ମଦ ମାଗି ନିଲମ୍ବିତ ହେଲେ ପୋଲିସ ବାବୁ

71

ଭଦ୍ରକ : ରବିବାର ଭଦ୍ରକ ସହରାଞ୍ଚଳ ଥାନାର ଜଣେ କାର୍ଯ୍ୟରତ ପୋଲିସ୍ କର୍ମଚାରୀ ଜଣେ ଯୁବକର କେଶ୍ ରଫାଦଫା କରିଦେବାକୁ ନେଇ ମଦ ମାଗିବା ଓ ତାହା ନେଉଥିବା ବେଳେ ଉକ୍ତ ଭିଡିଓ ଭାଇରାଲ ହେବା ଘଟଣାରେ ଜିଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା ନିଲମ୍ବିତ କରିଥିବାର ଜଣାପଡିଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଗବସାହିର ଜଣେ ଯୁବକର ଏକ କେଶ୍ରୁ ନାମ କାଟିଦେବା ପାଇଁ ସହରାଞ୍ଚଳ ଥାନାର ଏଏସ୍ଆଇ ବୀର ବେହେରା ମଦ ମାଗିଥିଲେ । ଯୁବକ ଜଣକ ତାଙ୍କୁ ମଦ ଦେଉଥିବାବେଳେ ତାହାର ଭିଡିଓ ଭାଇରାଲ ହୋଇଥିଲା । ଯାହାକୁ ନେଇ ଜିଲାରେ ଚର୍ଚ୍ଚା ଜୋର ଧରିଥିଲା ।

ସଂପୃକ୍ତ ଥାନା ଏଏସ୍ଆଇ ଶ୍ରୀ ବେହେରା ଯୁବକଙ୍କ ଠାରୁ ମଦ ନେବା ସହ ଅଧିକ ମଦ ପାଇଁ ଅଶ୍ଳୀଳ ଭାଷା କହୁଥିବା ଭିଡିଓରେ ଦେଖିବାକୁ ମିଳିଥିଲା । ତେବେ ଏଥିନେଇ ପୁଲିସ୍ ପକ୍ଷରୁ କୌଣସି ଅଧିକାରୀଙ୍କ ପ୍ରତିକ୍ରିୟା ମିଳି ପାରିନଥିଲେ ମଧ୍ୟ ଶ୍ରୀ ବେହେରାଙ୍କୁ ଜିଲା ଆରକ୍ଷୀ ଅଧିକ୍ଷକ ନିଲମ୍ବିତ କରିଥିବାର ଜଣାପଡିଛି । ତେବେ ଆଇନର ରକ୍ଷକ ହୋଇ ଏଭଳି କାର୍ଯ୍ୟ କରିବା ନିହାତି ନିନ୍ଦିତ ଘଟଣା ବୋଲି ସହର ସାରା ଚର୍ଚ୍ଚା ହେଉଛି । ଏହି ଭିଡିଓ ଭାଇରାଲ ପରେ ଥାନାବାବୁଙ୍କ ଅସଲମୁଖା ଖୋଲିଯାଇଛି । ଏପରିକି ସମ୍ପୃକ୍ତ ଯୁବକଙ୍କୁ କାହିଁକି ଭିଡିଓ ଭାଇରାଲ କରିଛୁ ବୋଲି ପଚାରିଛନ୍ତି । ମାତ୍ର ସମ୍ପୃକ୍ତ ଯୁବକଜଣକ ଏହାକୁ ଅସ୍ୱୀକାର କରୁଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି ।

Comments are closed.