ଶୀତଳଷଷ୍ଠୀ : ଆଜି ଶିବ ବିବାହ

0 81

ସମ୍ବଲପୁର,୧୫/୦୬: ଆଜି ଶିବ ବିବାହ ବା ଶୀତଳଷଷ୍ଠୀ । ଏଥି ପାଇଁ ଆଜି ଅପରାହ୍ନରେ ରାଜ୍ୟର ସବୁ ଶିବାଳୟରେ ମହାଦେବଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ଆଳତୀ କରାଯାଇଥିଲା । ସମ୍ବଲପୁର ଶୀତଳଷଷ୍ଠୀ ଏବର୍ଷ ବି କରୋନା କଟକଣା ଯୋଗୁଁ ବିଧିରକ୍ଷାରେ ସୀମିତ ହେଉଥିଲେ ବି ଏହାର ଆୟୋଜନରେ ଆଦୌ ଉଣା ହୋଇନାହିଁ । ଇତିମଧ୍ୟରେ ସମସ୍ତ କମିଟିର ପତରପେଣ୍ଡି ବା କନ୍ୟା ଅନ୍ୱେଷଣର ପର୍ବ ସାଙ୍ଗକୁ ଦେବ ନିମନ୍ତ୍ରଣ ନୀତି ବି ଶେଷ ହୋଇଛି । ଗତ ୧୧ ତାରିଖରେ ନନ୍ଦପଡାର ବଂ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ପତରପେଣ୍ଡି ଶେଷ ହୋଇଥିବା ବେଳେ ୧୨ରେ ଗୁଆଗୁଣ୍ଡା ବି ସଂପନ୍ନ ହୋଇଥିଲା । ଆଉ ଏହି ବିବାହରେ ସାକ୍ଷୀ ହେବା ପାଇଁ ସାକ୍ଷୀ ଗୋପିନାଥ ବି ଆସି ପହଞ୍ଚି ଯାଇଛନ୍ତି । ସେପଟେ, ଝାଡୁଆପଡ଼ାର ଲୋକନାଥ ବାବା, ମୁଦିପଡ଼ାର ଜାଗେଶ୍ୱର ବାବାଙ୍କ ଗୁଆଗୁଣ୍ଡା ବି ରବିବାର ସନ୍ଧ୍ୟାରେ ଶେଷ ହୋଇଛି । ସଙ୍କଟମୋଚନ ହନୁମାନ ସହରରର ବିଭିନ୍ନ ପଡ଼ାରେ ଥିବା ଦେବା ଦେବୀଙ୍କ ମନ୍ଦିରକୁ ଯାଇ ନଡିଆ, ଗୁଆ, ହଳଦି ଦେଇ ପୂଜାର୍ଚ୍ଚନା କରି ବିବାହରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରିଛନ୍ତି । ଏଥି ପାଇଁ ଆଜି ଅପରାହ୍ନରେ ସବୁ ଶିବାଳୟରେ ମହାଦେବଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ଆଳତୀ କରାଯାଇଥିଲା । ଏହି ଦେବ ନିମନ୍ତ୍ରଣ ବେଳେ ବରପିତାଙ୍କ ସହିତ ମନ୍ଦିର ପୂଜକ ଏବଂ ଷଷ୍ଠୀ ଯାତ୍ରା ପୁରୋହିତ ଓ କମିଟି କର୍ମକର୍ତ୍ତା ସାମିଲ ହୋଇଥିଲେ । ଅପରପକ୍ଷେ, ମଙ୍ଗଳବାର ଗତବର୍ଷର କନ୍ୟା ପିତାମାତା ମାନଙ୍କ ଗଣ୍ଠଳି ଫିଟା କାର୍ଯ୍ୟକ୍ରମ ସହିତ ନୂତନ କନ୍ୟା ପିତାମାତାଙ୍କ କୋଳକୁ ମାତା ପାର୍ବତୀ ଯିବେ । ଆଉ ନୂତନ କନ୍ୟା ପିତାମାତାଙ୍କ ଘରେ ଦିନତମାମ ମାଁଙ୍କ ବିବାହ ପୂର୍ବବର୍ତ୍ତୀ ବିଭିନ୍ନ ନୀତି ସଂପନ୍ନ ହେବ । ମାଁଙ୍କ ତୈଳାଭିଷେକରୁ ଆରମ୍ଭ କରି ହଳଦି ଖେଳ ଆଦି ନୀତି ଅନୁଷ୍ଠିତ ହେବ । ଆଉ ସନ୍ଧ୍ୟାରେ ମାତା ପାର୍ବତୀଙ୍କୁ ନବବଧୁ ବେଶରେ ସଜ୍ଜିତ କରାଯିବ । ସେହିପରି ଶିବାଳୟରେ ମଧ୍ୟ ମହାଦେବଙ୍କ ରୁଦ୍ରାଭିଷେକ ସହିତ ତୈଳାଭିଷେକ, ଗନ୍ଧଷଣ ଆଦି ନୀତି ସଂପନ୍ନ ହେବ । ଆଉ ସନ୍ଧ୍ୟାରେ ମହାଦେବ ବରବେଶରେ ସଜ୍ଜିତ ହୋଇ ବାହା ମଣ୍ଡପ ଅଭିମୁଖେ ବାହାରିବାର କାର୍ଯ୍ୟକ୍ରମ ରହିଛି । ତେବେ, କରୋନା କଟକଣା ଯୋଗୁଁ ଏବର୍ଷର ଷଷ୍ଠୀ ଯାତ୍ରା କେବଳ ବିଧିରକ୍ଷାରେ ସୀମିତ ହୋଇଛି । ଏଥିପାଇଁ ବରଯାତ୍ରୀ କନ୍ୟା ଘରକୁ ନ ଯାଇ ମନ୍ଦିର ପ୍ରାଙ୍ଗଣରେ ହିଁ ବିବାହ ସଂପନ୍ନ କରିବାକୁ ସ୍ଥିର ହୋଇଛି । ଆଉ ମନ୍ଦିର ପ୍ରାଙ୍ଗଣରେ ହିଁ ବୁଧବାର ଏବଂ ଗୁରୁବାର ଯୁଗଳ ଦର୍ଶନ ଅନୁଷ୍ଠିତ ହେବ ବୋଲି ଚୂଡାନ୍ତ ହୋଇଛି ।

Leave A Reply

Your email address will not be published.