ପଶ୍ଚିମ ଓଡ଼ିଶା ପାଇଁ ଆଉ ୨୫ କୋଟି

68

ସମ୍ବଲପୁର : କୋଭିଡ୍ ପରିଚାଳନା ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦକୁ ଆଉ ୨୫କୋଟି ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଶ୍ଚିମ ଓଡ଼ିଶାରେ ୨୫କୋଟିର ପ୍ରକଳ୍ପ ଲୋକାର୍ପିତ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ଏହାଦ୍ୱାରା ଉପକୃତ ହେବେ ୧୧ ପଶ୍ଚିମ ଓଡ଼ିଶା ଜିଲ୍ଲାବାସିନ୍ଦା । ସମ୍ବଲପୁର, କଳାହାଣ୍ଡି, ବଲାଙ୍ଗୀର,ବରଗଡ଼ବାସୀଙ୍କ ସହ ନୂଆପଡା, ଝାରସୁଗୁଡା, ବୌଦ୍ଧ, ଦେବଗଡ଼, ସୋନପୁର, ସୁନ୍ଦରଗଡ ଓ ଅନୁଗୁଳବାସୀ ଉପକୃତ ହେବେ ।

ଶୁକ୍ରବାର ପଶ୍ଚିମ ଓଡ଼ିଶାରେ କୋଭିଡ୍ ମୁକାବିଲା ଭିତ୍ତିଭୂମି ସଂପ୍ରସାରଣ ନେଇ ଏକାଧିକ ପ୍ରକଳ୍ପ ଉଦ୍ଘାଟିତ ହୋଇଛି । ସମସ୍ତ ପ୍ରକଳ୍ପ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ୍ ପରିଚାଳନା ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦକୁ ୨୫ କୋଟି ଟଙ୍କା ମଞ୍ଜୁର କରାଯାଇଥିଲା । ଏହି ଅର୍ଥରେ ଅକ୍ସିଜେନ ସିଲିଣ୍ଡର, ମାସ୍କ, ଗ୍ଲୋବ୍ସ କିଣା ପରେ ଏବେ ହାତକୁ ନିଆଯାଇଛି ଅନେକ ଯୋଜନା । ଆରଟି ପିସିଆର୍ ମେସିନ କିଣାଯାଇଥିବା ବେଳେ ଟେକ୍ନସିଆନ୍ ନିଯୁକ୍ତ ହୋଇଛନ୍ତି । ଅନେକ ମେଡିକାଲରେ ଅତିରିକ୍ତ ଆଇସିୟୁ ବେଡ୍ ପ୍ରସ୍ତୁତ କରାଯାଇଛି । ଆବଶ୍ୟକ ସ୍ଥାନରେ ଲାଗିଛି ଅଟୋ-ସାନିଟାଇଜିଂ ମେସିନ୍ । ଏହି ଟଙ୍କାରେ ବିଭିନ୍ନ ଡାକ୍ତରଖାନାରେ ବିଶୁଦ୍ଧ ପିଇବା ପାଣିର ସମସ୍ୟା ମଧ୍ୟ ଦୂର କରାଯାଇଛି । ଏସବୁ ବ୍ୟବସ୍ଥା ଆଜି ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜନସାଧାରଣଙ୍କ ପାଇଁ ପୋଲ, ରାସ୍ତା, କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କାମ ହାତକୁ ନିଆଯାଇଥିବା ବେଳେ ପ୍ରଥମ ଥର ସ୍ୱତନ୍ତ୍ର ଭାବେ କୋଭିଡ୍ ମୁକାବିଲା ପାଇଁ ପଦକ୍ଷେପ ନିଆଯାଇଛି ।

Comments are closed.