଜାର ଉପରେ ରହିଛି । ଯାହାକି ଦେଶ ପାଇଁ ଚିନ୍ତାଜନକ । ବିଗତ ୨୪ ଘଣ୍ଟାରେ ଦେଶରେ କରୋନା ସଂକ୍ରମିତ ସଂଖ୍ୟା ୯୧,୭୦୨ ଜଣ ଚିହ୍ନଟ ହୋଇଥିବା ବେଳେ ୩,୪୦୩ ଜଣଙ୍କର ମୃତ୍ୟୁ ଘଟିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଜାରି କରିଥିବା ରିପୋର୍ଟରେ ଏହା କୁହାଯାଉଛି । ଗୁରୁବାର ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ତୁଳନାରେ ବୁଧବାର ଏହି ସଂଖ୍ୟା ଟିକିଏ କମ୍ ରହିଛି । ଲଗାତର ଚାରି ଦିନ ହେବ ଦେଶରେ ସଂକ୍ରମିତ ସଂଖ୍ୟା ୧ ଲକ୍ଷ ତଳେ ରହିଛି । ନୂଆ ସଂକ୍ରମିତଙ୍କ ସଂଖ୍ୟାକୁ ମିଶାଇଲେ ଦେଶରେ ଏଯାବତ ୨,୯୨,୭୪,୮୨୩ ଜଣ ସଂକ୍ରମିତ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ଛୁଇଁଛି ୩,୬୩,୦୭୯ । ସୂଚନାଯୋଗ୍ୟ ଯେତେବେଳେ ଯେତେବେଳେ କରୋନା ସଂକ୍ରମଣ ଦୈନିକ ୪ ଲକ୍ଷ ତଳେ ଥିଲା ସେତେବେଳେ ମୃତ୍ୟୁ ସଂଖ୍ୟା ୩ ହଜାର ଉପରେ ରହୁଥିଲା । ଅର୍ଥାତ୍ କରୋନା ସଂକ୍ରମଣ କମିଛି ହେଲେ ଏହି କାରଣରୁ ହେଉଥିବା ମୃତ୍ୟୁରେ ରୋକ୍ ଲାଗିପାରୁନି । ନୂଆ ସଂକ୍ରମିତଙ୍କ ସଂଖ୍ୟା ଓ କରୋନା ଟେଷ୍ଟ ଅନୁଯାୟୀ ଦେଶରେ ଏବେ ପିଜିଟିଭିଟି ୪.୪୯% ରହିଛି । ଲଗାତର ଚାରି ଦିନ ପାଇଁ ଦେଶରେ ପଜିଟିଭିଟି ହାର ୫ % ତଳେ ରହିଛି । ମୋଟ୍ ସଂକ୍ରମିତଙ୍କ ମଧ୍ୟରୁ ତାମିଲନାଡୁରେ ସର୍ବାଧିକ ୧୬,୮୧୩ ଜଣ ଚିହ୍ନଟ ହୋଇଥିବା ବେଳେ କେରଳରେ ଏହି ସଂଖ୍ୟା ୧୪,୪୨୪ ରହିଛି ସେହିପରି ମହାରାଷ୍ଟ୍ରରେ ୧୨,୨୦୭ ଏବଂ କର୍ଣ୍ଣାଟକରେ ୧୧,୦୪୨ ରହିଛି । ସେହିପରି ଦେଶରେ ଏବେ କରୋନା ଚିକିତ୍ସାଧୀନ ସଂଖ୍ୟା ମଧ୍ୟ କମିଚାଲିଛି । ଏବେ ଦେଶରେ ୧୧,୨୧, ୬୭୧ ଜଣ କରୋନାରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି । ଗତକାଲିର ରିପୋର୍ଟକୁ ଦେଖିଲେ ଏବେ ଗୋଟିଏ ଦିନରେ ୪୬,୨୮୧ ଜଣ ଚିକିତ୍ସାଧୀନ ସଂଖ୍ୟା ହ୍ରାସ ପାଇଛି । ସପ୍ତାହ ଆରମ୍ଭରୁ ଏହି ସଂଖ୍ୟା ୧୪ ଲକ୍ଷରେ ଥିବା ବେଳେ ଏବେ ୧୧ ଲକ୍ଷରେ ଆସି ପହଞ୍ଚିଛି । ସେହିପରି ବିଗତ ୨୪ ଘଣ୍ଟାରେ ୧ ଲକ୍ଷ ୩୪ ହଜାର ୫୮୦ ଜଣ ଡିସଚାର୍ଜ ହୋଇଛନ୍ତି । ଆରୋଗ୍ୟ ହାର ଏବେ ୯୪.୯୩%କୁ ବୃଦ୍ଧି ପାଇଛି । ଏହା ବ୍ୟତୀତ ସାପ୍ତାହିକ ପଜିଟିଭିଟି ହାର ମଧ୍ୟ ୫.୧୪% ରେ ରହିଥିବା ବେଳେ ଦୈନିକ ହାର ୪.୪୯% କୁ ଖସି ଆସିଛି । କ୍ରମାଗତ ୧୮ ଦିନ ପାଇଁ ଏହା ୧୦% ରୁ କମ ରହିଆସୁଛି । ଦେଶରେ ଦ୍ରୁତ ଗତିରେ ଟିକାକରଣ ଏବଂ କରୋନା ସହିତ ମୁକାବିଲା ପାଇଁ ଲାଗୁ ହୋଇଥିବା ଲକଡାଉନ ଏବଂ ଶଟଡାଉନ ଯୋଗୁଁ ପରିସ୍ଥିତିରେ ସୁଧାର ଆସିଛି ।

Leave A Reply

Your email address will not be published.