ସ୍ନାନଯାତ୍ରାର ଢେର ପୂର୍ବରୁ ଉଠିଲା ଚାରି ନାହାକା

78

-ଯୋଡ଼ିହେଲା ଐତିହାସିକ ଅଧ୍ୟାୟ

ପୁରୀ : ଜୋରସୋରରେ ଆଗେଇ ଚାଲିଛି ବିଶ୍ୱନିୟନ୍ତାଙ୍କ ରଥ ନିର୍ମାଣ କାର୍ଯ୍ୟ । ନେତ୍ରୋତ୍ସବର ୫ଦିନ ପୂର୍ବରୁ ସରିବ ରଥକାର୍ଯ୍ୟ । ସ୍ନାନଯାତ୍ରାର ଢେର ପୂର୍ବରୁ ଉଠିଲା ତିନିରଥର ଚାରିନାହାକା । ପ୍ରଥମେ ତାଳଧ୍ୱଜ ରଥ, ତା’ପରେ ନନ୍ଦିଘୋଷ ଓ ସର୍ବଶେଷରେ ଦେବଦଳନ ରଥର ନାହାକା ଉଠିଛି । ଭୋଇ ସେବକମାନେ ନାହାକା ଉଠାଇ ତୃତୀୟ ହରିବୋଲ ପକାଇଛନ୍ତି । ସକାଳୁ ଦଣ୍ଡା ଉପରେ ଗରଗରା ପଡିବା ପରେ ଅଶୁଆରି ଓ ତା ଉପରେ ଗୟଳ ମୋଡାଯାଇଛି ।

ପରେ ପଟା ପଡିବା ପରେ ଉଠିଛି ତିନି ରଥର ଚାରିନାହାକା । ସ୍ନାନପୁର୍ଣ୍ଣିମା ପୂର୍ବରୁ ତିନି ରଥର ପୋଟଳ ଉଠିବା ପାଇଁ ପ୍ରସ୍ତୁତି ରଖିଛନ୍ତି ବିଶ୍ୱକର୍ମା ମହାରଣା । ରଥଖଳାରେ ରଥନିର୍ମାଣ ନେଇ ମହାରଣା,ରୂକାର ଓ ଭୋଇ ସର୍ଦ୍ଦାର ନିମଗ୍ନ ରହିଛନ୍ତି । ଚଳଚଞ୍ଚଳ ହୋଇ ଉଠିଛି ରଥ । ଚଳିତବର୍ଷ ଜୁଲାଇ ୧୨ରେ ରଥଯାତ୍ରା ଅନୁଷ୍ଠିତ ହେବ । ଏହା ପୂର୍ବରୁ ଜୁନ ୨୪ରେ ଦେବସ୍ନାନ ପୂର୍ଣ୍ଣିମା ଆୟୋଜନ ହେବ । ତେବେ ସ୍ନାନମଣ୍ଡପ ଓ ରଥରେ ମୋବାଇଲ ବ୍ୟବହାର ନକରିବାକୁ ଖୁଣ୍ଟିଆ ନିଯୋଗ ପରାମର୍ଶ ଦେଇଛି ।

Comments are closed.