ବସ୍ତିରେ ଖର୍ଚ୍ଚ ହେବ ୨୫ ପ୍ରତିଶତ

75

ଭୁବନେଶ୍ୱର : ରାଜ୍ୟର ପୌରସଂସ୍ଥାଗୁଡିକୁ ଦିଆଯାଉଥିବା ଅର୍ଥର ୨୫ ପ୍ରତିଶତ ବସ୍ତି ଅଞ୍ଚଳରେ ସର୍ବନିମ୍ନ ସେବା ଯୋଗାଣ ଓ ଭିତ୍ତିଭୂମି ବିକାଶ ବାବଦରେ ବ୍ୟୟ କରାଯିବ । ୨୦୨୦-୨୧ ଓ ୨୦୨୧-୨୨ ଆର୍ଥିକବର୍ଷ ପାଇଁ ଦିଆଯାଇଥିବା ଅର୍ଥରୁ ୨୫ ପ୍ରତିଶତ ବସ୍ତି ଅଞ୍ଚଳରେ ବ୍ୟୟ କରିବାକୁ ରାଜ୍ୟ ପୌର ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ସମସ୍ତ ପୌର ପ୍ରଶାସକମାନଙ୍କୁ ପତ୍ରଲେଖି ଅବଗତ କରିଛନ୍ତି । ପୌର ନିର୍ଦ୍ଦେଶକ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଓଡିଶା ସରକାର ମ୍ୟୁନିସିପାଲିଟି ଆଇନ୍ ୧୯୫୦ ଓ ମ୍ୟୁନିସିପାଲ କର୍ପୋରେସନ ଆଇନ୍ ୨୦୦୩ରେ ସଂଶୋଧନ ଆଣିବା ସହିତ ଏହାକୁ ଗେଜେଟ ବିଜ୍ଞପ୍ତିରେ ପ୍ରକାଶ କରିସାରିଛନ୍ତି ।

ତଦନୁଯାୟୀ ପୌରସଂସ୍ଥାଗୁଡିକ ସେମାନଙ୍କ ବାର୍ଷିକ ବଜେଟ୍ ଅର୍ଥର ୨୫ ପ୍ରତିଶତ ବସ୍ତି ଅଞ୍ଚଳର ଭିତ୍ତିଭୂମିକ ବିକାଶ ଓ ମୌଳିକ ସୁବିଧା ଯୋଗାଇବା କ୍ଷେତ୍ରରେ ବ୍ୟୟ କରିବେ । ତଦନୁଯାୟୀ ପୌରସଂସ୍ଥାଗୁଡିକ ସେମାନଙ୍କ ବଜେଟ୍ର ୨୫ ପ୍ରତିଶତ ବସ୍ତି ବିକାଶ ଲାଗି ବ୍ୟୟ କରିବେ ଏବଂ ଏଥିପାଇଁ ତ୍ରୈମାସିକ ଲକ୍ଷ୍ୟ ଧାର୍ଯ୍ୟ ସହିତ ତାହା କିଭଳି ବ୍ୟୟ ହେଉଛି ତାହାର କଡାକଡି ଯାଞ୍ଚ ଲାଗି ପ୍ରଶାସକମାନଙ୍କୁ କୁହାଯାଇଛି । ଏଥି ସହିତ ରାଜ୍ୟର ସମସ୍ତ ମହାନଗର ନିଗମ, ମ୍ୟୁନିସିପାଲିଟି ଓ ଏନ୍ଏସିଗୁଡିକୁ ୨୦୨୦-୨୧ ଓ ୨୦୨୧-୨୨ ବର୍ଷ ପାଇଁ ମଞ୍ଜୁର ହୋଇଥିବା ଅର୍ଥର ତାଲିକା ସହିତ ଏହାର ୨୫ ପ୍ରତିଶତ ଅର୍ଥର ମଧ୍ୟ ଏକ ତାଲିକା ପୌର ନିର୍ଦ୍ଦେଶକ ତାଙ୍କ ପତ୍ରରେ ସଂଲଗ୍ନ କରିଛନ୍ତି ।

Comments are closed.