୩ ମାସ ହେଲା ଅଙ୍ଗନବାଡି କର୍ମୀ ଅଣ୍ଡା ଦେଇନଥିବା ଅଭିଯୋଗ

0 77

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି ୭୯ ସ୍ଥିତି ଅଙ୍ଗନବାଡି କେନ୍ଦ୍ରରେ କର୍ମୀଙ୍କ ମନୋମୁଖୀ କାର୍ଯ୍ୟକଳାପ ଯୋଗୁଁ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଗତ ୩ ମାସ ହେଲା ଏମଭି ୭୯ ଜଳସେଚନ କଲୋନୀ ଠାରେ ଥିବା ଅଙ୍ଗନବାଡି କେନ୍ଦ୍ରରେ ଗର୍ଭବତୀ ମହିଳା ଓ ଶିଶୁଙ୍କୁ ଅଣ୍ଡା ପ୍ରଦାନ କରାଯାଇନଥିବା ନେଇ ସଂଗୀନ ଅଭିଯୋଗ ହେଉଛି । ସାମ୍ପ୍ରତିକ କରୋନା ସମୟରେ ଶିଶୁ ଓ ଗର୍ଭବତୀ ମହିଳାଙ୍କ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି କରିବା ପାଇଁ ସରକାର କେନ୍ଦ୍ର ବନ୍ଦ ସତ୍ୱେ ଘରକୁ ଘର ବୁଲି ଅଣ୍ଡା ବାଣ୍ଟିବା ପାଇଁ ନିର୍ଦ୍ଧେଶ ଜାରି କରିଥିବାବେଳେ ଉକ୍ତ ଅଙ୍ଗନବାଡି କର୍ମୀ କାହା ସାହସରେ ଗତ  ୩ ମାସ ହେଲା ଅଣ୍ଡା ପ୍ରଦାନ କରିନାହାନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଉକ୍ତ କର୍ମୀଙ୍କୁ ପଚାରିବାରୁ ସେ କହି ଛନ୍ତି ଯେ  ଅଣ୍ଡା ବାବଦରେ କାର୍ଯ୍ୟାଳୟରୁ ଅର୍ଥ ପାଇଁ ନଥିବା ଯୋଗୁଁ ସେ ଅଣ୍ଡା କିଣି ଯୋଗାଇ ପାରୁନାହାନ୍ତି । ଜିଲ୍ଲାର ସମସ୍ତ କେନ୍ଦ୍ରରେ କର୍ମୀ ମାନେ ଆଗତୁରା ଅଣ୍ଡା ଆଣି ବିଲ ପୈଠ କଲେ ସେମାନେ ଅର୍ଥ ପାଉଛନ୍ତି, କିନ୍ତୁ ଏହି କେନ୍ଦ୍ରରେ ଏହାର ବ୍ୟତିକ୍ରମ କାହିଁକି ବୋଲି ଆଲୋଚନା ହେଉଛି । ଅଙ୍ଗନବାଡି କର୍ମୀଙ୍କ ଦାଇତ୍ୱହୀନତା ଯୋଗୁଁ ଗର୍ଭବତୀ ମହିଳା ଓ ଶିଶୁଙ୍କ ଜୀବନ ବିପଦକୁ ଠେଲି ହୋଇଯାଇଛି । ଏହା ପଛରେ ଅଙ୍ଗନବାଡି  କର୍ମୀଙ୍କ ସହ ସିଡ଼ିପିଓ ଓ ସୁପରଭାଇଜରଙ୍କ ମଧୁଚନ୍ଦ୍ରିକା ଏକମାତ୍ର କାରଣ ବୋଲି ଜନସାଧାରଣ ଅଭିଯୋଗ କରିଛନ୍ତି ।ଜିଲ୍ଲାପାଳ ତୁରନ୍ତ ଏହାର ତଦନ୍ତ କରି ଉକ୍ତ କର୍ମୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଶିଶୁ ଓ ଗର୍ଭବତୀ ମହିଳା ଯେପରି କରୋନା କାଳରେ ଉପଯୁକ୍ତ ପୁଷ୍ଟିକର ଖାଦ୍ୟ ପାଇପାରିବେ ସେଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.