ଟିକାକରଣରେ ନୂଆ ମାଇଲ୍ଖୁଣ୍ଟ : ୬ ମାସରେ କୋଟିଏ ପାର୍

83

-୫ ପ୍ରତିଶତ ତଳକୁ ଖସିଲା ପଜିଟିଭିଟି ହାର
-ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ୬ ମାସରେ ରାଜ୍ୟରେ ଦିଆଯାଇଛି କୋଟିଏରୁ ଊଦ୍ଧ୍ୱର୍ ଡୋଜ୍ ଟିକା । ଟିକାକରଣରେ ନୂଆ ମାଇଲଖୁଣ୍ଟ ଅତିକ୍ରମ କରିଛି ଓଡ଼ିଶା । ଜାନୁଆରୀ ୧୬ ରୁ ରାଜ୍ୟରେ ଆରମ୍ଭ ହୋଇଥିଲା ଟିକାକରଣ । ପ୍ରଥମେ ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ ଭ୍ୟାକ୍ସିନ୍ ଦିଆଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ୪୫ବର୍ଷରୁ ଅଧିକଙ୍କୁ ଟିକା ମଧ୍ୟ ଦିଆଯାଇଥିଲା । ଏବେ ତୃତୀୟ ପର୍ଯ୍ୟାୟରେ ୧୮ରୁ ୪୪ବର୍ଷ ବର୍ଗରେ ସମସ୍ତଙ୍କୁ ଟିକାକରଣ ଚାଲିଛି । ସବୁ ବ୍ଲକ୍ ଓ ମ୍ୟୁନିସିପାଲିଟି ଅଞ୍ଚଳର ଲୋକଙ୍କୁ ଭ୍ୟାକ୍ସିନ୍ ଦିଆଯାଉଛି । ଦୈନିକ ୩ ଲକ୍ଷ ଟିକାକରଣ ପାଇଁ ଟାର୍ଗେଟ ରହିଛି । ଏଥିପାଇଁ ଅଫ୍ ଓ ଅନ୍ଲାଇନ୍ ରେ ସ୍ଲଟ୍ ବୁକିଂ କରାଯାଉଛି । ତୃତୀୟ ଲହର ଆସିବା ପୂର୍ବରୁ ଟିକାକରଣ ଜୋରଦାର କରିବାକୁ ଉଦ୍ୟମ ଚଳାଇଛନ୍ତି ରାଜ୍ୟ ସରକାର । ଅନ୍ୟପକ୍ଷରେ ରାଜ୍ୟରେ ତଳକୁ ତଳକୁ ଖସୁଛି କରୋନା କାୟା ।

ଆଜି ୫ ପ୍ରତିଶତ ତଳକୁ ଖସିଛି ପଜିଟିଭିଟି ହାର । ୨୪ ଘଣ୍ଟାରେ ୩୦୩୧ ସଂକ୍ରମିତ ହୋଇଥିବା ବେଳେ ୪୩ ଜଣଙ୍କ ଜୀବନ ଯାଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୩ ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ଏହା ଫଳରେ ରାଜ୍ୟର ମୋଟ କରୋନା ମୃତ୍ୟୁ ସଂଖ୍ୟା ୩୬୩୩ କୁ ବୃଦ୍ଧି ପାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ
ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭ ଜଣ ମୃତ୍ୟୁବରଣ କରିଥିବାବେଳେ ବରଗଡ଼ ଓ କଟକ ଜିଲ୍ଲାରୁ ୫ଜଣ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ସେହିପରି ଝାରସୁଗୁଡ଼ା ଓ ପୁରୀରୁ ୪ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି । ଅନ୍ୟପକ୍ଷରେ ଗଞ୍ଜାମ ଓ କୋରାପୁଟରୁ ୩ଜଣ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ବଲଙ୍ଗୀର, ବୌଦ୍ଧ, ସମ୍ବଲପୁର ଓ
ସୁନ୍ଦରଗଡ଼ରୁ ୨ଜଣ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ରାୟଗଡ଼ା, କେନ୍ଦ୍ରାପଡ଼ା, କଳାହାଣ୍ଡି, କନ୍ଧମାଳରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି ।

