କ’ଣ ହେବ ଜୁଲାଇ ଗାଇଡ୍ଲାଇନ୍ ?

73

ଭୁବନେଶ୍ୱର : ଚଳିତ ଲକ୍ଡାଉନ୍ ର ସମୟ ସୀମା ସରି ସରି ଆସୁଛି । କ’ଣ ହେବ ଜୁଲାଇ ଗାଇଡ୍ଲାଇନ୍ ତା ଉପରେ ଏବେ ସମସ୍ତଙ୍କ ନଜର । ରାଜ୍ୟର କେଉଁ ଜିଲ୍ଲାରେ କଟକଣା ରହିବ ଓ କେଉଁ ଜିଲ୍ଲାରୁ ହଟିବ ଏହି ୩/୪ ଦିନ ମଧ୍ୟରେ ସରକାର ନିଷ୍ପତ୍ତି ନେବେ । କୋଭିଡ୍ ସ୍ଥିତିକୁ ଦେଖିଲେ ରାଜ୍ୟର ୨୦ ଜିଲ୍ଲା ଏବେ ଗ୍ରୀନ୍ ଜୋନ୍ ରେ ଅଛି । କ୍ରମାଗତ କିଛିଦିନ ହେଲା ଦୈନିକ ସଂକ୍ରମଣ ୪ ହଜାର ତଳେ ରହିଛି । ଆଜି ପଜିଟିଭିଟି ରେଟ୍ ରହିଛି ୫.୧୭ ପ୍ରତିଶତ । ଗତକାଲି ଅପେକ୍ଷା ଏହି ରେଟ୍ ସାମାନ୍ୟ ବଢ଼ିଛି । ଖୋର୍ଦ୍ଧା, କଟକ, ବାଲେଶ୍ୱର, ଯାଜପୁର ଓ ପୁରୀରେ ସଂକ୍ରମଣ ବଢ଼ୁଛି । କିନ୍ତୁ ୨୦ ଜିଲ୍ଲାରେ ୧୦୦ ତଳେ ରହିଛି ସଂକ୍ରମଣ । ଆକ୍ଟିଭ୍ କେସ୍ ଓ ପଜିଟିଭିଟି ହାର ସହିତ କେଉଁ ଜିଲ୍ଲାରେ କେତେ ଟିକାକରଣ ହୋଇଛି ତାକୁ ଜୁଲାଇ ମାସର ମାନଦଣ୍ଡ ହିସାବରେ ବିଚାର କରିପାରନ୍ତି ସରକାର । ରାଜ୍ୟରେ ବଳବତ୍ତର ରହିପାରେ ସପ୍ତାହନ୍ତ ଲକ୍ଡାଉନ୍ ଓ ନାଇଟ୍ କର୍ଫ୍ୟୁ ।ସଂକ୍ରମଣ ହାର ଓ ସ୍ଥିତି ଦେଖି ଦୋକାନବଜାର ଖୋଲିବା ସମୟସୀମା ବୃଦ୍ଧି ହୋଇପାରେ ।

ଅନ୍ୟପକ୍ଷରେ ଗତକାଲି ୩ ହଜାର ତଳେ କରୋନା ସଂକ୍ରମଣ ଥିବା ବେଳେ ଆଜି ଏହି ସଂଖ୍ୟା ପୁଣି ବଢିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩ ହଜାର ୫୫୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ସଙ୍ଗରୋଧରୁ ୨୦୨୮ ଓ ୧୫୨୬ଜଣ ସ୍ଥାନୀୟ ସଂକ୍ରମିତ ଥିବା ଜଣାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୬୫୧ ଓ କଟକରୁ ୫୦୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଯାଜପୁରରୁ ୨୫୬, ଜଗତସିଂହପୁରରୁ ୧୪୫, ଭଦ୍ରକରୁ ୧୫୮, ବରଗଡ଼ରୁ ୩୧, ବଲାଙ୍ଗୀର ୩୧, ବୌଦ୍ଧରୁ ୩୩, ଦେବଗଡ଼ରୁ ୮, ଢେଙ୍କନାଳରୁ ୫୬, ଗଜପତିରୁ ୨୪, ଗଞ୍ଜାମରୁ ୨୨, ଝାରସୁଗୁଡ଼ାରୁ ୧୧, କଳାହାଣ୍ଡିରୁ ୨୧, କନ୍ଧମାଳରୁ ୩୮, କେନ୍ଦ୍ରାପଡ଼ାରୁ ୧୧୯, କେଉଁଝରରୁ ୬୫, କୋରାପୁଟରୁ ୬୯, ମାଲକାନଗିରିରୁ ୬୧, ମୟୂରଭଞ୍ଜରୁ ୧୯୬, ବାଲେଶ୍ୱରରୁ ୨୭୧, ଅନୁଗୁଳରୁ ୧୩୩, ପୁରୀରୁ ୨୩୩, ରାୟଗଡ଼ାରୁ ୬୧, ସମ୍ବଲପୁରରୁ ୧୮, ସୋନପୁରରୁ ୨୯, ସୁନ୍ଦରଗଡ଼ରୁ ୭୧, ନୟାଗଡ଼ରୁ ୧୦୦, ନବରଙ୍ଗପୁରରୁ ୨୨, ନୂଆପଡ଼ାରୁ ୨୦ ଓ ଷ୍ଟେଟପୁଲ୍ରୁ ୧୦୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଯାବତ୍ ରାଜ୍ୟରେ ୮, ୯୭, ୦୬୨ ୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮, ୬୦, ୧୪୨ଜଣ ସୁସ୍ଥ ହୋଇଛନ୍ତି । ଏବେ ବି ରାଜ୍ୟରେ ୩୩, ୦୧୯ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି । ତେବେ ୨୪ ଘଣ୍ଟାରେ ରାଜ୍ୟରେ ୪୭ ଜଣଙ୍କ ଜୀବନ ନେଇଛି କରୋନା । ଏହାସହ ଏବେ ରାଜ୍ୟରେ ସଂକ୍ରମଣ ଓ ଟେଷ୍ଟିଂହାର ୫.୧୭ ପ୍ରତିଶତ ରହିଛି । ରାଜ୍ୟରେ ଗତ ୨୪ ଘଣ୍ଟା ଭିତରେ ୬୮, ୬୯୫ ନମୁନା ପରୀକ୍ଷା ହୋଇଛି ।

Comments are closed.