ସୂଚନାଯୋଗ୍ୟ ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ୩୦୩୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୭୩୮ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୧୨୯୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୮୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ପଜିଟିଭିଟି ହାର ୪.୯୭
ପ୍ରତିଶତ ରହିଥିବା ବେଳେ ଗତକାଲି ପଜିଟିଭିଟି ହାର ଥିଲା ୫.୩୯ ପ୍ରତିଶତ । କରୋନା ମାନଚିତ୍ରରେ ଧୀରେ ଧୀରେ ସବୁଜ ହେଉଛି ଓଡ଼ିଶା । ଆକ୍ଟିଭ୍ କେସ୍ ଗ୍ରୀନ୍ ଜୋନ୍ରେ ରହିଛି ୨୦ ଜିଲ୍ଲା । କିନ୍ତୁ ପଜିଟିଭିଟିରେ ୧୮ ଜିଲ୍ଲା ସବୁଜ କ୍ଷେତ୍ରରେ ଅଛି । ସେସବୁ ଜିଲ୍ଲାରେ ୫ ପ୍ରତିଶତ ତଳେ ରହିଛି ସଂକ୍ରମଣ ହାର । ଆକ୍ଟିଭ୍ କେସ୍ ରେ ୪ ଓ ପଜିଟିଭିଟିରେ ୫ ଜିଲ୍ଲା ଅଛି ରେଡ୍ ଜୋନ୍ ରେ । ଏଥିସହିତ ଖୋର୍ଦ୍ଧା, ଯାଜପୁର ଓ ବାଲେଶ୍ୱର ଉଭୟ ଆକ୍ଟିଭ୍ ଓ ପଜିଟିଭିଟି ରେଡ୍ ଜୋନ୍ରେ ରହିଛି । ସେକେଣ୍ଡ ୱେଭ୍ ସ୍ଥିତିରେ ସୁଧାର ଆସୁଥିବା ବେଳେ ତୃତୀୟ ଲହର ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି ବୋଲି ଡିଏମ୍ଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି । ଥାର୍ଡ ୱେଭ୍ ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ରହିବାକୁ ସେ ପରାମର୍ଶ ଦେଇଛନ୍ତି ।

ରେକର୍ଡ : ଦେଶରେ ଦିନକରେ ୭୦ ଲକ୍ଷ ଡୋଜ

ଦେଶରେ କରୋନା ମହାମାରୀକୁ ରୋକିବାକୁ ଟିକାକରଣ ଅଭିଯାନ ଜୋରଦାର କରାଯାଉଛି । ଆଜିଠୁ ଦେଶରେ ବୃହତ୍ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି । ଆଉ ପ୍ରଥମ ଦିନରେ ହିଁ ଟିକାକରଣରେ ରେକର୍ଡ କରିଛି ଭାରତ । ଆଜି ୭୦ ଲକ୍ଷରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଛି । କେନ୍ଦ୍ର ସରକାର ଆଜିଠୁ ଦେଶର ସମସ୍ତ ନାଗରିକଙ୍କୁ ମାଗଣାରେ ଟିକା ଉପଲବ୍ଧ କରାଉଛନ୍ତି । କିଛିଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏନେଇ ଘୋଷଣା କରିଥିଲେ । ଅନ୍ତର୍ଜାତୀୟ ଯୋଗ ଦିବସରୁ ଟିକାକରଣକୁ ଜୋରଦାର କରାଯାଇଛି । କେନ୍ଦ୍ର ସରକାର ବର୍ତ୍ତମାନ ଟିକା କିଣି ରାଜ୍ୟ ସରକାରଙ୍କୁ ଦେବେ । ହେଲେ ପୂର୍ବରୁ ରାଜ୍ୟ ସରକାରଙ୍କୁ ଟିକା କିଣିବାକୁ କହିଥିଲେ କେନ୍ଦ୍ର ସରକାର । ହେଲେ ଏବେ ଟିକାକରଣକୁ ନିଜ ହାତକୁ ନେଇଛନ୍ତି । ଆଉ ଆଜିଠାରୁ ଏହା ଆରମ୍ଭ ହୋଇଛି ।

Comments are closed.